ଆସନ୍ତାକାଲି ସକାଳ ୪ଟା ପରେ ୧୮ ଘଣ୍ଟା ପର୍ଯ୍ୟନ୍ତ ଛାଡ଼ିବନି କୌଣସି ନୂଆ ଟ୍ରେନ୍‌, ପୂର୍ବତଟ ରେଳପଥ ବାତିଲ କଲା ୧୪୧ଟି ଟ୍ରେନ୍‌

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନରେ ହେବାକୁ ଯାଉଥିବା ‘ଜନତା କର୍ଫ୍ୟୁ ’କୁ ଦୃଷ୍ଟିରେ ରଖି ରେଳବାଇ ତରଫରୁ ଗାଇଡଲାଇନ୍‌ ଜାରି କରାଯାଇଛି। ଏହା ଅନୁସାରେ ଆସନ୍ତାକାଲି ଭୋର ୪ଟା ପରେ କୌଣସି ଟ୍ରେନ୍‌ ମୂଳ ଟ୍ରେନ୍‌ ଛାଡ଼ିବ ନାହିଁ । ଦୀର୍ଘ ୧୮ ଘଣ୍ଟା ଅର୍ଥାତ ରାତି ୧୦ଟା ପର୍ଯ୍ୟନ୍ତ କୌଣସି ଷ୍ଟେସନରୁ ନୂଆ ଟ୍ରେନ୍‌ ବାହାରିବ ନାହିଁ। କିନ୍ତୁ ସକାଳ ୪ଟା ପୂର୍ବରୁ ଛାଡ଼ିଥିବା ଟ୍ରେନ୍‌ଗୁଡ଼ିକ ନିଜର ଗନ୍ତବ୍ୟସ୍ଥଳକୁ ଯିବାରେ କୌଣସି ଅସୁବିଧା ନାହିଁ। ପୂର୍ବତଟ ରେଳପଥର ମୁଖ୍ୟ ଲୋକସଂପର୍କ ଅଧିକାରୀ ଜେପି ମିଶ୍ର ଏକ ପ୍ରେସ୍‌ ବିଜ୍ଞପ୍ତିରେ ଏହି ସୂଚନା ଦେଇଛନ୍ତି।

କୌଣସି ଏକ ନିର୍ଦ୍ଧିଷ୍ଟ ଷ୍ଟେସନରୁ ୪ଟା ପୂର୍ବରୁ ବାହାରିଥିବା ଟ୍ରେନଗୁଡ଼ିକର ଚଳାଚଳକୁ ଅନୁମତି ମିଳିଛି। ଏଭଳି ଟ୍ରେନ୍‌ଗୁଡ଼ିକ ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରିବ। ବିଜ୍ଞପ୍ତିରେ ଦିଆଯାଇଥିବା ସୂଚନା ଅନୁସାରେ ୪୮ଟି ଏକ୍ସପ୍ରେସ୍‌ ଟ୍ରେନ୍‌, ୯୩ଟି ସାଧାରଣ ପାସେଞ୍ଜର ଟ୍ରେନ୍‌ ବାତିଲ କରାଯାଇଛି। ଏହିଭଳି ପୂର୍ବତଟ ରେଳପଥ ଦ୍ୱାରା ‘ଜନତା କର୍ଫ୍ୟୁ ’କୁ ଦୃଷ୍ଟିରେ ରଖି ମୋଟ ୧୪୧ଟି ଟ୍ରେନ୍‌ ବାତିଲ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର