ଅର୍ଥନୈତିକ ସର୍ଭେ ରିପୋର୍ଟ : ଅଭିବୃଦ୍ଧି ଖସିଲା ୬.୧୬%; ବିକାଶର ବାଟ ଓଗାଳିଲା କୃଷି, ଉତ୍ପାଦନ ଓ ଖଣି

ପ୍ରଥମ ଥର ପାଇଁ ମୁଣ୍ଡପିଛା ଆୟ ୧ଲକ୍ଷ ଟପିଲା
ଅର୍ଥନୈତିକ ସର୍ଭେରେ ସାମ୍ନାକୁ ଆସିଲା ଗୋଲାପି ଚିତ୍ର

ଭୁବନେଶ୍ବର : ୨୦୧୮-୧୯ ବର୍ଷରେ ସରକାର ଯେଉଁ ଚିତ୍ର ଆଙ୍କିଥିଲେ ସେଥିରେ କୁହାଯାଇଥିଲା ଯେ ଓଡ଼ିଶା ୭.୯୦% ହାରରେ ଆଗକୁ ବଢିବ। କିନ୍ତୁ ୨୦୧୯-୨୦ ବର୍ଷ ପାଇଁ କରାଯାଇଥିବା ଅଗ୍ରିମ ଆକଳନ ସୂଚାଉଛି ଯେ ସାମଗ୍ରିକ ଘରୋଇ ଉତ୍ପାଦର ଅଭିବୃଦ୍ଧି ୬.୧୬% ଭିତରେ ରହିଯାଇପାରେ। ଅର୍ଥାତ୍ ଅଭିବୃଦ୍ଧି ଖସିବ। ଏଇଥିପାଇଁ ଯେ ବାତ୍ୟା କାରଣରୁ କୃଷି ଉତ୍ପାଦନ ଭୟଙ୍କର ଭାବେ ପ୍ରଭାବିତ ହୋଇଛି। ଖଣି କାରବାର ଓ ଉତ୍ପାଦନ କ୍ଷେତ୍ରରେ ବିଶେଷ ଅଗ୍ରଗତି ହୋଇନାହିଁ। ସରକାର ମନକୁ ଆଶ୍ବାସନା ଦେବାକୁ ଯାଇ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଆକଳନରେ ଦେଶର ବିକାଶ ହାର ଖସି ୫%କୁ କମିଯିବ।

ଆସନ୍ତାକାଲି ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ବଜେଟ୍ ଆଗତ କରିବା ପୂର୍ବରୁ ଆଜି ବିଧାନସଭାରେ ସରକାର ଦେଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ରାଜ୍ୟ ଅର୍ଥନୀତିର ଏଭଳି ଚେହେରା ପ୍ରକାଶ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ୨୦୧୮-୧୯ ତୁଳନାରେ ମୁଣ୍ଡପିଛା ଆୟ ୯୫ ହଜାର ୧୬୪ ଟଙ୍କାରୁ ବଢି ୧ଲକ୍ଷ ୧ ହଜାର ୫୮୭ ଟଙ୍କାକୁ ଛୁଇଁପାରେ। ପ୍ରଥମଥର ପାଇଁ ଓଡ଼ିଶାର ମୁଣ୍ଡ ପିଛା ଆୟ ୧ଲକ୍ଷ ଟଙ୍କା ଟପିବ। ତେବେ ଜାତୀୟ ହାର ତୁଳନାରେ ଏହା କମ୍। ଜାତୀୟସ୍ତରରେ ମୁଣ୍ଡପିଛା ଆୟ ହେଉଛି ୧ଲକ୍ଷ ୩୫ ହଜାର ୫୦ ଟଙ୍କା।

୨୦୧୮-୧୯ବର୍ଷରେ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ବିହାର, ତେଲେଙ୍ଗାନା ଭଳି ରାଜ୍ୟର ଅଭିବୃଦ୍ଧି ୧୦% ଉପରେ ଥିଲା। ୧୮ଟି ପ୍ରମୁଖ ରାଜ୍ୟରୁ ଓଡ଼ିଶା ସମେତ ୧୪ଟି ରାଜ୍ୟର ଅଭିବୃଦ୍ଧି ଜାତୀୟ ହାର ଠାରୁ ଅଧିକ ଆକଳନ କରାଯାଇଛି। ଉତ୍ତରପ୍ରଦେଶ, ଛତିଶଗଡ, ପଞ୍ଜାବ, ଗୋଆ ଜାତୀୟହାର ଠାରୁ ତଳେ ଅଛନ୍ତି। ସେହିଭଳି ମୁଣ୍ଡ ପିଛା ଆୟ ବିଚାରକୁ ନେଲେ ୨୦୧୮-୧୯ରେ ଆନ୍ଧ୍ରପ୍ରଦେଶ (୧ଲକ୍ଷ ୬୪ ହଜାର ୨୫ଟଙ୍କା), ଛତିଶଗଡ (୯୬ ହଜାର ୮୮୭ ଟଙ୍କା), ହରିଆନା (୨ଲକ୍ଷ ୨୬ ହଜାର ୬୪୪ ଟଙ୍କା), କର୍ଣ୍ଣାଟକ (୨ଲକ୍ଷ ୧୦ ହଜାର ୮୨୭ ଟଙ୍କା) ଥିଲା। ଯେତେବେଳେ କି ଜାତୀୟ ମୁଣ୍ଡପିଛା ହାର ୧ଲକ୍ଷ ୨୬ ହଜାର ୪୦୬ ଟଙ୍କା ଥିଲା ଓ ଓଡ଼ିଶାର ୯୫ ହଜାର ୧୬୪ ଟଙ୍କା ହିସାବ କରାଯାଇଥିଲା।

ଅର୍ଥନୈତିକ ରିପୋର୍ଟ ସୂଚାଉଛି ଯେ ସାମଗ୍ରିକ ମୂଲ୍ୟ ଯୋଗକୁ ସେବା କ୍ଷେତ୍ର (୪୦.୫୧%)ର ଅବଦାନ ସବୁଠାରୁ ଅଧିକ। ଶିଳ୍ପ କ୍ଷେତ୍ରର ୩୯.୬% ଏବଂ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଜିଏସଡିପିକୁ ଯୋଗଦାନ ୧୯.୯୦% ରହିଛି। ୨୦୧୧-୧୨ ମୂଲ୍ୟ ହିସାବରେ କୃଷି କ୍ଷେତ୍ରର ଅଭିବୃଦ୍ଧି ହାର ୭.୬୧% ଆକଳନ କରାଯାଇଥିବା ବେଳେ ଶି​​ଳ୍ପ କ୍ଷେତ୍ରରେ ଏହି ହାର ଥିଲା ୪.୮୮% ଓ ସେବା କ୍ଷେତ୍ରରେ ୬.୮୪% ବୋଲି ହିସାବ କରାଯାଇଛି। ଯେତେବେଳେ କି ଜାତୀୟସ୍ତରରେ ଏହି ହାର ଯଥାକ୍ରମେ ୨.୮୦%, ୨.୪୯% ଓ ୬. ୮୬% ରହିଛି। ଅର୍ଥନୈତିକ ସର୍ଭେ ରିପୋର୍ଟରେ ସରକାର ଦାବି କରିଛନ୍ତି ଯେ କୃଷି ଓ ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ଅଭିବୃଦ୍ଧି ହାର ଜାତୀୟସ୍ତର ଠାରୁ ଅଧିକ। ହେଲେ ସେବା କ୍ଷେତ୍ରରେ ଏହି ହାର ଜାତୀୟସ୍ତର ସହିତ ବରବାର ସ୍ଥିତିରେ ରହିଛି। ଭିତ୍ତିଭୂମିର ବିକାଶ ହେଲେ ଏ କ୍ଷେତ୍ରରେ ବି ଓଡ଼ିଶା ଆଗେଇବ।

ରିପୋର୍ଟରେ ରାଜ୍ୟର ହାରାହାରି ବାର୍ଷିକ ମୁଦ୍ରାସ୍ଫୀତି ସ୍ଥିର ରହିଛି ୨ରୁ ୩% ମଧ୍ୟରେ। ୨୦୧୯-୨୦ରେ ଟିକିଏ ବଢିଛି ୩.୮%କୁ। ଗ୍ରାମାଞ୍ଚଳ ଓଡ଼ିଶାରେ ବିଶେଷକରି ଖାଦ୍ୟ ସାମଗ୍ରୀ, ତେଲ ଓ ଆଲୋକ କ୍ଷେତ୍ରରେ ମୁଦ୍ରାସ୍ଫୀତି ବଢିଥିବା ହିସାବ କରାଯାଇଛି। ସହରାଞ୍ଚଳରେ ଗୃହନିର୍ମାଣ ଓ ଖାଦ୍ୟ ସାମଗ୍ରୀ କ୍ଷେତ୍ରରେ ଏହାର ପ୍ରଭାବ ଜଳ ଜଳ। ଧୀରେ ଧୀରେ ପନିପରିବା, ଫଳ, ତୈଳବୀଜ ଆଦି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ପାଉଛି। କ୍ଷୀର, ଅଣ୍ଡା,ମାଂସ କ୍ଷେତ୍ରରେ କିନ୍ତୁ ଏହି ହାର ବେଶ୍ ଆଖିଦୃଶିଆ। ୨୦୧୭-୧୮ରେ ଏହି ହାର ୬.୮୫ ଲକ୍ଷ ମେଟ୍ରିକ୍ ଟନ୍ ଥିବା ବେଳେ ୨୦୧୮-୧୯ରେ ୭.୫୯ଲକ୍ଷ ମେଟ୍ରିକ୍ ଟନ ବୋଲି ହିସାବ କରାଯାଇଛି।

ଅର୍ଥନୈତିକ ସର୍ଭେ ରିପୋର୍ଟ ବୟାନ କରୁଛି ଯେ ଗୃହ ନିର୍ମାଣ ଉପରେ ରାଜ୍ୟ ସରକାର ପ୍ରମୁଖତା ଦେଉଛନ୍ତି। ୨୦୧୪-୧୫ରୁ ୨୦୧୮-୧୯ ମଧ୍ୟରେ ୨୧.୭ଲକ୍ଷ ଘର ନିର୍ମାଣ ହୋଇପାରିଛି। ରାଜ୍ୟର ଶିଳ୍ପ ପରିବେଶରେ ଦ୍ରୁତ ପରିବର୍ତନ ଘଟୁଛି। ସମସ୍ତଙ୍କୁ ବିଜୁଳି ଯୋଜନା ଫଳପ୍ରଦ ହୋଇଛି। ରାଜ୍ୟର ୪୭ ହଜାର ୬୭୫ ଗାଁରୁ ୯୯.୬୪% ରାଜସ୍ବ ଗ୍ରାମକୁ ୨୦୧୯ ମାର୍ଚ୍ଚ ସୁଦ୍ଧା ବିଦ୍ୟୁତକରଣ କରାଯାଇପାରିଛି। ସରକାର ତାଙ୍କ ରିପୋର୍ଟରେ ଦାବି କରିଛନ୍ତି ଯେ ସହରାଞ୍ଚଳର ଗରିବ ଲୋକଙ୍କ ଜୀବନରେ ଜାଗା ମିସନ ବ୍ୟାପକ ପରିବର୍ତନ ଆଣୁଛି। ସରକାର ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ କାର୍ଯ୍ୟକ୍ରମରେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବାଟ ଖୋଲିଛନ୍ତି। ଭୁବନେଶ୍ବର ଓ ପୁରୀର ୮ଟି ଜୋନରେ ପାଇଲଟ୍ ପ୍ରକଳ୍ପ ଆରମ୍ଭ େହାଇଛି। ଜଳ ଯୋଗାଣ ମେଳା କାର୍ଯ୍ୟକ୍ରମରେ ସହରାଞ୍ଚଳର ସମସ୍ତ ଘରକୁ ପାଇପ୍ ଯୋଗେ ପାନୀୟ ଜଳଯୋଗାଣ କରାଯିବ।

ସେବା କ୍ଷେତ୍ରକୁ ତନ୍ନ ତନ୍ନ କରି ଅନୁଧ୍ୟାନ କଲେ ଦେଖାଯାଉଛି ଯେ ବ୍ୟବସାୟ ଓ ମରାମତି କ୍ଷେତ୍ରରୁ ଅଧିକ ଅବଦାନ ରହିଛି ଓ ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ପ୍ରାୟ ୭.୯%। ପର୍ଯ୍ୟଟନ କ୍ଷେତ୍ରର ଯୋଗଦାନ ବି କିଛି କମ୍ ନୁହେଁ। ପାଖାପାଖି ୧୫୫.୧୦ଲକ୍ଷ ଘରୋଇ ପର୍ଯ୍ୟଟକ ଓ ୧.୧୪ ଲକ୍ଷ ବିଦେଶୀ ପର୍ଯ୍ୟଟକ ୨୦୧୮-୧୯ ବର୍ଷରେ ଓଡ଼ିଶା ଆସିଛନ୍ତି, ଯେଉଁଥିରେ ଅଭିବୃଦ୍ଧି ହାର ଯଥାକ୍ରମେ ୮.୭୫% ଓ ୧୦.୪୧%। ପୂର୍ବବର୍ଷ ତୁଳନାରେ ଅନ୍ୟ ଜିଲ୍ଲା ରାସ୍ତାର ଉନ୍ନତୀକରଣ ହାର ସର୍ବାଧିକ ୨୫.୦୬% ଥିବା ବେଳେ ରାଜ୍ୟ ସଡକପଥ କ୍ଷେତ୍ରରେ ଏହି ହାର ୧.୬୫%। ଅର୍ଥନୈତିକ ସର୍ଭେ ରିପୋର୍ଟରେ ସରକାର ଦର୍ଶାଇଛନ୍ତି ଯେ ସାମାଜିକ କ୍ଷେତ୍ରରେ ରାଜ୍ୟର ବିନିଯୋଗ ହାର ୪୨.୫% ରହିଛି। ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଓଡ଼ିଶା ବିକାଶ ଆଡକୁ ଧାଉଁଛି। ଶିଶୁ ମୃତ୍ୟୁହାର (୪୦) ଜାତୀୟ ହାର (୪୧) ଠାରୁ କମ୍। ଅନ୍ୟାନ୍ୟ କ୍ଷେତ୍ରରେ ବି। ତେବେ ମହିଳା ଓ ଶିଶୁ ପୁଷ୍ଟିହୀନତା ଦେଶର ବିଭିନ୍ନ ରାଜ୍ୟ ଓ ଓଡ଼ିଶା ପାଇଁ ବି ଏକ ଚ୍ୟାଲେଞ୍ଜ। ରାଜ୍ୟ ସରକାର ଏ କ୍ଷେତ୍ରର ବ୍ୟୟବରାଦ ୪୧.୩୫% (୨୦୧୬-୧୭) ରୁ ୪୯.୭୭%କୁ ବଢାଇଛନ୍ତି। ଶିକ୍ଷା ଅଧିକାର ଆଇନ ଅନୁସାରେ ଶିକ୍ଷକ-ଛାତ୍ର ଅନୁପାତ ଯଥାକ୍ରମେ ପ୍ରାଥମିକ ବିଦ୍ୟାଳୟରେ ୩୦:୧ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୩୫:୧ ରହିବା କଥା। ମାତ୍ର ଓଡ଼ିଶାରେ ଏହି ହାର ଯଥାକ୍ରମେ ୨୦:୧ ଓ ୨୩:୧ ଥିବା ଦର୍ଶାଯାଇଛି। ମିସନ ଶକ୍ତିକୁ ନିରବ ବିପ୍ଳବର ଆଖ୍ୟା ଦେଇ ରିପୋର୍ଟ ଦର୍ଶାଇଛି ଯେ ୭୦ଲକ୍ଷ ମହିଳାଙ୍କ ଜୀବନରେ ପରିବର୍ତନ ଲାଗି ବାଟ ଖୋଲାଯାଇଛି। ୨୦୧୮-୧୯ରେ ୩.୧୧ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ଦିଆଯାଇଛି ଓ ବଳକାଙ୍କୁ ୨୦୧୯-୨୦ରେ।

୨୦୧୪-୧୫ରୁ ଓଡ଼ିଶା ରାଜସ୍ବ ବଳକା ରାଜ୍ୟ ଭାବେ ପରିଗଣିତ ହୋଇଛି। ଯଦିଓ ରାଜ୍ୟ ବାତ୍ୟା, ବନ୍ୟା, ମରୁଡ଼ି ଭଳି ସବୁଠାରୁ ଅଧିକ ବିପର୍ଯ୍ୟୟର ସାମ୍ନା କରିଛି। ଉଭୟ ଅର୍ଥନୈତିକ ଓ ମାନବିକ ଦୃଷ୍ଟିକୋଣରୁ କ୍ଷତି ସହିଛି। କିନ୍ତୁ କିଭଳି ବିପର୍ଯ୍ୟୟ ଜନିତ ଜୀବନହାନି କମିବ, ତା ଉପରେ ଫୋକସ୍ କରାଯାଇଛି। ବିଶ୍ବରେ ଓଡ଼ିଶାକୁ ଉନ୍ନତ ପ୍ରଦର୍ଶନକାରୀ ରାଜ୍ୟରେ ଗଢିତୋଳିବା ଲାଗି ଆବଶ୍ୟକ ପଦକ୍ଷେପ ନିଆଯାଉଛି।

ସମ୍ବନ୍ଧିତ ଖବର