ଆଶୀର୍ବାଦଙ୍କ ଜ୍ୱାଇଁଙ୍କୁ ଇଡି ସମନ୍‌

କଟକ: ଓଡ଼ିଶା ଅଲମ୍ପିକ୍‌ ଆସୋସିଏସନ୍‌(ଓଓଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଜ୍ୱାଇଁ ସଂଜିତ ସାମଲଙ୍କୁ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ସମନ୍‌ ଜାରି କରିଛି। ଆସନ୍ତା ସାତ ଦିନ ମଧ୍ୟରେ ହାଜର ହେବାକୁ ସମନ୍‌ରେ ଦର୍ଶାଯାଇଛି। ଅଲମ୍ପିକ୍‌ ଆସୋସିଏସନ୍‌ ଜମି କେଳେଙ୍କାରୀ ଏବଂ ଆର୍ଥିକ ଅନିୟମିତତା ଘଟଣାରେ ଇଡି ପକ୍ଷରୁ ଆଶୀର୍ବାଦଙ୍କ ସମେତ ପୁଅ ଓ ଜ୍ୱାଇଁଙ୍କ ବିରୋଧରେ ତଦନ୍ତ କରିଥିବା ବେଳେ ସେହି ଆଧାରରେ ସଂଜିତଙ୍କୁ ସମନ୍‌ ଜାରି କରିଥିବା କୁହାଯାଉଛି ।

ସୂଚନା ଅନୁଯାୟୀ, ଓଡ଼ିଶା ଅଲମ୍ପିକ ଆସୋସିଏସନ୍‌ ଜମି କେଳେଙ୍କାରୀ ଏବଂ ଆର୍ଥିକ ଅନିୟମିତତା ଘଟଣାରେ ଇଡି ୨୦୧୭ରେ ଏକ ମାମଲା ରୁଜୁ କରିଥିଲା । ଆଶୀର୍ବାଦ ଆସୋସିଏସନ୍‌ରେ ୧୬ ବର୍ଷ କାଳ ସମ୍ପାଦକ ଭାବେ କାର୍ଯ୍ୟ କରୁଥିବା ସମୟରେ ବିଭିନ୍ନ ଜାଲିଆତି ହୋଇଥିବା ଇଡି ତଦନ୍ତରୁ ଜାଣିବାକୁ ପାଇଥିଲା। ଆଶୀର୍ବାଦଙ୍କ ବିରୋଧରେ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ କେଳେଙ୍କାରୀ, କ୍ରିକେଟରେ ଚିଟ୍‌ଫଣ୍ଡ ଟଙ୍କା ଭଳି ବିଭିନ୍ନ ବିବାଦ ଆଉ ଅଭିଯୋଗ ରହିଥିବା ବେଳେ ସେ ଏବେ ଏସବୁ ତଦନ୍ତର ସାମନା କରୁଛନ୍ତି। ସରକାରୀ ଜମିରେ ଓଡ଼ିଶା ଅଲମ୍ପିକ୍‌ ଆସୋସିଏସନ୍‌ ନିର୍ମାଣ କରିଥିବା ୨୩ଟି ଦୋକାନ ଘର ଓ ବାରବାଟୀ ପ୍ୟାଲେସ୍‌ କଲ୍ୟାଣ ମଣ୍ଡପ, ତା’ର ପରିଚାଳନା ଏବଂ ଆର୍ଥିକ କାରବାର ଘଟଣାର ସିବିଆଇ ତଦନ୍ତ କରିଥିବା ବେଳେ ଓଓଏ ଓ ମେସର୍ସ ଇନକନ୍‌ ଆସୋସିଏଟସ୍‌ ମଧ୍ୟରେ ହୋଇଥିବା ଚୁକ୍ତିକୁ ସୁପ୍ରିମକୋର୍ଟ ସଂପୂର୍ଣ୍ଣ ବେଆଇନ ଓ ସଂଘର ସ୍ୱାର୍ଥ ବିରୋଧୀ ବୋଲି ଦର୍ଶାଇଥିଲା। ଇନ୍‌କନ୍‌ ଆସୋସିଏଟ୍‌ସରେ ଆଶୀର୍ବାଦ ବେହେରାଙ୍କ ପୁଅ ସତ୍ୟବ୍ରତ ବେହେରା ଓ ଜ୍ୱାଇଁ ସଂଜିତ ସାମଲ ରହିଥିବା ବେଳେ ଏପରି ଚୁକ୍ତି ବେଆଇନ ବୋଲି ଅଦାଲତ ଦର୍ଶାଇଥିଲେ। ପୂର୍ବରୁ ୦.୬୩୪ଏକର ସରକାରୀ ଜମି ଜବରଦଖଲ କରି ବେଆଇନ୍‌ ନିର୍ମାଣ ହୋଇଥିବା ସଂପର୍କରେ ୧୯୯୦-୯୧ରେ ତତ୍କାଳୀନ ତହସିଲ୍‌ଦାର ରିପୋର୍ଟ ଦେବା ସହିତ ଉଚ୍ଛେଦ ପାଇଁ ମାମଲା ରୁଜୁ କରିଥିଲେ। ଏହି ମାମଲାର ଶୁଣାଣି କରି ୨୦୧୪ରେ ଓଡ଼ିଶା ହାଇକୋର୍ଟ ଜବରଦଖଲ ଜମିକୁ ସରକାରଙ୍କ ଅଧୀନକୁ ଆଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ସବୁ ବ୍ୟବସାୟିକ ପ୍ରତିଷ୍ଠାନ ଆଶୀର୍ବାଦଙ୍କ ପରିବାର ଲୋକଙ୍କ ଦ୍ଵାରା ଚାଲିଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର