ଭୁବନେଶ୍ବର : ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଲେଖକ ପ୍ରଫେସର ବାସୁଦେବ ସାହୁଙ୍କର ରବିବାର ରାତି ପ୍ରାୟ ୧୦ଟା ୩୦ରେ ପୁରୁଣା ଭୁବନେଶ୍ବର ଭୀମଟାଙ୍ଗି ଭୀମେଶ୍ବର ମନ୍ଦିର ନିକଟସ୍ଥ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। କିଛି ମାସ ତଳେ ଏକ ଅଟୋ ସହ ଦୁର୍ଘଟଣାଗ୍ରସ୍ତ ହେବା ପରେ ସେ ଶଯ୍ୟାଶାୟୀ ଥିଲେ। କୋମା ସ୍ତରକୁ ମଧ୍ୟ ଚାଲିଯାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଭଦ୍ରକ ଜିଲ୍ଲା ଧୁଷୁରି ପଞ୍ଚାୟତର ସାହସପୁର ଗ୍ରାମରେ ୧୯୩୪ରେ ଜନ୍ମଗ୍ରହଣ କରିଥିବା ଶ୍ରୀ ସାହୁ ଭଦ୍ରକ କଲେଜରୁ ଅଧ୍ୟାପନା ଜୀବନ ଆରମ୍ଭ କରିଥିଲେ। ଏହାପରେ ସେ ଜିଏମ୍ କଲେଜ ଓ ସମ୍ବଲପୁରରେ ଶିକ୍ଷାଦାନ ପରେ ରେଭେନ୍ସା ବିଶ୍ବବିଦ୍ୟାଳୟରେ ଅର୍ଥନୀତିର ପ୍ରଫେସର ଭାବେ ଶିକ୍ଷାଦାନ କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟରେ ମଧ୍ୟ କିଛିଦିନ ଶିକ୍ଷାଦାନ କରିଥିଲେ। ସମସାମୟିକ ସାମାଜିକ-ଅର୍ଥବ୍ୟବସ୍ଥା ବାବଦରେ ସେ କିଛି ପୁସ୍ତକ ଓ ସ୍ତମ୍ଭ ରଚନା କରି ଆସୁଥିଲେ।
ଅର୍ଥନୀତି ବ୍ୟତୀତ ସାହିତ୍ୟ ଜଗତକୁ ସେ ଅନେକ ପୁସ୍ତକ ଭେଟି ଦେଇଛନ୍ତି। ଦୃଶ୍ୟାନ୍ତର, ପୂର୍ବାପର, ପ୍ରଣୟ ପାରିଧି, ଦୂରଗାଆଁ ନଈ, ଅନନ୍ୟ, ଶେଷ ବସନ୍ତର ଗୀତ, ବର୍ଣ୍ଣିଳ ପୃଥିବୀ, ସୂର୍ଯ୍ୟାବର୍ତ୍ତ, ବିବସ୍ତ୍ର ବିଶ୍ବକର୍ମା, ପ୍ରତିମୂର୍ତି, ଅସ୍ତସୂର୍ଯ୍ୟ, କେତୋଟି ପ୍ରେମକଥା, ଛିନ୍ନ ରାଗ, ସମାଜ ଜିଜ୍ଞାସା, ସମାଜ ଓ ସଂହତି, ଶାସନ ପ୍ରଶାସନ ଓ ପ୍ରଗତି, ସାହିତ୍ୟ ଓ ସମାଜବାଦ, ସାହିତ୍ୟ ସମାଜ ଓ ଅର୍ଥନୀତି, ନାନାରୂପେ ନାରୀ ଭଳି ବହୁ ପସ୍ତକ ରଚନା କରିଛନ୍ତି। ତାଙ୍କ ରଚିତ ଭ୍ରମଣ କାହାଣୀ ‘ଆମେରିକାରେ କିଛିଦିନ’ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ଲାଭ କରିଥିଲା। ଏହା ବ୍ୟତୀତ ସେ କେତେକ କବିତା, ପ୍ରବନ୍ଧ, ଗଳ୍ପ ଓ ଅନୁବାଦ ପୁସ୍ତକ ରଚନା କରିଛନ୍ତି। ଗବେଷଣାତ୍ମକ ଜର୍ଣ୍ଣାଲ୍ ‘ଭିଜନ୍’ ପ୍ରକାଶ କରି ସେଥିରେ ଓଡ଼ିଆ ଓ ଓଡ଼ିଶା ବାହାରର ବିଦ୍ବାନଙ୍କ ଲେଖା ସ୍ଥାନିତ କରୁଥିଲେ। ‘କ୍ରାନ୍ତିପଥ’ର ସମ୍ପାଦନା ମଧ୍ୟ କରିଥିଲେ। ଏଥିସହ ଓଡ଼ିଶା ଲେଖକ ସାମ୍ମୁଖ୍ୟର ଦୀର୍ଘଦିନ ଧରି ଉପସଭାପତି ଥିଲେ। ମରଶରୀର ନିକଟରେ ସପରିବାର ଓ ବନ୍ଧୁ ବତ୍ସଳ ଉପସ୍ଥିତ ଥିଲେ। ଖବର ପାଇ ପ୍ରଫେସର ଗଣେଶ ପ୍ରସାଦ ଦାସ, ଡ.ବିଜୟ ମହାନ୍ତି, ରକ୍ଷକ ନାୟକ, ଦେବାଶିଷ ମହାପାତ୍ର, ସଂଜୟ ମହାନ୍ତି ଓ ପ୍ରଫୁଲ୍ଲ ଚନ୍ଦ୍ର ଧିର୍ଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ଲେଖକ ଗତକାଲି ରାତିରେ ତାଙ୍କ ଘରେ ପହଞ୍ଚି ପ୍ରଫେସର ସାହୁଙ୍କ ଶେଷ ଦର୍ଶନ କରିଥିଲେ। ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।