ପୂର୍ବତଟ ରେଳପଥର ପ୍ରଥମ ଟ୍ଵିନ୍‌ ଅଣ୍ଡରପାସ୍‌ : ଦିନକରେ ସାରିଦେଲେ, ନିର୍ମାଣରେ ଲାଗିଲେ ୩୦୦ଲୋକ, ଦଶ ଘଣ୍ଟାରେ କାମ ଶେଷ

କଟକ : ରେଳବାଇର ଦିନତମାମ୍‌ କସରତ୍‌ ସଫଳତା ଆଣିଲା। ଦିନକରେ ତିଆରି ହେଇଗଲା ବହୁ ପ୍ରତୀକ୍ଷିତ ଶିଖରପୁର ରେଲେଓ୍ଵ ଅଣ୍ଡରପାସ୍‌(ଭୂ-ତଳ ରାସ୍ତା)। ଅତ୍ୟାଧୁନିକ ଟେଲି ସ୍କୋପ୍‌ ହାଇଡ୍ରୋଲିକ୍‌ କ୍ରେନ୍‌ ସାଂଗକୁ ପାଖାପାଖି ୩୦୦ଲୋକ, ମାତ୍ର କେଇ ଘଣ୍ଟାରେ ଗଢ଼ି ତୋଳିଦେଲେ ପୂର୍ବତଟ ରେଳପଥର ପ୍ରଥମ ‘ଟ୍ଵିନ୍‌ ଅଣ୍ଡରପାସ୍‌’। ଏହାପୂର୍ବରୁ କୌଣସି ଜାଗାରେ ଗୋଟିଏ ପଟେ ଯିବା ଏବଂ ଅନ୍ୟପଟେ ଆସିବା ଭଳି ଅଣ୍ଡର ପାସ୍‌ ନିର୍ମାଣ ହୋଇନଥିଲା। ଶିଖରପୁର ଅଣ୍ଡରପାସ୍‌ ହେଉଛି ପ୍ରଥମ, ଯେଉଁଠି ଲୋକେ ଗୋଟିଏପଟେ ଯିବେ ଏବଂ ଅନ୍ୟପଟେ ଆସିବେ। ଅର୍ଥାତ୍‌ ଜାତୀୟ ରାଜପଥ ଭଳି ଏ ଅଣ୍ଡର ପାସ୍‌ରେ ଯିବା ଆସିବା ବ୍ୟବସ୍ଥା ଅଲଗା କରି ପୂର୍ବତଟ ରେଳପଥ ନୂଆ ଅଭିଯାନ ଆରମ୍ଭ କରିଛି।

ଉଲ୍ଲେଖଯୋଗ୍ୟ, ଶିଖରପୁର ଥିବା ଲେଭଲ୍‌ କ୍ରସିଂକୁ ନେଇ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ବ୍ୟସ୍ତବହୁଳ ରେଳ ଲାଇନ୍‌ ଦୃଷ୍ଟିରୁ ଅଧିକାଂଶ ସମୟରେ ଟ୍ରେନ୍‌ ଚଳାଚଳ ଯୋଗୁ ଏ ଫାଟକ ପଡ଼ିରହୁଥିଲା। ଲୋକମାନେ ଦୀର୍ଘ ସମୟ ଧରି ଫାଟକ ଦୁଇ ପାର୍ଶ୍ୱରେ ଫସି ରହୁଥିଲେ। ଶିଖରପୁର-ଯୋବ୍ରା ଅଂଚଳର ଯେହେତୁ ଇଏ ଏକ ପ୍ରମୁଖ ଗମନାଗମନ ମାଧ୍ୟମ, ତେଣୁ ଲେଭଲ୍‌ କ୍ରସିଂକୁ ଉଚ୍ଛେଦ କରି ଅଣ୍ଡର ପାସ୍‌ ନିର୍ମାଣ ପାଇଁ ଦୀର୍ଘ ବର୍ଷ ତଳୁ ଦାବି ହୋଇ ଆସୁଥିଲା। ବିଳମ୍ବରେ ହେଲେ ମଧ୍ୟରେ ଶେଷରେ ଆଜି ପ୍ରଥମ ଟ୍ଵିନ୍‌ ଅଣ୍ଡରପାସ୍‌ ନିର୍ମାଣ ହୋଇଛି, ଯାହା ପୂର୍ବତଟ ରେଳପଥ ଅଂଚଳରେ ପ୍ରଥମ। ଏଥିପାଇଁ ଆଜି ପାସେଞ୍ଜର୍‌ ଟ୍ରେନ୍‌କୁ ବାତିଲ୍‌ କରାଯାଇଥିବା ବେଳେ ଏକ୍ସପ୍ରେସ୍‌ ଟ୍ରେନ୍‌ଗୁଡ଼ିକୁ କପିଳାସ ଷ୍ଟେସନ୍‌ରୁ ନରାଜ ବାଟ ଦେଇ ଯିବାକୁ ଦିଗ ପରିବର୍ତ୍ତନ କରାଯାଇଥିଲା।

ଦିନ ୧୦ଟାରେ କାମ ଆରମ୍ଭ ହେଲା। ରେଳବାଇର ବିଭିନ୍ନ ବିଭାଗର କର୍ମଚାରୀଙ୍କଠୁ, ଯନ୍ତ୍ରୀ, ଠିକା ସଂସ୍ଥାର ଶ୍ରମିକଙ୍କ ଯାଏଁ ପାଖାପାଖି ୩୦୦ଲୋକ ଏଥିରେ ସାମିଲ୍‌ ହୋଇଥିଲେ। ପ୍ରଥମେ ରେଳ ଧାରଣାକୁ ଉଠାଇ ଦିଆଯିବା ପରେ ପୋକଲିନ୍‌ ମେସିନ୍‌ରେ ମୋଟି ଖୋଳା ଯାଇଥିଲା। ଏହାପରେ ହାଇଡ୍ରୋଲିକ୍‌ କ୍ରେନ୍‌ ସାହାଯ୍ୟରେ ଗୋଟିଏ ପରେ ଗୋଟିଏ କଂକ୍ରିଟ୍‌ ବକ୍ସ୍‍କୁ ଖଞ୍ଜା ଯାଇଥିଲା। ସମୁଦାୟ ୧୫ଟି ବକ୍ସ୍‍ରେ ଅଣ୍ଡର୍‌ ପାସ୍‌ ନିର୍ମାଣ ହୋଇଛି। ଏହାର ଓସାର ୯.୩ମିଟର୍‌ ରହିଛି। ସଂଧ୍ୟା ସୁଦ୍ଧା ସମସ୍ତ ବକ୍ସ୍‍କୁ ଖଞ୍ଜା ଯିବା ପରେ ରେଳ ଧାରଣା ବିଛା କାର୍ଯ୍ୟ ଆରମ୍ଭ ହେଲା। ରାତି ୮ଟା ସୁଦ୍ଧା ସଂପୂର୍ଣ୍ଣ କାମ ଶେଷ ହେବା ପରେ ପ୍ରଥମ ମାଲ ବୋଝେଇ ଟ୍ରେନ୍‌ ଅଣ୍ଡର୍‌ ପାସ୍‌ ଉପରେ ଗଡ଼ିଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ଖୋର୍ଦ୍ଧା ଡିଭିଜନ୍‌ ଏଡିଆରଏମ୍‌ ଏସ୍‌. ପି. ଦ୍ୱିବେଦୀ କହିଛନ୍ତି ଯେ ଗୋଟିଏ ଦିନରେ କାମ ସାରିବା ଚାଲେଞ୍ଜିଂ ଥିଲା। ସକାଳ ୯ଟାରୁ କାମ ଆରମ୍ଭ ହୋଇ ସାଢ଼େ ୩ଟା ସୁଦ୍ଧା ସାରିବା ପାଇଁ ଯୋଜନା ହୋଇଥିଲା। ମାତ୍ର କେତେକ ସ୍ଥାନରେ ମାଟି ଧସିବା ଯୋଗୁ କାମ ବିଳମ୍ବ ହେଲା। ଚାରି ଘଣ୍ଟା ବିଳମ୍ବରେ କାମ ସରିଥିଲେ ମଧ୍ୟ ପୂର୍ବତଟ ରେଳପଥ ଅଂଚଳରେ ପ୍ରଥମକରି ଟ୍ଵିନ୍‌ ଅଣ୍ଡରପାସ୍‌ ନିର୍ମାଣ ହୋଇଛି। ଏହା ପୂର୍ବରୁ ସବୁଠି ସିଙ୍ଗଲ୍‌ ଅଣ୍ଡରପାସ୍‌ ନିର୍ମାଣ ହୋଇଛି। ସମସ୍ତ କର୍ମଚାରୀଙ୍କ କଠିନ ପରିଶ୍ରମ ଯୋଗୁ ଏହା ସଫଳ ହୋଇପାରିଛି ବୋଲି ଶ୍ରୀ ଦ୍ୱିବେଦୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର