ବେଶ୍‌ କିଛିମାସର ବ୍ୟବଧାନ ପରେ ପୁଣି ଥରେ ବଢ଼ିଲା ଅଣ୍ଡା ଦର

ଭୁବନେଶ୍ୱର : ବେଶ୍‌ କିଛିମାସର ବ୍ୟବଧାନ ପରେ ପୁଣି ଥରେ ଅଣ୍ଡା ଦର ବୃଦ୍ଧି ହୋଇଛି। ଖୁଚୁରା ବଜାରରେ ଗୋଟିଏ ଅଣ୍ଡା ପିଛା ୬/୭ ଟଙ୍କା ଦରରେ ବିକ୍ରି ହେଉଛି। ହଠାତ୍‌ କ’ଣ ପାଇଁ ଅଣ୍ଡା ଦର ବଢ଼ିଲା ତାହାର ନିର୍ଦ୍ଦିଷ୍ଟ କାରଣ ଜଣା ପଡ଼ିନାହିଁ।

ରାଜ୍ୟରେ ପ୍ରତିଦିନ ପ୍ରାୟ ୮୫ଲକ୍ଷ ଅଣ୍ଡାର ଆବଶ୍ୟକତା ରହିଛି। ରାଜ୍ୟରେ ୫୭ଲକ୍ଷ ଅଣ୍ଡା ଦୈନିକ ଉତ୍ପାଦନ ହେଉଥିବା ବେଳେ ବଳକା ୨୮ଲକ୍ଷ ଅଣ୍ଡା ପାଇଁ ଆନ୍ଧ୍ର କିମ୍ବା ରାୟପୁର ଉପରେ ନିର୍ଭର କରିବାକୁ ପଡ଼ୁଛି। ଖୁଚୁରା ବଜାରରେ ଅଣ୍ଡା ବ୍ୟବସାୟୀଙ୍କ କହିବା କଥା, ପୂର୍ବରୁ ୨୧୦ଟା ଅଣ୍ଡା ପେଟି ଦର ୮୦୦/୮୫୦ ଟଙ୍କା ଥିବା ବେଳେ ଏବେ ତାହା ୯୬୦ କିଣା ପଡ଼ୁଛି। ଯାହାଫଳରେ ଖୁଚୁରା ବଜାରରେ ଅଣ୍ଡା ଦରରେ ବୃଦ୍ଧି ହୋଇଛି। ରାଜ୍ୟରେ ଅଣ୍ଡା ଦର ନିୟନ୍ତ୍ରଣ ସରକାରଙ୍କ ନିକଟରେ ନାହିଁ। ଫଳରେ ଖୁଚୁରା ବଜାରରେ ଅଣ୍ଡାର ମନଇଚ୍ଛା ଦର ଧାର୍ଯ୍ୟ କରାଯାଉଛି। ଅପରପକ୍ଷରେ ଓପୋଲଫେଡ୍‌ ପକ୍ଷରୁ ରାଜ୍ୟରେ କମ୍‌ ଦରରେ ଅଣ୍ଡା ବିକ୍ରି ହେଉଥିଲେ ହେଁ ତାହା କେବଳ ଭୁବନେଶ୍ୱର, କଟକ ଓ ଅନୁଗୁଳରେ ସୀମିତ ରହିଛି। ଭୁବନେଶ୍ୱରରେ ୬୬, କଟକରେ ୨୪ଟି ଓପୋଲଫେଡ୍‌ ସେଣ୍ଟର ରହିଥିବା ବେଳେ ଅନୁଗୁଳରେ ଏହା ବନ୍ଦ ରହିଛି। ବିଜୟଓ୍ଵାଡାସ୍ଥିତ ଜାତୀୟ ଅଣ୍ଡା ସମନ୍ଵୟ ସମିତି ବା ନେକ୍‌ ଦର ଅନୁଯାୟୀ ଓପୋଲଫେଡ୍‌ ଅଣ୍ଡା କିଣୁଛି। ପ୍ରତିଦିନ ଏହି ଦରରେ ପରିବର୍ତନ ହେଉଛି। ନେକ୍‌ ବିଜୟଓ୍ଵାଡାରେ ଅଣ୍ଡାର ଦର ଯାହା ରହିବ ତାହା ସହିତ ୮୦ ପଇସାକୁ ମିଶାଇ ଓପୋଲଫେଡ୍‌ ନିଜ କାଉଣ୍ଟ୍‌ରରେ ଅଣ୍ଡା ବିକ୍ରି କରୁଛି। ମାତ୍ର ରାଜ୍ୟବ୍ୟାପୀ ଏହାର କାଉଣ୍ଟର୍‌ ନ ଥିବାରୁ ସବୁ ଲୋକମାନେ ଏହାର ସୁବିଧା ପାଇପାରୁ ନାହାନ୍ତି।

ରାଜ୍ୟ ପଶୁପାଳନ ନିର୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଦଲାଲମାନେ ଚାଷୀମାନଙ୍କଠାରୁ କମ୍‌ ଟଙ୍କାରେ ଅଣ୍ଡା କିଣୁଥିବା ବେଳେ ୨/୩ଟଙ୍କା କମିସନ୍‌ ରଖୁଛନ୍ତି। ଯାହାଫଳରେ ଖାଉଟିମାନଙ୍କୁ ହଇରାଣ ହେବାକୁ ପଡ଼ୁଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀମାନଙ୍କଠାରୁ ଅଣ୍ଡା କିଣିବା ନେଇ କୌଣସି ବ୍ୟବସ୍ଥା ନାହିଁ କିମ୍ବା ଅଣ୍ଡା ଦରର ନିୟନ୍ତ୍ରଣ ସରକାରଙ୍କ ନିକଟରେ ନାହିଁ। ଆପିକଲ ମାଧ୍ୟମରେ ୧୦୪ଟି ପଞ୍ଜୀକୃତ କୁକୁଡ଼ା ଫାର୍ମ ରହିଛନ୍ତି। ୨୦୧୮/୧୯ ଆର୍ଥିକ ବର୍ଷରେ ରାଜ୍ୟରେ ୭୪ଲକ୍ଷ ଅଣ୍ଡା ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ଅଣ୍ଡା ଦରକୁ ନିୟନ୍ତ୍ରଣ କରିବା ପାଇଁ ଗତବର୍ଷ ନଭେମ୍ବର ୨୯ତାରିଖରେ ନିର୍ଦେଶାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଥିଲା। ମାତ୍ର ଏ ପର୍ଯ୍ୟନ୍ତ ବିଭାଗ ପକ୍ଷରୁ କୌଣସି ଆଲୋଚନା ହୋଇ ନ ଥିବା ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର