ଦକ୍ଷିଣତଟ ରେଳପଥରେ ମିଶିବ ୱାଲଟିୟର ଡିଭିଜନ୍‌ର ବଡ଼ ଅଂଶ : ଓଡ଼ିଶାର ସ୍ବାର୍ଥ ପାଇଁ ପୂର୍ବତଟ ରେଳପଥର ପୁନର୍ବିନ୍ୟାସ ଜରୁରୀ

ଚକ୍ରଧରପୁର ଡିଭିଜନରୁ ଅଲଗା ହେଉ ଝାରସୁଗୁଡ଼ା-ରାଉରକେଲା-ବନ୍ଧମୁଣ୍ଡା, ପୂର୍ବତଟ ରେଳପଥରେ ସାମିଲ ହେଉ ବାଲେଶ୍ବର-ରୁପ୍‌ସା-ଜଳେଶ୍ବର

ରାଉରକେଲା : ରାଜ୍ୟର ଓ ପୂର୍ବତଟ ରେଳବାଇର ସ୍ବାର୍ଥରକ୍ଷା ପାଇଁ କେନ୍ଦ୍ର ନିକଟରେ ଓଡ଼ିଶା ଦାବି ଉପସ୍ଥାପନ କରିବାର ପ୍ରକୃଷ୍ଟ ସମୟ ଉପନୀତ ହୋଇଛି। କେନ୍ଦ୍ର ସରକାରଙ୍କର ଅନୁମୋଦନ ପାଇ ସାରିଥିବା ଆନ୍ଧ୍ରପ୍ରଦେଶରେ ଦକ୍ଷିଣତଟ ରେଳବାଇ ଜୋନ୍‌ର ପ୍ରତିଷ୍ଠା ପାଇଁ ପୂର୍ବତଟ ରେଳବାଇର ୱାଲ୍‌ଟିୟର୍ ଡିଭିଜନ୍‌ରୁ ଗୋଟିଏ ବଡ଼ ଅଂଶକୁ ସେଥିରେ ସାମିଲ କରାଯାଉଥିବାରୁ ଓଡ଼ିଶା କ୍ଷତିରେ ପଡ଼ିବା ପ୍ରାୟତଃ ନିଶ୍ଚିତ ହୋଇଯାଇଛି। ଏହାଦ୍ବାରା ପୂର୍ବତଟ ରେଳବାଇ ବାର୍ଷିକ ପ୍ରାୟ ୩ ହଜାର କୋଟି ଟଙ୍କାର ରାଜସ୍ବ ହରାଇବାକୁ ଯାଉଛି। ଏହାକୁ ଅଟକାଇବା ଅସମ୍ଭବ ମନେ ହେଉଥିବାରୁ ଅତୀତରେ ବିଭିନ୍ନ ରାଜନୈତିକ କାରଣରୁ ପୂର୍ବତଟ ରେଳବାଇରେ ମିଶା ଯାଇ ପାରି ନଥିବା କିଛି ରେଳପଥକୁ ସାମିଲ କରିବା ଲାଗି ଓଡ଼ିଶା ବର୍ତ୍ତମାନ ଦୃଢ଼ଭାବେ ଦାବି କରିବାର ଆବଶ୍ୟକ ହୋଇ ପଡ଼ିଛି ବୋଲି ତଥ୍ୟଭିଜ୍ଞ ମହଲ ମତ ଦେଇଛନ୍ତି।

୨୦୧୯ ସାଧାରଣ ନିର୍ବାଚନ ସମୟରେ ଆନ୍ଧ୍ରପ୍ରଦେଶକୁ ଖୁସି କରିବା ଲାଗି କେନ୍ଦ୍ର ସରକାର ୱାଲ୍‌ଟିୟର ଡିଭିଜନକୁ ଅସମାନ ଭାବେ ଦୁଇ ଭାଗ କରିବାର ପ୍ରସ୍ତାବକୁ ସ୍ବୀକୃତି ଦେଇଥିଲେ। ସେଥିରୁ ଗୋଟିଏ ଅଂଶ ନୂଆ ଦକ୍ଷିଣତଟ ରେଳବାଇର ବିଜୟୱାଡ଼ା ଡିଭିଜନରେ ମିଶିବାର ଯୋଜନା ରହିଥିବାବେଳେ ବାକି ବଡ଼ଅଂଶଟିକୁ ନେଇ ପୂର୍ବତଟ ରେଳବାଇର ନୂଆ ରାୟଗଡ଼ା ଡିଭିଜନ ପ୍ରତିଷ୍ଠା କରାଯାଉଛି। କିନ୍ତୁ ନିଜ ସୀମା ଭିତରେ ଥିବା ସବୁ ରେଳପଥକୁ ଦକ୍ଷିଣତଟ ରେଳବାଇ ଡିଭିଜନରେ ସାମିଲ କରିବା ଲାଗି ଆନ୍ଧ୍ରପ୍ରଦେଶର ପ୍ରୟାସ ଓଡ଼ିଶାର ସ୍ବାର୍ଥ ଆଗରେ ବଡ଼ ବାଧକ ସାଜିଛି। ୱାଲ୍‌ଟିୟର ଡିଭିଜନରୁ ଗୋଟିଏ ବଡ଼ଅଂଶ ନେବାଲାଗି ଆନ୍ଧ୍ରର ପ୍ରୟାସ ଚାଲୁ ରହିଛି। ଆଉ ଏହି ପ୍ରୟାସ ସଫଳ ହେବାର ସବୁ ଲକ୍ଷଣ ଜଳଜଳ ଦେଖା ଯାଉଛି।

ସୂଚନାଯୋଗ୍ୟ ଯେ ଦକ୍ଷିଣତଟ ରେଳବାଇର ମୁଖ୍ୟାଳୟ ହେବ ବିଶାଖାପଟ୍ଟନମ୍‌। ଆସନ୍ତା ବର୍ଷ ‌ଫେବ୍ରୁଆରି ୧ ବା ଏପ୍ରିଲ ୧ ତାରିଖରୁ ଏହି ରେଳବାଇ ଜୋନ୍‌ ବିଧିବଦ୍ଧ ଭାବେ କାମ ଆରମ୍ଭ କରିବ। ଏ ସଂପର୍କରେ ଚଳିତ ବର୍ଷ ଅଗଷ୍ଟ ମାସର ଶେଷ ସପ୍ତାହରେ ଦକ୍ଷିଣତଟ ରେଳବାଇର ଓଏସ୍‌ଡି (ଅଫିସର୍‌ ଅନ୍ ସ୍ପେସାଲ୍ ଡ୍ୟୁଟି) ରେଲ୍‌ୱେ ବୋର୍ଡ ନିକଟରେ ଏକ ଡିଆର୍‌ପି (ଡିଟେଲ୍ଡ ପ୍ରୋଜେକ୍ଟ ରିପୋର୍ଟ) ଦାଖଲ କରିଛନ୍ତି। ରିପୋର୍ଟ ରେଲ୍‌ୱେ ବୋର୍ଡର ଅନୁମୋଦନ ଲାଭ କରିବାପରେ ନୂଆ ରେଳବାଇ ଜୋନ୍‌ର ଆରମ୍ଭ ସଂପର୍କରେ ଘୋଷଣା କରାଯିବ ଏବଂ ଅତିକମ୍‌ରେ ତା’ର ୪ ମାସ ପରେ ଜୋନ୍‌ କାର୍ଯ୍ୟକାରୀ ହେବ। ତେବେ ରିପୋର୍ଟରେ ୱାଲ୍‌ଟିୟର୍ ଡିଭିଜନ୍‌କୁ ଦୁଇଭାଗ କରାଯିବା ମାମଲାରେ ଯେଉଁ ପ୍ରସ୍ତାବ ରହିଛି, ସେଥିରେ ଉଭୟ ଓଡ଼ିଶା ତଥା ପୂର୍ବତଟ ରେଳବାଇର ବଡ଼ କ୍ଷତି ହେବ। ଯୋଜନା ଅନୁସାରେ, ୱାଲ୍‌ଟିୟର୍‌ ଡିଭିଜନ୍‌ ଅଧୀନ‌ରେ ଥିବା ମୋଟ୍ ୧୧୦୬ କିମି ରେଳପଥରୁ ୪୫୧ କିମି ବିଜୟୱାଡା ଡିଭିଜନ୍‌ରେ ମିଶିବ। ବାକି ୬୫୬ କିମି ରେଳପଥରୁ ରାୟଗଡ଼ା ଓ ଖୋର୍ଦ୍ଧାରୋଡ୍ ଡିଭିଜନ୍‌ ଅଧୀନରେ ଯଥାକ୍ରମେ ୫୪୧ ଓ ୧୧୫ କିମି ରହିବ। ଖୋର୍ଦ୍ଧାରୋଡ୍ ଡିଭିଜନ୍‌ର ପରିସୀମାକୁ ବୃଦ୍ଧି କରିବାର କୌଣସି ଯୋଜନା ନ ଥିବାରୁ ୱାଲ୍‌ଟିୟର୍ ଡିଭିଜନର ପଲାସା-ନୂଆପଡ଼ା ମେନ୍‌ ଲାଇନ୍ ଓ ନୂଆପଡ଼ା-ଗୁଣୁପୁର ଶାଖା ଲାଇନ୍‌ ମଧ୍ୟ ବିଜୟୱାଡ଼ା ଡିଭିଜନ୍‌ରେ ମିଶି ଦକ୍ଷିଣତଟ ରେଳବାଇର ଅଂଶ ପାଲଟିଯିବ। ଏସବୁ ପରେ ମୋଟ ୩୪୯୬ କିମି ରେଳପଥକୁ ନେଇ ଦକ୍ଷିଣତଟ ରେଳବାଇ ୨୩୨୧ କିମି ବିଶିଷ୍ଟ ପୂର୍ବ ତଟ ରେଳବାଇଠାରୁ ବେଶ୍ ଆଗରେ ରହିବ। ଏହା ସହିତ ପୂର୍ବତଟ ରେଳବାଇ ବାର୍ଷିକ ପ୍ରାୟ ୩ ହଜାର କୋଟି ଟଙ୍କା ରାଜସ୍ବ ହରାଇବ ବୋଲି ଆକଳନ କରା ଯାଉଛି।

ଉଲ୍ଳେଖନୀୟ ଯେ ଏହି ପ୍ରସ୍ତାବ କାର୍ଯ୍ୟ‌କାରୀ ହେଲେ ଥେରୁବାଲି-ଗୁଣୁପୁର ପ୍ରସ୍ତାବିତ ରେଳପଥ ସଂପୂର୍ଣ୍ଣ ନ ହେବା ଯାଏ ପୂର୍ବତଟ ରେଳବାଇର ରାୟଗଡ଼ା ଡିଭିଜନ ସହିତ କୌଣସି ସିଧାସଳଖ ସଂଯୋଗ ରହିବ ନାହିଁ। ଅନ୍ୟପକ୍ଷରେ ଏହି ରେଳପଥ ଶେଷ ହେବାକୁ ଆହୁରି କେତେ ବର୍ଷ ବା ଦଶକ ସମୟ ଲାଗିବ, ତା’ର କିଛି ଠିକଣା ନାହିଁ। କାରଣ ବହୁବର୍ଷ ତଳେ ମୋଟ୍ ୯୩୫ କୋଟି ଟଙ୍କା ବ୍ୟୟରେ ତିଆରି ହେବ ବୋଲି ଅଟକଳ କରା ଯାଇଥିବା ଏହି ପରିଯୋଜନା ପାଇଁ ଏ ପର୍ଯ୍ୟନ୍ତ ବଜେଟ୍‌ରେ ମାତ୍ର ୧ କୋଟି ଟଙ୍କା ଦିଆ ଯାଇଛି। ପୂର୍ବତଟ ରେଳବାଇ ଜୋନ୍‌ ସହିତ ରାୟଗଡ଼ାର ସିଧା ସଂଯୋଗ ପାଇଁ ୱାଲ୍ଟିୟର୍‌ ଡିଭିଜନର ବିଶାଖାପଟ୍ଟନମ-କୋରୁକୁଣ୍ଡା ଅଂଶକୁ ଦକ୍ଷିଣ ରେଳବାଇରୁ ଆଣି ରାୟଗଡ଼ା ଡିଭିଜନ ସହିତ ମିଶାଇବା ଅତ୍ୟନ୍ତ ଜରୁରୀ। ବିଜୟୱାଡା ଡିଭିଜନରେ ପୂର୍ବରୁ ୯୬୪ କିମି ରେଳପଥ ଥିବାବେଳେ ୱାଲ୍‌ଟିୟରରୁ ଆହୁରି ୪୫୧ କିମି ନେଇ ସେଥିରେ ମିଶାଇବାର କୌଣସି ଯୁକ୍ତି ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ବିଜୟୱାଡ଼ା ବଦଳରେ ତା’କୁ ରାୟଗଡ଼ା ଡିଭିଜନରେ ମିଶାଗଲେ ପୂର୍ବତଟ ରେଳବାଇ ୪୫୧ କିମି ପରିବର୍ତ୍ତେ କେବଳ ୨୨୧ କିମି ରେଳପଥ ହିଁ ହରାଇଥା’ନ୍ତା।

ଅନ୍ୟପକ୍ଷରେ ଆନ୍ଧ୍ର ପ୍ରଦେଶ ଭିତରେ ଥିବା ସବୁ ରେଳପଥକୁ ଖୋର୍ଦ୍ଧା ଡିଭିଜନ ଅଧୀନରୁ ନେଇ ଦକ୍ଷିଣ ତଟ ରେଳବାଇ ଜୋନ୍‌ରେ ସାମିଲ କରିବାଲାଗି ଶ୍ରୀକାକୁଲମ ସାଂସଦ ରାମ ମୋହନ ନାଇଡୁ କିଂଜାରପୁ ଇତିମଧ୍ୟରେ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କ ପାଖରେ ଦାବି ଜଣାଇ ସାରିଛନ୍ତି। ଆନ୍ଧ୍ରର ଦାବିକୁ ଯଦି କେନ୍ଦ୍ର ମାନିନିଏ, ତେବେ ଓଡ଼ିଶା ମଧ୍ୟ ନିଜର ସ୍ବାର୍ଥରକ୍ଷା ପାଇଁ କେନ୍ଦ୍ର ଆଗରେ ନିଜର ଦାବି ଉପସ୍ଥାପନ କରିବାର ସମୟ ଆସି ଯାଇଛି। ଅତୀତରେ ବିହାରୀ ରେଳମନ୍ତ୍ରୀମାନଙ୍କ ପ୍ରଭାବ ଏବଂ କେନ୍ଦ୍ରରେ ବଙ୍ଗାଳୀ ଲବିର ଚାପ କାରଣରୁ ଓଡ଼ିଶା ଭିତରେ ଥିବା ଚକ୍ରଧରପୁର ଡିଭିଜନ ଅଧୀନର ଝାରସୁଗୁଡ଼ା-ରାଉରକେଲା-ବନ୍ଧମୁଣ୍ଡା ଏବଂ ଖଡ଼ଗପୁର ଅଧୀନର ବାଲେଶ୍ବର-ରୁପ୍‌ସା-ଜଳେଶ୍ବର ରେଳପଥ ପୂର୍ବତଟ ରେଳବାଇରେ ମିଶି ପାରି ନଥିଲା। ଏବେ ଏ ଦୁଇଟିକୁ ପୂର୍ବତଟ ରେଳପଥକୁ ଆଣିବା ଲାଗି ଏହା ହିଁ ପ୍ରକୃଷ୍ଟ ସମୟ ବୋଲି କୁହାଯାଉଛି। ତେଣୁ ରାଜ୍ୟର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଓଡ଼ିଶା ସରକାର ତଥା ରାଜ୍ୟର ସାଂସଦମାନେ ଏଥିପାଇଁ କେନ୍ଦ୍ର ଉପରେ ଜୋରଦାର ଚାପ ପକାଯିବା ଉଚିତ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର