ଶିବ ଓ କୁଲୁଙ୍କ ଘରେ ଇଡି ରେଡ୍‌

ଧଳସାମନ୍ତ ସହଯୋଗୀ ଆତଙ୍କିତ

କଟକ : ଧଳସାମନ୍ତ ଗ୍ୟାଙ୍ଗର ସଦସ୍ୟ ତଥା ସହଯୋଗୀ କୁହାଯାଉଥିବା ଦୁଇ ଜଣଙ୍କ ଘରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଚଢଉ କରାଯାଇଛି। ଧଳସାମନ୍ତ ଭାଇଙ୍କ ସହଯୋଗୀ କୁହାଯାଉଥିବା ସିଡିଏର କୁଲୁ ଓରଫ ତପନ ରାଉତରାୟଙ୍କ ଘରେ ଆଜି ଇଡି ପ୍ରଥମ ଥର ଚଢଉ କରିଛି। ଚଢଉ ସମୟରେ କୁଲୁଙ୍କ ସଂପତ୍ତି ସଂକ୍ରାନ୍ତରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସଂଗ୍ରହ କରିଥିବା କୁହାଯାଉଛି। ଅନ୍ୟପଟେ ଶିବ ଗୋଚ୍ଛିଙ୍କ ସଂପତ୍ତି ଯାଞ୍ଚ ପାଇଁ ଆଜି ଦ୍ୱିତୀୟ ଥର ଇଡି ପକ୍ଷରୁ ଚଢଉ କରାଯାଇଛି। ଗଣ୍ଡରପୁର ସ୍ଥିତ ଦୁଇଟି ସ୍ଥାନରେ ଇଡି ସଦସ୍ୟମାନେ ଚଢଉ କରି ଶିବ ଗୋଚ୍ଛିଙ୍କ ସଂପତ୍ତି ସଂକ୍ରାନ୍ତ ଅଧିକ ତଥ୍ୟ ଓ କାଗଜପତ୍ର ଯାଞ୍ଚ କରିଛନ୍ତି। ଗଲା ଅକ୍ଟୋବର ମାସରେ ଶିବ ଗୋଚ୍ଛିଙ୍କ ଘରେ ଇଡି ପକ୍ଷରୁ ଚଢଉ କରାଯାଇଥିଲା। ଶିବ ଗୋଚ୍ଛିଙ୍କ କୋଟିଏରୁ ଅଧିକ ସଂପତ୍ତି ଇଡି ଜବତ କରିସାରିଛି।

ଆଜି ଇଡିର ୮ ଜଣିଆ ଦୁଇଟି ଟିମ୍‌ କଟକ ଆସି ଏ ପ୍ରକାର ଚଢଉ କରିଛନ୍ତି। ଗୋଟିଏ ଟିମ୍‌ ଦିନ ପ୍ରାୟ ସାଢେ ଦଶଟାରେ ଶିବ ଗୋଚ୍ଛିଙ୍କ ଘରେ ପହଞ୍ଚି ଥିବା ବେଳେ ଅନ୍ୟ ଟିମ୍‌ ସିଡିଏର କୁଲୁଙ୍କ ଘରେ ଚଢଉ କରିଥିଲା। ସିଡିଏ ଚଢଉ ପରେ ସେହି ଟିମ୍‌ ପୁଣି ଗଣ୍ଡରପୁର ଆସି ଶିବ ଗୋଚ୍ଛିଙ୍କ ଘରେ ଚଢଉ କରିଥିଲା। ଦିନ ପ୍ରାୟ ଗୋଟାଏ ପାଖାପାଖି ସମୟ ଯାଏ ଏହି ରେଡ୍‌ ଚାଲିଥିଲା। ଧଳସାମନ୍ତ ସହଯୋଗୀଙ୍କୁ ପୂର୍ବରୁ ପୁଲିସ ଗିରଫ କରିଥିବା ବେଳେ ସେ ଏବେ ଜାମିନରେ ଅଛନ୍ତି। ଧଳସାମନ୍ତ ସହଯୋଗୀଙ୍କ ସଂପତ୍ତି ସଂପର୍କରେ ଅଧିକ ଖୋଳତାଡ଼ ପାଇଁ ଏ ପ୍ରକାର ଚଢଉ ଆଗକୁ ଜାରି ରହିବ ବୋଲି ସୂଚନା ମିଳିଛି। ଏଭଳି ଘଟଣାରେ ଧଳସାମନ୍ତ ସହଯୋଗୀଙ୍କ ମଧ୍ୟରେ ପୁଣି ଆତଙ୍କ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର