ବଲାଙ୍ଗୀର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ସମୟରେ ତାଙ୍କ କାରକେଡ଼ ଉପରେ ଅଣ୍ଡା ଓ ଢେଲା ମାଡ଼ ହୋଇଛି। ମୁଖ୍ୟମନ୍ତ୍ରୀ ବଲାଙ୍ଗୀରରେ ପ୍ରଚାର ସାରି ଲୋଇସିଂହା ନିର୍ବାଚନମଣ୍ଡଳୀ ସାଲେଭଟା ଯାଇଥିଲେ। ସେଠାରେ ପୂର୍ବ ସାଂସଦ ବାଳଗୋପାଳ ମିଶ୍ରଙ୍କ ସମର୍ଥକ ଅଣ୍ଡା ଓ ଢେଲାମାଡ଼ କରିଥିବା ସୂଚନା ମିଳିଛି। ଏହି ଢେଲାମାଡ଼ରେ ୪ଟି ଗାଡ଼ିର କାଚ ଭାଙ୍ଗିଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ସୁରକ୍ଷିତ ଥିବା କୁହାଯାଉଛି। ଢେଲାମାଡ଼ ପରେ ପୁଲିସ ମୃଦୁ ଲାଠି ଚାଳନା କରିଛି। ଏହା ସହ ପୂର୍ବ ସାଂସଦ ବାଳଗୋପାଳ ମିଶ୍ର, ତାଙ୍କ ପୁଅ ଆକାଶ ମିଶ୍ରଙ୍କ ସମେତ ଅନ୍ୟ ସମର୍ଥକମାନଙ୍କୁ ସାଲେଭଟା ଫାଣ୍ଡିରେ ଅଟକ ରଖାଯାଇଛି। ଏହି ଘଟଣା ପରେ କେତେ ଜଣ ଉତ୍ତ୍ୟକ୍ତ ଲୋକ ପୂର୍ବ ସାଂସଦ ଶ୍ରୀ ମିଶ୍ରଙ୍କ ମୁଖ୍ୟ ଘରର ପାର୍ଶ୍ବରେ ଥିବା କେତୋଟି କ୍ୱାର୍ଟର୍ସରେ ନିଆଁ ଲଗାଇ ଦେଇଛନ୍ତି। ସାଲେଭଟାରେ ରାତି ଯାଏଁ ଚାପା ଉତ୍ତେଜନା ଲାଗି ରହିଛି। ବ୍ୟାପକ ପୁଲିସ ଫୋର୍ସ ମୁତୟନ ରହିଛନ୍ତି।

Advertisment

ଘଟଣାରୁ ପ୍ରକାଶ ଯେ, ପୂର୍ବ ସାଂସଦ ଶ୍ରୀ ମିଶ୍ର ଓ ତାଙ୍କ ସମର୍ଥକ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ପୂର୍ବରୁ ସାଲେଭଟାରେ କଳାପତାକା ଲଗାଇଥିଲେ। ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ପାଇଁ ଗେଟ କରାଯାଉଥିବା ସମୟରେ ପୂର୍ବ ସାଂସଦ ଶ୍ରୀ ମିଶ୍ର ଓ ଜଣେ ବିଜେଡି ନେତାଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ସଂଧ୍ୟାରେ ସାଲେଭଟାରେ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିଲା। ୯ ପ୍ଲାଟୁନ ଫୋର୍ସ ମୁତୟନ ରହିଥିଲେ। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଏପଟେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀରରେ ପ୍ରଚାର ସାରି ସାଲେଭଟା ପହଞ୍ଚିବା ପରେ ବିଜେଡି ନେତା ଓ କର୍ମକର୍ତ୍ତାମାନେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ। ମୁଖ୍ୟମନ୍ତ୍ରୀ ରୋଡ଼ ସୋରେ ଯିବା ସମୟରେ ପୂର୍ବ ସାଂସଦ ବାଳଗୋପାଳ ମିଶ୍ରଙ୍କ ଘର ନିକଟରୁ କାରକେଡ଼କୁ ଅଣ୍ଡାମାଡ଼ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିରେ ବାଜି ନଥିବା ବେଳେ ତାଙ୍କ ପଛରେ ଆସୁଥିବା ୪ଟି ଗାଡ଼ିକୁ ଢେଲାମାଡ଼ ହୋଇଥିଲା। ଢେଲା ମାଡ଼ ହୋଇଥିବା ଗାଡ଼ିରେ ପୁଲିସ ଗାଡ଼ି ରହିଛି।

ଏହାପରେ ପୁଲିସ ଲାଠିଚାଳନା କରିଥିଲା। ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଥିବା ଗାଡ଼ି ପାସ କରିଯିବା ପରେ ପୁଲିସ ଘରକୁ ଘର ଯାଇ ବିରୋଧ କରିଥିବା ସମସ୍ତଙ୍କୁ ସାଲେଭଟା ଫାଣ୍ଡିକୁ ଆଣିଛି। ସୂଚନାଯୋଗ୍ୟ ଯେ ରାତି ସାଢ଼େ ୧୦ଟା ସମୟରେ ମୁଖ୍ୟମନ୍ତ୍ରୀଙ୍କ ହାଇଟେକ୍‌ ବସ୍‌ (ପ୍ରଚାର ଗାଡ଼ି) ସୁରକ୍ଷିତ ଭାବରେ ବରଗଡ଼ରେ ପହଞ୍ଚିଛି।