କେନ୍ଦ୍ରାପଡ଼ା ମହାନଦୀ ଡଙ୍ଗା ବୁଡ଼ି ଘଟଣା: ଶୋକାକୁଳ ପରିବେଶରେ ଜଳିଲା ୮ ଜୁଇ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ହୁକିଟୋଲାରୁ ପିକ୍‌ନିକ୍‌ରୁ ଫେରୁଥିବା ବେଳେ ଡଙ୍ଗାବୁଡ଼ି ଘଟଣାରେ ପ୍ରାଣ ହରାଇଥିବା ୮ ଜଣଙ୍କ ଶବ ସଂସ୍କାର ହୋଇଛି। କୁଜଙ୍ଗ ଅଂଚଳର ହସିଣା ଗାଁରେ ହଜାର ହଜାର ସଂପର୍କୀୟଙ୍କ ଉପସ୍ଥିତିରେ ଗୁରୁବାର ୮ ଜଣଙ୍କ ଶବ ଏକକାଳୀନ ସଂସ୍କାର କରାଯାଇଥିବା ବେଳେ ଅନ୍ୟ ମୃତକ ଶିଶୁକନ୍ୟାଙ୍କ ଶବକୁ ସଂସ୍କାର ପାଇଁ ପରିବାର ଲୋକଙ୍କ ଦ୍ୱାରା ଗଣ୍ଡକିପୁର ନିଆଯାଇଥିଲା। ଶବ ସଂସ୍କାର ବେଳେ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ଗାଁ ମଶାଣୀରେ ଜୁଇ ଜଳୁଥିବା ବେଳେ କାହାରି ମୁହଁରୁ କଥା ବାହାରୁ ନଥିଲା। ମୋଟାମୋଟି ଭାବରେ କହିବାକୁ ଗଲେ ସମଗ୍ର ଅଂଚଳ ସ୍ତବ୍ଧ ପାଲଟି ଯାଇଥିଲା।

କୁଜଙ୍ଗ ନିକଟରୁ ହସିଣା ଗ୍ରାମର ୮ଟି ପରିବାରର ଲୋକ ବଣଭୋଜି କରିବାକୁ ମହାକାଳପଡ଼ା ବ୍ଲକର ହୁକିଟୋଲାକୁ ଯାଇଥିଲେ। ସେମାନେ ଫେରୁଥିବା ବେଳେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଗଭୀର ଜଳରେ ବୁଡ଼ି ୧୦ ଜଣ ନିଖୋଜ ହୋଇଯାଇଥିଲେ। ଅନ୍ଧାର ରାତିରେ ସ୍ଥାନୀୟ ଲୋକେ ଖୋଜାଖୋଜି କରି ୮ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ। ଯେଉଁଠାରେ ଡଙ୍ଗାବୁଡ଼ିଥିଲା, ସେଠାରେ କୁମ୍ଭୀର ଚଳପ୍ରଚଳ ହେଉଥିବାରୁ ଉଦ୍ଧାର କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ତେବେ ଆଜି ସକାଳୁ ଆଉ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଅଜୟ ସ୍ୱାଇଁଙ୍କ ପତ୍ନୀ ପ୍ରଭାତି ସ୍ୱାଇଁ(୩୬ ବର୍ଷ), ନରହରି ତରାଇଙ୍କ ପତ୍ନୀ ଅନୁପମା ତରାଇ(୩୦ ବର୍ଷ), ନରହରିଙ୍କ ପୁଅ ସାଇ ତରାଇ (୪ ବର୍ଷ), ପବିତ୍ର ସାହୁଙ୍କ ପୁଅ ଦେବାଶିଷ ସାହୁ, ସଚିତ୍ର ପାଣିଙ୍କ ଝିଅ ଦେବସ୍ମିତା ପାଣି(୬ ବର୍ଷ), ମଣ୍ଟୁ ସାହୁଙ୍କ ଝିଅ ରୋଜି ସାହୁ(୧୪ ବର୍ଷ) ଓ ପୁଅ ଧୁନା ସାହୁ(୧୦ ବର୍ଷ), ନିଭୟ ସ୍ୱାଇଁଙ୍କ ଝିଅ ସୁଶ୍ରୀ ପଲ୍ଲବୀ ସ୍ୱାଇଁ( ୫ ବର୍ଷ)ଙ୍କ ଶବ ସଂସ୍କାର  କରାଯାଇଛି।

ସମ୍ବନ୍ଧିତ ଖବର