ଶିକ୍ଷା ସମ୍ମିଳନୀ-୨୦୧୯ : ଶିକ୍ଷକଙ୍କ ସ୍ଥାନ କେହି ନେଇପାରିବେ ନାହିଁ

ଭୁବନେଶ୍ବର : ଆଜିର ଶିକ୍ଷା ପଦ୍ଧତିରେ ଯଥେଷ୍ଟ ପରିବର୍ତନ ହୋଇଛି। ପୂର୍ବରୁ ଶିକ୍ଷାଦାନ ବ୍ୟବସ୍ଥା ଶିକ୍ଷକକୈନ୍ଦ୍ରିକ ଥିବା ବେ‌ଳେ ଏବେ ଛାତ୍ରକୈନ୍ଦ୍ରିକ ହୋଇଛି। ଡିଜିଟାଲ ମାଧ୍ୟମ ଶିକ୍ଷାଦାନ କ୍ଷେତ୍ରରେ ବୈପ୍ଲବିକ ପରିବର୍ତନ ଆଣିଛି। ଆଜିକାଲି ସବୁକିଛି ପିଲାଙ୍କ ହାତପାହାନ୍ତାରେ। ଏସବୁ ସତ୍ତ୍ବେ ଶିକ୍ଷକଙ୍କ ସ୍ଥାନ କେହି ପୂରଣ କରିପାରିବେ ନାହିଁ। ଶିକ୍ଷାଦାନ ସମୟରେ ପାଠପଢ଼ା ବ୍ୟତୀତ ଶିକ୍ଷକ-ଛାତ୍ର ମଧ୍ୟରେ ଯେଉଁ ଆବେଗିକ ସଂପର୍କ, ତାହାକୁ ପୂରଣ କରିବା ଅସମ୍ଭବ ବୋଲି ‘ସମ୍ବାଦ’ ଓ ଏନ୍‌ଆଇପିଏସ୍‌ର ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଟେଲ୍‌ ମେ’ ଫେୟାରରେ ଅନୁଷ୍ଠିତ ଶିକ୍ଷା ସମ୍ମିଳନୀ-୨୦୧୯ରେ ମତ ପ୍ରକାଶ ପାଇଛି।

ସମ୍ମିଳନୀର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ‘ସମ୍ବାଦ’ ଗ୍ରୁପ୍‌ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ଏହି ସମ୍ମିଳନୀ ଆୟୋଜନ କରିବା ପଛରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶିକ୍ଷା ବ୍ୟବସ୍ଥାରେ ପରିବର୍ତନ ଆଣିବା। ବର୍ତମାନ ସମୟରେ ଶିକ୍ଷା ବ୍ୟବସ୍ଥା ସମାଜରେ ସମସ୍ତଙ୍କୁ ଏକାଠି କରିବା ପରିବର୍ତେ ଭାଗ ଭାଗ କରି ପକାଇଛି। କିଛି ପିଲା ଭଲ ଶିକ୍ଷା ପାଉଥିବା ବେଳେ ଅନ୍ୟମାନେ ଏଭଳି ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି। ପୂର୍ବରୁ କିଛି ହାତଗଣତି କ୍ଷେତ୍ରରେ ଚାକିରି ରହିଥିବା ବେଳେ ଆଜିର ସମୟରେ ଏକାଧିକ କ୍ଷେତ୍ରରେ ନିଯୁକ୍ତିର ସୁଯୋଗ ରହିଛି। ମାତ୍ର ଅନେକ ଡାକ୍ତର, ଆଇଏଏସ୍‌ ଓ ଇଞ୍ଜିନିୟର ଭଳି ଚାକିରି ପଛରେ ଧାଇଁଛନ୍ତି। ବିଶେଷକରି ମଧ୍ୟବିତ୍ତ ପରିବାରର ବାପା ମା’ ନିଜର ସ୍ବପ୍ନକୁ ପିଲାମାନଙ୍କ ଜରିଆରେ ପୂରଣ କରିବା ପାଇଁ ଚେଷ୍ଟିତ। ଡିଗ୍ରି ସହିତ ଚାକିରିର କୌଣସି ସଂପର୍କ ନାହିଁ। ଛାତ୍ରଛାତ୍ରୀମାନେ ଚାକିରି ପଛରେ ନ ଗୋଡ଼ାଇ ଚାକିରି କିଭଳି ସେମାନଙ୍କ ପଛରେ ଗୋଡ଼ାଇବ, ଏଭଳି ମାନସିକତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଏନ୍‌ଆଇପିଏସ୍‌ର ସହକାରୀ ନିର୍ଦେଶକ ରଣବୀର ରାୟ କହିଲେ, ପୂର୍ବର ଶିକ୍ଷାଦାନ ବ୍ୟବସ୍ଥା ଓ ଆଜିର ଶିକ୍ଷାଦାନ ବ୍ୟବସ୍ଥାରେ ଯଥେଷ୍ଟ ପରିବର୍ତନ ହୋଇଛି। ଆଗରୁ ସ୍କୁଲରେ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ନେଇ ଗାଳି କିମ୍ବା ମାଡ଼ ମାରି ପାରୁଥିଲେ। ମାତ୍ର ଆଜିର ସମୟରେ ଏହା ସମ୍ଭବ ନୁହେଁ। ଆଜିର ଡିଜିଟାଲ ଯୁଗରେ ପିଲାମାନେ ସବୁକିଛି ଜାଣିବା ପାଇଁ ଗୁଗୁଲ୍ ଉପରେ ନିର୍ଭରଶୀଳ। ଫେସବୁକ ବର୍ତମାନ ଏକ ଆଗଧାଡ଼ିର ମିଡିଆ ପାଲଟିଛି। ଛୋଟ ଛୋଟ ଘଟଣା ଫେସବୁକ୍‌ରେ ପୋଷ୍ଟ ନକଲେ ଲୋକଙ୍କ ମନ ଭରୁନାହିଁ ବୋଲି ଶ୍ରୀ ରାୟ କହିଥିଲେ।

‘ସମ୍ବାଦ’ଗ୍ରୁପ୍‌ର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ କହିଲେ, ପୂର୍ବର ପାରମ୍ପରିକ ଶିକ୍ଷାଦାନ ତୁଳନାରେ ଆଜିର ସମୟରେ ଅନେକ ଧନ୍ଦାମୂଳକ ଶିକ୍ଷା ଉପଲବ୍ଧ ହେଉଛି। ବିଗତ କିଛି ବର୍ଷ ଭିତରେ ଓଡ଼ିଶା ଏକ ଶିକ୍ଷା ହବ୍‌ରେ ପରିଣତ ହୋଇଛି। ଅନେକ ଇଞ୍ଜିନିୟରିଂ, ବିଜିନେସ୍ ଓ ବିଶ୍ବବିଦ୍ୟାଳୟ ଗଢ଼ି ଉଠିଛି ଓଡ଼ିଶାରେ। ମାତ୍ର ବାପା ମା’ ସେମାନଙ୍କ ପିଲାମାନଙ୍କ ଉପରେ ନିଜର ଅଭିଳାଷକୁ ଲଦି ଦେବା ଉଚିତ୍ ନୁହେଁ ବୋଲି ଶ୍ରୀମତୀ ପଟ୍ଟନାୟକ ମତ ଦେଇଥିଲେ।

ଘରୋଇ ଶିକ୍ଷାନୁଷ୍ଠାନକୁ ଠିକ୍‌ରେ ନିୟନ୍ତ୍ରଣ କରିବା ଜରୁରୀ

ଶିକ୍ଷା ସମ୍ମିଳନୀର ପ୍ରଥମ ଅଧିବେଶନର ବିଷୟବସ୍ତୁ ରହିଥିଲା ‘ଆସନ୍ତା ଦଶନ୍ଧି ପାଇଁ ଶିକ୍ଷାରେ ପରିବର୍ତନ’। ଏଥିରେ ଅଂଶଗ୍ରହଣ କରି ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବିନାୟକ ରଥ କହିଲେ, ବିକାଶର ହଲମାର୍କ ହେଉଛି ଶିକ୍ଷା। ସରକାର କିମ୍ବା ଅନ୍ତର୍ଜାତୀୟ ସଂଗଠନମାନଙ୍କ ଦ୍ବାରା ଯେତେସଂଖ୍ୟକ ସୂଚୀ ବା ଇଣ୍ଡେକ୍ସ ରହିଛି, ସବୁଥିରେ ଶିକ୍ଷା ପ୍ରତିଫଳିତ ହୋଇଥାଏ। ଗତ ଦଶନ୍ଧିରେ ଦେଶରେ ଓଡ଼ିଶା ଏକ ଶିକ୍ଷା ହବ୍‌ରେ ପରିଣତ ହୋଇଛି। ଅନେକ ଶିକ୍ଷାନୁଷ୍ଠାନ ଗଢ଼ି ଉଠିଛି ଓଡ଼ିଶାରେ। ମାତ୍ର ଆଜିର ଶିକ୍ଷାଦାନ ଘରୋଇ ସଂସ୍ଥା ହାତକୁ ଚାଲି ଯାଇଛି। ରାଜଧାନୀରେ ଥିବା ଅନେକ ଘରୋଇ ସ୍କୁଲରେ ଭଲ ପାଠପଢ଼ା ହେଉଛି। ଉଚ୍ଚଶିକ୍ଷା କ୍ଷେତ୍ରରେ ମଧ୍ୟ ଅନେକ ଘରୋଇ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। ଆଗାମୀ ଦିନରେ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ଶିକ୍ଷାଦାନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ମାତ୍ର ଏସବୁକୁ ଠିକ୍‌ ଭାବେ ନିୟନ୍ତ୍ରଣ କରିବାର ଆବଶ୍ୟକତା ରହିଛି। ଶ୍ରୀ ରଥ ଆହୁରି ମଧ୍ୟ କହିଥିଲେ ଯେ ଛାତ୍ରଛାତ୍ରୀଙ୍କ ଜୀବନରେ ଜଣେ ଶିକ୍ଷକଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଶିକ୍ଷାଦାନ ସମୟରେ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକଙ୍କ କଥାବାର୍ତା ଗୁରୁତ୍ବପୂର୍ଣ୍ଣ। ମାତ୍ର ଏବେ ଜଣେ ଭଲ ଶିକ୍ଷକ ମିଳିବା କଷ୍ଟକର। ଜଳବାୟୁ ପରବିର୍ତନ ଏକ ପ୍ରମୁଖ ଆହ୍ବାନ ଭାବେ ଉଭା ହେଉଛି। ଏହାସହ ସ୍ବାସ୍ଥ୍ୟ, ଜମିର ଅବକ୍ଷୟ, ବାୟୁ ପ୍ରଦୂଷଣ ଓ ପିଇବା ପାଣି ଭଳି ସମସ୍ୟାର ସମାଧାନ ଶିକ୍ଷା ଜରିଆରେ ହୋଇପାରିବ। ପାରମ୍ପରିକ ଶିଳ୍ପର ଅବସ୍ଥା ଧୀରେ ଧୀରେ ଖରାପ ହେବାକୁ ବସିଥିବା ବେଳେ ପର୍ଯ୍ୟଟନ, ‌ହୋଟେଲ ବ୍ୟବସାୟ ଭଳି ବ୍ୟବସାୟକୁ ଏକାଠି କରିବାର ଆବଶ୍ୟକତା ରହିଛି। ଅଧିକରୁ ଅଧିକ ପ୍ରାକ୍ଟିକାଲ ଶିକ୍ଷାଦାନକୁ ଗୁରୁତ୍ବ ଦେବାକୁ ହେବ ବୋଲି ସେ କହିଥିଲେ।

ଏନ୍‌ଆଇପିଏସ୍‌ର ଜୋସେଫ୍ ଉତ୍ତମ ଗୋମ୍‌ସ କହିଲେ, ଶିକ୍ଷାଦାନ ଜରିଆରେ ହିଁ ଜ୍ଞାନର ବିତରଣ ହୋଇପାରିବ। ପାରମ୍ପରିକ ଶିକ୍ଷାଦାନ ପ୍ରଣାଳୀରେ ପରିବର୍ତନ ହେବା ସହିତ ଆଜି ଅନଲାଇନ୍ ଜରିଆରେ ଶିକ୍ଷାଦାନ ସମ୍ଭବ ହୋଇଛି। ଏପରିକି ଅନେକ ଅନଲାଇନ୍ ଶିକ୍ଷା ଦେଉଥିବା ସଂସ୍ଥା ସେମାନଙ୍କ ଛାତ୍ରଛାତ୍ରୀଙ୍କ ପାଇଁ ସନ୍ଦେହ ଦୂର କରିବା ପାଇଁ ସ୍ବତନ୍ତ୍ର ଭାବେ କ୍ଲାସ ନେଉଛନ୍ତି। ବୈଷୟିକ ଜ୍ଞାନକୌଶଳ ଶିକ୍ଷାଦାନ କ୍ଷେତ୍ରରେ ବେଶ୍ ସଫଳ ହୋଇଛି। ଯାହାକି ଶିକ୍ଷାଦାନ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତନ ଆଣିପାରିଛି। ଆଗାମୀ ଦିନରେ ଅଧିକ ଗତିଶୀଳ ବା ଆକ୍ଟିଭିଟି ଜନିତ ପାଠ୍ୟକ୍ରମକୁ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ହୋଟେଲ ଓ ହସ୍ପିଟାଲିଟି ଶିଳ୍ପ ଦେଶ ତଥା ଦେଶ ବାହାରେ ନିଯୁକ୍ତି ଦେବାରେ ସଫଳ ହୋଇପାରୁଛି ବୋଲି ଶ୍ରୀ ଗୋମ୍‌ସ କହିଥିଲେ।

ବ୍ଲସମ୍ ସ୍କୁଲର ପ୍ରତିଷ୍ଠାତା ନିର୍ଦେଶକ ନାଦିଆ ମୋଘବେଲପୌର କହିଲେ, ଜଣେ ଶିକ୍ଷକ ହିଁ ଶିକ୍ଷା ବ୍ୟବସ୍ଥାରେ ପରିବର୍ତନ ଆଣିପାରିବ। ବର୍ତମାନ ସମୟରେ ବୈଷୟକି ଜ୍ଞାନକୌଶଳର ବିକାଶ ଯୋଗୁଁ ଡିଜିଟାଲ ଶିକ୍ଷା ଓ ଇ-ଲର୍ଣ୍ଣିଂ ବ୍ୟବସ୍ଥା ଜାରି ରହିବା ଆବଶ୍ୟକ। ‌ମାତ୍ର ଛାତ୍ରଛାତ୍ରୀ ମର୍ଯ୍ୟାଦାର ସହ ଜଣେ ଭଲ ମଣିଷ ହୋଇପାରିଲେ ଶିକ୍ଷାଦାନର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରିବ। ଶିକ୍ଷାଦାନ ପଦ୍ଧତିରେ ଯେଉଁସବୁ ସମସ୍ୟା ରହିଛି, ତାହାର ସମାଧାନ ସହ ଛାତ୍ରଛାତ୍ରୀମାନେ ଯେଉଁପ୍ରକାର ଶିକ୍ଷାଦାନ ଚାହୁଛନ୍ତି, ତାହାକୁ ଗୁରୁତ୍ବ ଦେବାର ସମୟ ଆସିଛି ବୋଲି ସେ କହିଥିଲେ। ଡିଏଭି ସ୍କୁଲ ଅଫ ବିଜିନେସ ମ୍ୟାନଜମେଣ୍ଟର ଅଧ୍ୟକ୍ଷ ଡି.