ରେଳବାଇର ସ୍ୱତନ୍ତ୍ର ବ୍ୟବସ୍ଥା : ପୁରୀକୁ ଗଡ଼ିବ ୧୮୪ ସ୍ୱତନ୍ତ୍ର ଟ୍ରେନ୍‌

ଖୋର୍ଧା/ଜଟଣୀ : ଆସନ୍ତା ୧୪ ତାରିଖ ରଥଯାତ୍ରା ନିମନ୍ତେ ଯାତ୍ରୀମାନଙ୍କର ସୁରକ୍ଷିତ ଯାତ୍ରା ପାଇଁ ଖୋର୍ଧାରୋଡ୍‌ ରେଳମଣ୍ଡଳ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ରଥଯାତ୍ରାଠାରୁ ମହାପ୍ରଭୁଙ୍କ ସୁନାବେଶ ପର୍ଯ୍ୟନ୍ତ ପୁରୀକୁ ୧୮୪ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ। ସେହିପରି ଯାତ୍ରୀମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ୬୦ଟି ସ୍ୱତନ୍ତ୍ର ଟିକେଟ କାଉଣ୍ଟର ଖୋଲାଯିବ। ଯାତ୍ରୀଙ୍କ ସୁରକ୍ଷା ପାଇଁ ଜିଆର୍‌ପିର ୬୦୦ ଫୋର୍ସ ଓ ଆର୍‌ପିଏଫ୍‌ର ୫୫୦ ଫୋର୍ସ ମୁତୟନ କରାଯିବ। ଅସାମାଜିକ ବ୍ୟକ୍ତିଙ୍କ ଉପରେ ନଜର ରଖିବା ପାଇଁ ସମଗ୍ର ପୁରୀ ଷ୍ଟେସନକୁ ସିସି ଟିଭି ଅଧୀନରେ ରଖାଯିବ। ସର୍ତକତାମୂଳକ ବ୍ୟବସ୍ଥା ସ୍ୱରୂପ ପୁରୀ ରେଳ ଷ୍ଟେସନରେ ୪ଟି ଡଗ୍‌ ସ୍କ୍ଵାଡ୍‌ ରହିବେ। ପୁରୀ ଷ୍ଟେସନରେ ୨ଟି ଡ୍ରୋନ୍‌ କ୍ୟାମେରା ରହି ପରିସ୍ଥିତି ଅନୁଧ୍ୟାନ କରିବ। ସେହିପରି ଯାତ୍ରୀମାନଙ୍କ ସୁବିଧା ପାଇଁ ପୁରୀ ରେଳ ଷ୍ଟେସନରେ ସ୍ୱତନ୍ତ୍ର ବିଶ୍ରାମାଗାର ସହ ଗାଧୁଆ ଘର ଓ ଶୌଚାଳୟକୁ ସଫାସୁତୁରା ରଖିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯିବ ବୋଲି ମଣ୍ଡଳ ରେଳ ପ୍ରବନ୍ଧକ ବ୍ରଜ ମୋହନ ଅଗ୍ରୱାଲ ଆଜି ସୂଚନା ଦେଇଛନ୍ତି।

ଆଜି ଜଟଣୀ ସ୍ଥିତ ମଣ୍ଡଳ ରେଳ ପ୍ରବନ୍ଧକଙ୍କ କାର୍ଯ୍ୟାୟ ସଭାଗୃହରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମଣ୍ଡଳ ରେଳ ପ୍ରବନ୍ଧକ ବ୍ରଜ ମୋହନ ଅଗ୍ରୱାଲ କହିଲେ ଯେ ପୁରୀକୁ ନିୟମିତ ରେଳ ସହ ୧୮୪ଟି ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ। ସେଥିମଧ୍ୟରୁ ଆସନ୍ତା ୧୪ ତାରିଖ ଗୁଣ୍ଡିଚା ଯାତ୍ରା ଦିନ ୨୮ଟି, ୧୫ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ୯୬ଟି, ୨୧ତାରିଖ ସନ୍ଧ୍ୟାଦର୍ଶନ ଦିନ ୮ଟି, ୨୨ ତାରିଖ ବାହୁଡ଼ାଯାତ୍ରା ଦିନ ୨୬ଟି ଏବଂ ୨୩ ତାରିଖ ସୁନାବେଶ ଦିନ ୨୬ଟି ସ୍ୱତନ୍ତ୍ର ରେଳ ଚଳାଚଳ କରିବ। ଯାତ୍ରୀଙ୍କ ସଂଖ୍ୟା ଦେଖି ମେମୁ ଟ୍ରେନ ଖୋର୍ଧା ରୋଡ଼ରୁ ପୁରୀକୁ ଚଳାଚଳ କରିବ। ସେହିପରି ପୁରୀକୁ ନୟାଗଡ଼ରୁ ୪ଟି ସ୍ୱତନ୍ତ୍ର ଟ୍ରେନ ମଧ୍ୟ ଚଳାଚଳ କରିବ।

ଯାତ୍ରୀମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ୬୦ଟି ସ୍ୱତନ୍ତ୍ର ଟିକେଟ କାଉଣ୍ଟର ଖୋଲାଯିବ। ସେଥିମଧ୍ୟରୁ କେବଳ ପୁରୀ ରେଳ ଷ୍ଟେସନରେ ୩୬ଟି କାଉଣ୍ଟର ରହିବ। ସେହିପରି ଅବଶିଷ୍ଟ ୨୪ଟି ସ୍ୱତନ୍ତ୍ର ଟିକେଟ କାଉଣ୍ଟର ଖୋର୍ଧା ରୋଡ଼, ଭୁବନେଶ୍ୱର, କଟକ, ଯାଜପୁର-କେନ୍ଦୁଝର ରୋଡ୍‌, ବ୍ରହ୍ମପୁର, ବାଲୁଗାଁ, ଭଦ୍ରକ, ପାରାଦ୍ଵୀପ ଓ ଖଲ୍ଲିକୋଟ ଷ୍ଟେସନରେ ଖୋଲାଯିବ। ଏହା ୨୪ ଘଣ୍ଟାଧରି କାର୍ଯ୍ୟ କରିବ। ପୁରୀ ରେଳ ଷ୍ଟେସନରେ ଗୋଟିଏ ନିୟମିତ ଏନକ୍ୱାରୀ କାଉଣ୍ଟର ଥିବା ବେଳେ ଅଧିକ ୪ଟି କାଉଣ୍ଟର ଖୋଲାଯିବ। ସେହିପରି ପୁରୀ ଷ୍ଟେସନରେ ଯାତ୍ରୀମାନଙ୍କ ସୁବିଧା ପାଇଁ ୪ଟି ‘ମେ ଆଇ ହେଲପ ୟୁ’ ବୁଥ କରାଯିବ। ୩ଟି ଏଟିଭିଏମସ୍‌(ଅଟୋମେଟିକ ଟିକେଟ ଭେଣ୍ଡିଂ ମେସିନ)ର ମଧ୍ୟ ବ୍ୟବସ୍ଥା କରାଯିବ।

ପୁରୀ ଷ୍ଟେସନରେ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା ଯୋଗାଇ ଦିଆଯିବ। ସେହିପରି ପୁରୀ ଷ୍ଟେସନ ସମେତ ଅନ୍ୟାନ୍ୟ ଷ୍ଟେସନରେ ଖାଦ୍ୟ ପଦାର୍ଥକୁ ସ୍ୱତନ୍ତ୍ର ମେଡିକାଲ ଟିମ୍‌ ଯାଞ୍ଚ କରିବ। ପୁରୀ ଷ୍ଟେସନରେ ଚା, ଜଳଖିଆ, ପିଇବା ପାଣି ବୋତଲ ବିକ୍ରି ସହିତ ୧୫ଟଙ୍କିଆ ଜନତା ମିଲ୍‌ ପାଇଁ ସ୍ୱତନ୍ତ୍ର ଷ୍ଟଲ ଖୋଲାଯିବ ବୋଲି ଶ୍ରୀ ଅଗ୍ରୱାଲ କହିିଛନ୍ତି।

ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ଶକ୍ତି ପ୍ରସାଦ ଦ୍ଵିବେଦୀ, ରେଳ ମଣ୍ଡଳ ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଏ କେ ପଟ୍ଟନାୟକ, ବରିଷ୍ଠ ବିଦ୍ୟୁତ୍‌ ଯନ୍ତ୍ରୀ(ସାଧାରଣ) ଏମ୍‌ଏସ୍‌ଏନ୍‌ ମୂର୍ତ୍ତିି, ବାଣିଜ୍ୟ ପ୍ରବନ୍ଧକ ସମ୍ବିତ ସୌରଭ ନାୟକ, ବରଷ୍ଠ ପରିଚାଳନା ପ୍ରବନ୍ଧକ କେଦାରନାଥ ସାହୁ, ରେଳ ମଣ୍ଡଳ ସୁରକ୍ଷା ଆୟୁକ୍ତ ପି ଶଙ୍କର କୁଟ୍ଟି ଏବଂ ବରିଷ୍ଠ ରେଳ ମଣ୍ଡଳ ଯନ୍ତ୍ରୀ ସୁଧୀର କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର