ପୂର୍ବତଟ ରେଳପଥର ସର୍ବକାଳୀନ ପଣ୍ୟ ପରିବହନ ରେକର୍ଡ

ଭୁବନେଶ୍ୱର : ୨୦୧୭-୧୮ ଆର୍ଥିକ ବର୍ଷରେ ଅଧିକ ପଣ୍ୟ ପରିବହନ କ୍ଷେତ୍ରରେ ପୂର୍ବତଟ ରେଳପଥ ଶ୍ରେଷ୍ଠ ପ୍ରଦର୍ଶନ କରିଛି। ଏହା ଭାରତୀୟ ରେଳବାଇରେ ସର୍ବୋତ୍ତମ ଅଟେ । ଗତ ଆର୍ଥିକ ବର୍ଷରେ ୧୭୭.୪୩ ନିୟୁତ ଟନ ପଣ୍ୟ ପରିବହନ କରିଥିବା ପୂର୍ବତଟ ରେଳ ଚଳିତ ଆର୍ଥିକ ବର୍ଷରେ ଅର୍ଥାତ ୨୦୧୭ ଅପ୍ରେଲ ମାସ ଠାରୁ ୨୦୧୮ ମାର୍ଚ୍ଚ ମାସ ମଧ୍ୟରେ ୧୮୨.୭୫ ନିୟୁତ ଟନ ପଣ୍ୟ ପରିବହନ କରିପାରିଛି। ଭାରତୀୟ ରେଳବାଇର ସମୁଦାୟ ପଣ୍ୟ ପରିବହନର ଏହା ୧୫.୭୦ ପ୍ରତିଶତ ଅଟେ। ପୂର୍ବ ତଟ ରେଳପଥ ପରେ ଦକ୍ଷିଣ ପୂର୍ବ ମଧ୍ୟ ରେଳପଥ ୧୮୦.୧୦ ନିୟୁତ ଟନ ଏବଂ ଦକ୍ଷିଣ ପୂର୍ବ ରେଳପଥ ୧୫୦.୭୬ ନିୟୁତ ଟନ ପଣ୍ୟ ପରିବହନ କରି ୨୦୧୭-୧୮ ଆର୍ଥିକ ବର୍ଷରେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷରେ ଭାରତୀୟ ରେଳବାଇ ମୋଟ ୧୧୬୨ ନିୟୁତ ଟନ ପଣ୍ୟ ପରିବହନ କରିଛି । ୨୦୧୭-୧୮ ଅର୍ଥିକ ବର୍ଷର ପଣ୍ୟ ପରିବହନ କ୍ଷେତ୍ରରୁ ପୂର୍ବ ତଟ ରେଳପଥ ୧୭୦୭୫ କୋଟି ଟଙ୍କା ଆୟ କରିଛି ଯାହାକି ୨୦୧୬-୧୭ ଆର୍ଥିକ ବର୍ଷ ଠାରୁ ୭.୬ ଶତକଡ଼ା ଅଧିକ ଅଟେ । ଏହା ବ୍ୟତୀତ ଭାରତୀୟ ରେଳପଥରେ ବିତ୍ତ ପରିଚାଳନା କ୍ଷେତ୍ରରେ ପୂର୍ବତଟ ରେଳପଥ ଶ୍ରେଷ୍ଠ ପ୍ରଦର୍ଶନ କରିବାରେ ସକ୍ଷମ ହୋଇପାରିଛି । ଏଥିପାଇଁ ଚଳିତ ମାସ ୧୬ ତାରିଖରେ ଭୋପାଳ ଠାରେ ହେବାକୁ ଥିବା ରେଳବାଇ ରାଷ୍ଟ୍ରୀୟ ରେଳ ସପ୍ତାହ ପାଳନ ଅବସରରେ ଏହି ଦୁଇଟି କ୍ଷେତ୍ରରେ ଶ୍ରେଷ୍ଠତା ସିଲ୍‌ଡ ଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛ।

ସମ୍ବନ୍ଧିତ ଖବର