ଏନ୍ ମିଶ୍ର କହିଲେ, ଗତ କିଛି ବର୍ଷ ଧରି ଘରୋଇ ଶିକ୍ଷାନୁଷ୍ଠାନର ସଂଖ୍ୟାରେ ବୃଦ୍ଧି ଘଟିଛି। ଏସବୁ ଶିକ୍ଷାନୁଷ୍ଠାନଗୁଡ଼ିକ ଭିତ୍ତିଭୂମି ଓ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ବ ଦେଉଛନ୍ତି। ମାତ୍ର ମାତ୍ରାଧିକ ନିୟନ୍ତ୍ରଣ ଶିକ୍ଷାନୁଷ୍ଠାନ ପାଇଁ ସମସ୍ୟା ସୃଷ୍ଟି କରିପାରେ। ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକରେ ସବୁ କିଛି ପୂର୍ବ ନିର୍ଧାରିତ। ଉତ୍ତରଦାୟିତ୍ବ, ପ୍ରକଳ୍ପ ଭିତ୍ତିକ ଶିକ୍ଷା, ସ୍ମାର୍ଟ ଶ୍ରେଣୀଗୃହ ଉପରେ ଧ୍ୟାନ ଦେବାକୁ ହେବ। ଏହାସହ ପ୍ରେରଣାଦାୟୀ ଭିଡିଓ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିପାରିବ ବୋଲି ଶ୍ରୀ ମିଶ୍ର କହିଥିଲେ। କିଟ୍ ବିଶ୍ବବିଦ୍ୟାଳୟର ପ୍ରଫେସର ଏସ୍‌.ଏନ୍ ମିଶ୍ର ଏହି ଅଧିବେଶନରେ ସଂଚାଳନ କରିଥିଲେ।

ଶିକ୍ଷକ ନୁହେଁ, ଛାତ୍ରଛାତ୍ରୀକୈନ୍ଦ୍ରିକ ହୋଇଛି ଶିକ୍ଷା

ଶିକ୍ଷା ସମ୍ମିଳନୀର ଦ୍ବିତୀୟ ଅଧିବେଶନର ବିଷୟବସ୍ତୁ ରହିଥିଲା ‘ଡିଜିଟାଲ ଯୁଗରେ ଶିକ୍ଷାଦାନ କ୍ଷେତ୍ରରେ ଶିକ୍ଷକଙ୍କ ପାଇଁ ଆହ୍ବାନ’। ଏଥିରେ ଅଂଶଗ୍ରହଣ କରି ସାଇ ଇଣ୍ଟରନସାଲ ସ୍କୁଲର ଅଧ୍ୟକ୍ଷ ବିଜୟ ସାହୁ କହିଲେ, ଶିକ୍ଷକଙ୍କ ସ୍ଥାନ କୌଣସି ବିଜ୍ଞାନ କିମ୍ବା ଜ୍ଞାନକୌଶଳ ନେଇପାରିବ ନାହିଁ। ଛାତ୍ରଛାତ୍ରୀ ପାଇଁ ଜଣେ ଶିକ୍ଷକଙ୍କ ଯେଉଁ ଭାବାବେଗ ଥାଏ, ତାହାକୁ ଅଣଦେଖା କରାଯାଇ ପାରିବ ନାହିଁ। ମାତ୍ର ପୂର୍ବର ଶିକ୍ଷା ବ୍ୟବସ୍ଥା ଓ ଆଜିର ଶିକ୍ଷା ବ୍ୟବସ୍ଥାରେ ଯଥେଷ୍ଟ ପରିବର୍ତନ ଘଟିଛି। ପୂର୍ବରୁ ଶିକ୍ଷା କେବଳ ଶିକ୍ଷକ କୈନ୍ଦ୍ରିକ ରହିଥିବା ବେଳେ ଏକବିଂଶ ଶତାବ୍ଦୀରେ ତାହା ଛାତ୍ରକୈନ୍ଦ୍ରିକ ହୋଇଛି। ଆଜିର ସମୟରେ ଶିକ୍ଷକ ଶିକ୍ଷାଦାନରେ ଫାସିଲିଟେଟର୍‌ ବା ସୂତ୍ରଧର ପାଲଟିଛନ୍ତି। ଆଇଟି ଏ କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଡିଜିଟାଲ ଯୁଗରେ ବହିଠାରୁ ଆରମ୍ଭ କରି ପାଠାଗାର ପର୍ଯ୍ୟନ୍ତ ଆଜି ଶ୍ରେଣୀଗୃହ ସହ ଯୋଡ଼ି ହୋଇପାରିଛି। ଡିଜିଟାଲ ଯୁଗରେ ଛାତ୍ରଛାତ୍ରମାନେ ବୈଷୟିକ ଜ୍ଞାନ‌କୌଶଳରେ ବହୁତ ଆଗରେ ଥିବା ବେଳେ ଶିକ୍ଷକମାନେ ସେମାନଙ୍କୁ କିଭଳି ଢଙ୍ଗରେ ଶିକ୍ଷାଦାନ ଦେଇପାରିବେ ତାହା ହିଁ ପ୍ରମୁଖ ଆହ୍ବାନ ବୋଲି ଶ୍ରୀ ସାହୁ କହିଥିଲେ।

ତକ୍ଷଶୀଳା ସ୍କୁଲର ନିର୍ଦେଶିକା ସିକତା ଦାସ କହିଲେ, ଆଜିର ସମୟରେ ଶିକ୍ଷାଦାନ ପଦ୍ଧତିରେ ପରିବର୍ତନ ହୋଇଛି। ଜଣେ ଛାତ୍ର କ’ଣ ପଢ଼ିବାକୁ ଚାହୁଁଛି ତାହାକୁ ଶିକ୍ଷକ ପ୍ରଥମେ ଜାଣିବା ଜରୁରୀ। କେବଳ ଶ୍ରେଣୀଗୃହ ଶିକ୍ଷାଦାନରେ ଛାତ୍ରଛାତ୍ରୀଙ୍କୁ ସୀମିତ ରଖିବା ଉଚିତ୍ ନୁହେଁ। ତେବେ କୌଣସି ଡିଜିଟାଲ ମାଧ୍ୟମ ଶିକ୍ଷକଙ୍କ ସ୍ଥାନ ନେଇପାରିବ ନାହିଁ। ତେଣୁ ଶିକ୍ଷକଙ୍କ ଭୂମିକା ସବୁବେଳେ ଗୁରୁତ୍ବପୂର୍ଣ୍ଣ ହୋଇରହିବ। ଡିଜିଟାଲ ଯୁଗରେ ସବୁକିଛି ହାତପାହାନ୍ତରେ ଉପଲବ୍ଧ ହେଉଥିବାରୁ ଶ୍ରେଣୀଗୃହକୁ ଅଧିକ କ୍ରିୟାଶୀଳ କରିବାକୁ ପଡ଼ିବ। ଫଳରେ ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହରେ ପଢ଼ିବାକୁ ଆଗ୍ରହ ପ୍ରକାଶ କରିବେ ବୋଲି ଶ୍ରୀମତୀ ଦାସ କହିଥିଲେ। ଏନ୍‌ଆଇପିଏସ୍‌ର ବରିଷ୍ଠ ସଂପର୍କ ପ୍ରବନ୍ଧକ ମାଇକେଲ ଆନ୍ଥୋନି କହିଲେ, ଆଜିର ସମୟରେ ସ୍ମାର୍ଟଫୋନ୍ ଶ୍ରେଣୀଗୃହଠାରୁ ଅଧିକ ଶକ୍ତିଶାଳୀ ହୋଇପଡ଼ିଛି। ଏସବୁ ସତ୍ବେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷକଙ୍କ ମାର୍ଗଦର୍ଶନର ଆବଶ୍ୟକତା ରହିଛି। ଛାତ୍ରଛାତ୍ରୀମାନେ କିଭଳି ସ୍ମାର୍ଟଫୋନ୍‌ର ଦୁରୁପ‌ଯୋଗ ନ କରିବେ ଓ ଡିଜିଟାଲ ଯୁଗରେ ଶିକ୍ଷକମାନେ କିଭଳି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବେ, ତାହାକୁ ତାହା ମଧ୍ୟ ଆହ୍ବାନ ପାଲଟିଛି। ତେବେ ଗ୍ରାମାଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀମାନଙ୍କୁ ଡିଜିଟାଲ ଯୁଗରେ କିଭଳି ସହାୟତା ଦିଆଯାଇପାରିବ, ତାହା ହିଁ ବଡ଼ ଆହ୍ବାନ ବୋଲି ଶ୍ରୀ ଆନ୍ଥୋନି କହିଥିଲେ। ଡିଏମ୍‌ ସ୍କୁଲର ଅଧ୍ୟକ୍ଷ ଅଖିଳେଶ୍ବର ମିଶ୍ର କହିଲେ, ଡିଜିଟାଲ ଯୁଗରେ ଶିକ୍ଷକ ମଧ୍ୟ ବୈଷୟିକ ଜ୍ଞାନ କୌଶଳ ସହିତ ନିଜକୁ ଖାପ ଖୁଆଇବା ଉଚିତ୍। ଏହାସହ ପୂର୍ବର ଶିକ୍ଷାଦାନ ବ୍ୟବସ୍ଥା ଓ ଆଜିର ଶିକ୍ଷାଦାନ ବ୍ୟବସ୍ଥା ମଧ୍ୟରେ ବ୍ୟବଧାନ ସୃଷ୍ଟି ହୋଇଛି ତାହାକୁ ଦୂର କରିବାକୁ ହେବ। ଫଳ‌ରେ ଶିକ୍ଷାଦାନ ବ୍ୟବସ୍ଥା ଅଧିକ କ୍ରିୟାଶୀଳ ହୋଇପାରିବ। ଶିକ୍ଷାଦାନ ସମୟରେ ଜଣେ ଶିକ୍ଷକ ଛାତ୍ରଛାତ୍ରୀଙ୍କ ସହ ଆତ୍ମୀୟ ବାତାବରଣ ହେବା ସହ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେବା ଆବଶ୍ୟକ ବୋଲି ଶ୍ରୀ ମିଶ୍ର କହିଥିଲେ।

ଆଜିର ସମୟରେ ଛାତ୍ରଛାତ୍ରୀମାନେ ହିଂସ୍ର ହୋଇଯାଉଛନ୍ତି କି ପ୍ରଶ୍ନର ଉତ୍ତରରେ ଅତିଥିମାନେ କହିଥିଲେ, ଜନ୍ମରୁ କୌଣସି ଶିଶୁ ହିଂସ୍ର ହୋଇ ଜନ୍ମ ହୋଇ ନଥାନ୍ତି। ଏହା ଏକ ସମସ୍ୟା ନୁହେଁ, ଏହ ସଂକେତ। ଶିକ୍ଷକମାନେ ଶ୍ରେଣୀଗୃହରେ ସ୍ନେହର ବାତାବରଣ ସୃଷ୍ଟି କରିବା ସହିତ ଛାତ୍ରଛାତ୍ରୀଙ୍କ ସହିତ ଆବେଗ ରଖିବା ଦରକାର। ବର୍ତମାନ ସମୟରେ କେବଳ ମା’କୁ ବାଦ୍ ଦେଲେ ବାପା ଓ ଶିକ୍ଷକଙ୍କର ପିଲା ପ୍ରତି କୌଣସି ଭାବାବେଗ ରହୁନାହିଁ। ତେଣୁ ଏଭଳି ସମସ୍ୟା ନଜରକୁ ଆସୁଛି ବୋଲି ଅତିଥିମାନେ ମତ ଦେଇଥିଲେ। ପ୍ରଫେସର ଯତୀନ୍ଦ୍ର ନାୟକ ଏହି ଅଧିବେଶନକୁ ସଂଚାଳନ କରିଥିଲେ।

ସମ୍ବନ୍ଧିତ ଖବର