ଏଥର ୧୩% ଅଧିକ ଅନୁଦାନ : ପୂର୍ବତଟ ରେଳବାଇକୁ ୭,୦୧୦ କୋଟି

ଭୁବନେଶ୍ବର : ଓଡ଼ିଶା ସମେତ ପୂର୍ବତଟ ରେଳପଥ ଅଧୀନରେ ଆସୁଥିବା ଅଞ୍ଚଳ ପାଇଁ ବଜେଟରେ ୭ ହଜାର ୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଗତ ବଜେଟ୍‌ ତୁଳନାରେ ଏଥର ୧୩ ପ୍ରତିଶତ ଅଧିକ ଦିଆଯାଇଛି।

ପୂର୍ବତଟ ରେଳବାଇ ଅଧୀନରେ ନୂଆ ଲାଇନ୍‌ ପାଇଁ ୨୬ଶହ ୩୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଯାହାକି ଗତ ବଜେଟ୍‌ ତୁଳନାରେ ୬୭ ପ୍ରତିଶତ ଅଧିକ। ତାଳଚେର-ଅନୁଗୁଳ ନୂଆ ରେଳ ଲାଇନ୍‌(୧୪.୫ କିମି)କୁ ମଞ୍ଜୁରି ମିଳିଛି। ଏହି ପ୍ରକଳ୍ପ ପାଇଁ ବଜେଟ୍‌ରେ ୨୭୮କୋଟି ଟଙ୍କାର ବ୍ୟୟ ବରାଦ ‌ହୋଇଛି। ଏଥିସହ ଦୀର୍ଘଦିନ ଧରି ଚାଲୁ ରହିଥିବା ଅନୁଗୁଳ-ସୁକିନ୍ଦା ରେଳ ଲାଇନ୍‌ ପାଇଁ ୨୫୦କୋଟି ବ୍ୟୟ ବରାଦ ହୋଇଥିବା ବେଳେ ଖୋର୍ଧା-ବଲାଙ୍ଗୀର ରେଳ ଲାଇନ୍‌ ଲାଗି ୩୫୦ ‌କୋଟି, ହରିଦାସପୁର-ପାରାଦୀପ ପାଇଁ ୪ ଶହ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଯାତ୍ରୀଙ୍କ ସୁବିଧା ‌ସୁଯୋଗ ଲାଗି ୧୮୧ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ଗତ ବଜେଟ୍‌ରେ ଏ ବାବଦରେ ୮୨ କୋଟି ଟଙ୍କା ମିଳିଥିଲା।

ଗତ ବଜେଟ୍‌ ତୁଳନାରେ ଏଥର ୧୧୯ ପ୍ରତିଶତରୁ ଅଧିକ ଟଙ୍କାର ଅର୍ଥ ବରାଦ ହୋଇଥିବାରୁ ଯାତ୍ରୀମାନେ ବହୁ ମାତ୍ରାରେ ଉପକୃତ ହେବେ ବୋଲି କୁହାଯାଉଛି। ନୂତନ ପ୍ରକଳ୍ପ ବ୍ୟତୀତ ବିଦ୍ୟୁତ୍‌କରଣ, ଯାତ୍ରୀଙ୍କ ସୁବିଧା, ଟ୍ରାକ୍‌, କର୍ମଚାରୀଙ୍କ ସୁବିଧା ଆଦି ପାଇଁ ବଜେଟ୍‌ରେ ବ୍ୟବସ୍ଥା ହୋଇଛି।

ସୂଚନାଯୋଗ୍ୟ ଯେ ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୬ ହଜାର ୫୦୦ କୋଟି ଟଙ୍କା ସହାୟତା ଦାବି କରିଥିଲେ। ହେଲେ ଓଡ଼ିଶାକୁ ୫ ହଜାର ୨୫୨ କୋଟି ଟଙ୍କା ମିଳିଥିଲା। ଉକ୍ତ ବର୍ଷ ଉତ୍ତରପ୍ରଦେଶକୁ ସର୍ବାଧିକ ୭୬୮୫ କୋଟି ମିଳିଥିବା ବେଳେ ମହାରାଷ୍ଟ୍ରକୁ ୬୬୫୮ କୋଟି, ମଧ୍ୟପ୍ରଦେଶକୁ ୬୩୫୯ କୋଟି, ଆସାମକୁ ୫୮୬୬ କୋଟି, ପଶ୍ଚିମବଙ୍ଗକୁ ୫୪୩୭ କୋଟି ଟଙ୍କା ମିଳିଥିଲା। ସେହିପରି ୨୦୧୭-୧୮ ରେଳବାଇ ବଜେଟ୍‌ରେ ଓଡ଼ିଶା ପାଇଁ ୫ ହଜାର ୧୦୨ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିଲା।

ସମ୍ବନ୍ଧିତ ଖବର