ଡ୍ରାଇଭିଂ ଲାଇସେନ୍ସ ପାଇଁ ଶିକ୍ଷାଗତ ଯୋଗ୍ୟତା ଦରକାର ନାହିଁ

ଅଷ୍ଟମ ଯାଏଁ ନପଢ଼ିଥିଲେ ବି ଭାରୀ ଯାନ ଚଳାଇ ହେବ

ଭୁବନେଶ୍ବର: ପରିବହନ ବାହନ ତଥା ଭାରୀ ଯାନ ଚଳାଇବା ପାଇଁ ଏଣିକି ଶିକ୍ଷା‌ଗତ ଯୋଗ୍ୟତା ଆବଶ୍ୟକ ପଡ଼ିବନି। ଅଷ୍ଟମ ଯାଏଁ ନପଢ଼ିଥିଲେ ବି ଜଣେ ଭାରୀ ଯାନ ଚଳାଇବା ପାଇଁ ଆବଶ୍ୟକୀୟ ଲାଇସେନ୍ସ ପାଇବାକୁ ଆବେଦନ କରିପାରିବେ। ଏନେଇ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ କେନ୍ଦ୍ରୀୟ ମୋଟର ଯାନ ୧୯୮୯ର ନିୟମ ୮ରେ ସଂଶୋଧନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏନେଇ ଖୁବ୍ ଶୀଘ୍ର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ। ଏହି ନିୟମ ଦ୍ବାରା ସମାଜର ଆର୍ଥିକ ଦୁର୍ବଳ ଶ୍ରେଣୀର ଦକ୍ଷ ଲୋକ ଉପକୃତ ହୋଇପାରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Photo by: patrika.com

ପୂର୍ବରୁ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ ୧୯୮୯ର ନିୟମ ୮ ଅନୁଯାୟୀ ପରିବହନ ବାହନର ଚାଳକଙ୍କ ପାଇଁ ଅଷ୍ଟମ ପାସ୍‌ ବାଧ୍ୟତାମୂଳକ ଥିଲା। ଏହାଦ୍ବାରା ବହୁ ସ୍ଥାନରେ ଲୋକ ବିନା ଲାଇସେନ୍ସ‌େର ଗାଡ଼ି ଚଲାଉଥିଲେ। ନଚେତ୍ ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ଗାଡ଼ି ଚଳାଇପାରୁନଥିଲେ। ନିକଟରେ ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ବସିଥିବା ବୈଠକରେ ହରିୟାଣା ସରକାର ପରିବହନ ବାହନ ଚାଳକଙ୍କ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସର୍ତ୍ତକୁ ଉଚ୍ଛେଦ କରିବାକୁ ଅନୁରୋଧ କରିଥିଲେ। ହରିୟାଣାର ମେୱାତ ଅଞ୍ଚଳରେ ବହୁ ଲୋକ ଗାଡ଼ି ଚାଳନାରେ ଦକ୍ଷ ଥିଲେ ହେଁ ଶିକ୍ଷାଗତ ଯୋଗ୍ୟତା ନଥିବାରୁ ଡ୍ରାଇଭିଂ ଲାଇସେନ୍ସ ପାଇପାରୁନଥିବା କହିଥିଲେ। ଏହି ସ୍ଥିତି ବାକି ରାଜ୍ୟରେ ବି ଥିବାରୁ ମନ୍ତ୍ରଣାଳୟ ଡ୍ରାଇଭିଂ ଲାଇସେନ୍ସ ପାଇଁ ଶିକ୍ଷାଗତ ଯୋଗ୍ୟତା ମାନଦଣ୍ଡକୁ ହଟାଇବାକୁ ନିଷ୍ପତ୍ତି ନେଇଛି। ଏହାଦ୍ବାରା ଦେଶର ପରିବହନ ଏବଂ ଲଜିଷ୍ଟିକ୍ କ୍ଷେତ୍ରରେ ୨୨ଲକ୍ଷ ବାହନ ଚାଳକଙ୍କ ନିଅଣ୍ଟକୁ ଭରଣା କରିପାରିବ। ଯାହା ଏହି କ୍ଷେତ୍ରରେ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିପାରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଯଦିଓ ମନ୍ତ୍ରଣାଳୟ ପକ୍ଷରୁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସର୍ତ୍ତକୁ ଉଚ୍ଛେଦ କରାଯାଇଛି। ତେବେ ଡ୍ରାଇଭରଙ୍କ ତାଲିମ୍ ଓ ଦକ୍ଷତା କ୍ଷେତ୍ରରେ କୌଣସି ପ୍ରକାରର ସାଲିସ୍‌ କରାଯିବନି। ମୋଟର ବାହନ ଆଇନ ୧୯୮୮ ଅନୁସାରେ ଯେକୌଣସି ସ୍କୁଲ କିମ୍ବା ପ୍ରତିଷ୍ଠାନ ପକ୍ଷରୁ ଦିଆଯାଉଥିବା ବାହନ ଚାଳନା ତାଲିମ୍‌‌େର ସଂକେତ ପଢ଼ିବା, ଲଜିଷ୍ଟିକ୍ ଡ୍ୟୁଟି ଭଳି ଡ୍ରାଇଭର ଲଗ୍ସର ରକ୍ଷଣାବେକ୍ଷଣ କରିବା, ଟ୍ରକ ଏବଂ ଟ୍ରେଲରର ନିରୀକ୍ଷଣ କରିବା, ପ୍ରି-ଟ୍ରିପ୍ ଏବଂ ପୋଷ୍ଟ ଟ୍ରିପ୍ ରେକର୍ଡ ପ୍ରସ୍ତୁତ କରିବା, କାଗଜପତ୍ର କାର୍ଯ୍ୟର ବିସଙ୍ଗତି ନିର୍ଦ୍ଧାରଣ କରିବା, ସୁରକ୍ଷା ସମ୍ବନ୍ଧୀୟ ବିପଦର ରିପୋର୍ଟ କରିବା ଲାଗି କୁଶଳୀ ଯୋଗାଯୋଗ କରିବାରେ ଚାଳକ ସକ୍ଷମ ହେବା ଭଳି ପ୍ରଶିକ୍ଷଣ ନେବା ସୁନିଶ୍ଚିତ କରାଯିବ। ଏନେଇ ରାଜ୍ୟ ସରକାର ପଦକ୍ଷେପ ନେବେ।

ସୂଚନାଯୋଗ୍ୟ ଯେ, ମନ୍ତ୍ରଣାଳୟ ପକ୍ଷରୁ ମୋଟର ଯାନ (ସଂଶୋଧନ) ବିଲ୍‌ରେ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତାକୁ ହଟାଇବାର ପ୍ରସ୍ତାବ ପୂର୍ବରୁ ନିଆଯାଇଥିଲା। ଏହାକୁ ଗତ ଲୋକସଭାରେ ଅନୁମୋଦନ କରାଯାଇଥିଲା। ଏନେଇ ସଂସଦର ଷ୍ଟାଣ୍ଡିଂ କମିଟି ଏବଂ ସିଲେକ୍ଟ କମିଟି ମଧ୍ୟ ବିଚାର ବିମର୍ଷ କରିଥିଲା। ହେଲେ ଏନେଇ ଆଜି ପର୍ଯ୍ୟନ୍ତ ବିଜ୍ଞପ୍ତି ପ୍ରକାଶ ପାଇନି।

ସମ୍ବନ୍ଧିତ ଖବର