ଥାଳିରୁ ଉଭାନ ହେବ ଅଣ୍ଡା!

ମଧ୍ୟାହ୍ନଭୋଜନ ଅର୍ଥକୁ ଟପିଲା ଅଣ୍ଡା ଦର

ଭୁବନେଶ୍ୱର : ମଧ୍ୟାହ୍ନଭୋଜନକୁ ଘାରିଲାଣି ଅଣ୍ଡା ଚିନ୍ତା। ଗତ ଦୁଇ ମାସ ହେଲା ଅଣ୍ଡା ପିଛା ଦର ୨ ଟଙ୍କା ବଢ଼ିଥିବାରୁ ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ବିିଦ୍ୟାଳୟ କର୍ତୃପକ୍ଷ। ଦୁଇ ମାସ ତଳେ ଅଣ୍ଡା ଗୋଟା ୫ ଟଙ୍କା ଥିବା ବେଳେ ଏବେ ତାହା ୭ ଟଙ୍କା ଛୁଇଁଲାଣି। ପ୍ରତି ପିଲାଙ୍କ ମଧ୍ୟାହ୍ନଭୋଜନ ଲାଗି ଯେତିକି ଟଙ୍କା ଦିଆଯାଉଛି ଅଣ୍ଡାର ଦର ତା’ଠାରୁ ବଳି ଯାଇଛି। ଯେଉଁଥିପାଇଁ ଏବେ ପିଲାଙ୍କ ମଧ୍ୟାହ୍ନଭୋଜନ ଥାଳିରୁ ଧୀରେ ଧୀରେ ଅଣ୍ଡା ଉଭାନ ହେବାରେ ଲାଗିଛି। କେତେକ ବିଦ୍ୟାଳୟରେ ସପ୍ତାହକୁ ଦୁଇ ଦିନ ବଦଳରେ ଗୋଟିଏ ଦିନ ଅଣ୍ଡା ଖାଇବାକୁ ଦିଆଯାଉଛି। ତ’ ଆଉ କେତେକ ସ୍ଥାନରେ ଶିକ୍ଷକମାନେ ନିଜ ପକେଟ୍‌ରୁ ପିଲାଙ୍କ ମଧ୍ୟହ୍ନଭୋଜନ ଖର୍ଚ୍ଚ ବହନ କରୁଛନ୍ତି।

ସପ୍ତାହର ଦୁଇ ଦିନ ଅର୍ଥାତ୍‌ ବୁଧବାର ଏବଂ ଶନିବାର ଛାତ୍ରଛାତ୍ରୀଙ୍କୁ ଭାତ ଓ ଅଣ୍ଡା ତରକାରୀ ଖାଇବା ଦେବାକୁ ନିୟମ ହୋଇଛି। ସୋମବାର ଓ ଗୁରୁବାର ଭାତ, ଡାଲମା, ମଙ୍ଗଳବାର ଓ ଶୁକ୍ରବାର ଭାତ, ସୋୟାବିନ୍‌ ତରକାରୀ ପିଲାଙ୍କୁ ଦିଆଯିବ। ଏଥିପାଇଁ ପିଲାଙ୍କ ପିଛା ମାଗଣା ଚାଉଳ ଯୋଗାଣ ହେଉଥିବା ବେଳେ ଅନ୍ୟ ସାମଗ୍ରୀ କିଣିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥ ଦିଆଯାଉଛି। ଏବାବଦରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ଲାଗି ୪ ଟଙ୍କା ୫୮ ପଇସା ଏବଂ ୬ଷ୍ଠରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପିିଛା ୬ ଟଙ୍କା ୮୩ ପଇସା ମିଳୁଛି। ସେହି ଅନୁଯାୟୀ ମଧ୍ୟାହ୍ନଭୋଜନରେ ପ୍ରତି ପିଲା ପିଛା ୬୦ ଗ୍ରାମର ପରିବା, ୨୫ ଗ୍ରାମ ଡାଲି, ୧୨ ଗ୍ରାମ ସୋୟାବିନ୍‌ ଦେବାକୁ କଡ଼ା ନିର୍ଦେଶ ରହିଛି। ଏହି ସବୁ ସାମଗ୍ର୍ରୀ ସହ ତେଲ, ଲୁଣ, ଜାଳେଣି ଆଦି ବି କିଣାଯାଉଛି। ଏତେ କମ୍‌ ଟଙ୍କାରେ ପିଲାଙ୍କୁ ମଧ୍ୟାହ୍ନଭୋଜନ ଯୋଗାଇ ଦେବା ସମ୍ଭବପର ନୁହେଁ ବୋଲି ପ୍ରଧାନଶିକ୍ଷକମାନେ ମତପ୍ର୍ରକାଶ କରିଛନ୍ତି। ଯେଉଁ କେତେକ ବିଦ୍ୟାଳୟ ପରିଚାଳନା କମିଟି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟାହ୍ନଭୋଜନ ଦାୟିତ୍ୱ ବୁଝୁଛନ୍ତି ସେମାନେ ବି ଚିନ୍ତାରେ ପଡ଼ିଛନ୍ତି।

ଜଗତ୍‌ସିଂହପୁର ଜିଲ୍ଲାର ଏକ ପ୍ରାଥମିକ ବିିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ କହିବାନୁଯାୟୀ, ପିଲାଙ୍କ ପିଛା ଯେତିକି ଟଙ୍କା ମିଳୁଛି ତାହାର ଦୁଇ ଗୁଣ ଖର୍ଚ୍ଚ ହେଉଛି। ଅଣ୍ଡା ଗୋଟା ୫ ଟଙ୍କା ଲେଖାଏ ଥିବା ବେଳେ ପିଲା ପିଛା ୬ରୁ ୭ ଟଙ୍କା ଭିତରେ ଖର୍ଚ୍ଚର୍ ହେଉଥିଲା। ଏବେ ଅଣ୍ଡା ଦର ୭ ଟଙ୍କା ଝୁଇଁଛି। ଦୁଇ ସପ୍ତାହ ହେଲା ପରିବା ଦର ବି ଆକାଶଛୁଆଁ। ଯେଉଁଥିପାଇଁ ପିଲା ପିଛା ୯ରୁ ୧୦ ଟଙ୍କା ଖର୍ଚ୍ଚ ହେଉଛି। ଏହାଦ୍ୱାରା ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପକେଟ୍‌ରୁ ଅର୍ଥ ଦେବାକୁ ପଡ଼ୁଛି। ଦିନେ ଯଦି ମଧ୍ୟାହ୍ନଭୋଜନ ବନ୍ଦ ହେବ ତେବେ କାର୍ଯ୍ୟାନୁଷ୍ଠାନ ଚିନ୍ତା ମଧ୍ୟ ରହିଛି। ଏନେଇ ଉପରିସ୍ତ ଅଧିକାରୀଙ୍କୁ ବି ଜଣାଇଛୁ।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ କାର୍ଯ୍ୟରତ ଜଣେ ଶିକ୍ଷକଙ୍କ କହିବାନୁଯାୟୀ, ଅଣ୍ଡା ଗୋଟା ଖୁଚୁରାରେ ୭ ଟଙ୍କା ଲେଖାଏ ବିକ୍ରି ହେଉଛି। ଆମେ ଅଧିକ ଆଣୁଥିବାରୁ ଦର ୮୦ ପଇସା କମ୍‌ ରହୁଛି। ତଥାପି ପିଲାଙ୍କ ପିଛା ଯେତିକି ଟଙ୍କା ମିଳୁଛି ସେଥିରେ ମଧ୍ୟାହ୍ନଭୋଜନରେ ସବୁ ଜିନିଷ ଯୋଗାଇଦେବା ସମ୍ଭବ ନୁହେଁ। ମଧ୍ୟାହ୍ନଭୋଜନ ପରିଚାଳନା ଏବେ କଡ଼ାକଡ଼ି ହୋଇଥିବାରୁ ଅଧିକ ପିଲା ଦେଖାଇ ଅର୍ଥ ଆଣିବା ବି ସମ୍ଭବପର ହେଉ ନାହିଁ। ତେଣୁ ଆମେ ଏବେ ଚିନ୍ତା କରୁଛୁ ଦୁଇ ଦିନ ବଦଳରେ ସପ୍ତାହରେ ଗୋଟିଏ ଦିନ ଅଣ୍ଡା ଦେବୁ।

ଗତ ୧୩ ଏବଂ ୧୪ ତାରିଖରେ ହୋଟେଲ ମାରିଅନ୍‌ରେ ଅନୁଷ୍ଠିତ ମଧ୍ୟାହ୍ନଭୋଜନ ପରିଚାଳନା ସମ୍ପର୍କିତ ଜାତୀୟ କର୍ମଶାଳାରେ ମଧ୍ୟାହ୍ନଭୋଜନ ଅର୍ଥ ବଢ଼ାଇବାକୁ ବିଭାଗୀୟ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ନିର୍ଦେଶକ (ମଧ୍ୟାହ୍ନଭୋଜନ) ବିଜୟ ଭାସ୍କର ଗୁରାଲଙ୍କୁ ପ୍ରସ୍ତାବ ଦେଇଥିଲେ। ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ମଧ୍ୟାହ୍ନଭୋଜନ ଦର ବଢ଼ାଇବା ଲାଗି ରାଜ୍ୟର କେତେକ ସ୍ଥାନରୁ ଅଭିଯୋଗ ଆସିଛି। ବିଚାର କରାଯିବା ପରେ ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର