ତେଲେଙ୍ଗାନାରେ ଏନ୍‌କାଉଣ୍ଟର : ୮ ମାଓବାଦୀ ନିହତ

ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓ ସାମଗ୍ରୀ ଜବତ

ମାଲକାନଗିରି : ସୀମାନ୍ତ ତେଲେଙ୍ଗାନା ରାଜ୍ୟର ଭଦ୍ରାଦି କୋଥାଗୁଡେମ୍‌ ଜିଲ୍ଲାରେ ଆଜି ଏନ୍‌କାଉଣ୍ଟର ହୋଇଛି। ଜିଲ୍ଲାର ଇଲେଣ୍ଡୁ ବ୍ଲକର ବେଥାପୁଡୁ ଗ୍ରାମ ନିକଟସ୍ଥ ମେମାଲଡୁଗୁ ଜଂଗଲରେ ନକ୍ସଲ ଏବଂ ପୁଲିସ ମଧ୍ୟରେ ଗୁଳି ବିନିମୟ ଘଟି ୮ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ପୁଲିସ ଘଟଣାସ୍ଥଳରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ସହ ୮ ନକ୍ସଲଙ୍କ ଶବ ଉଦ୍ଧାର କରିଛି। ମୃତ ନକ୍ସଲଙ୍କ ମଧ୍ୟରୁ ୪ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ ମୁନୁଗୁରୁ-କୋଥାଗୁଡେମ୍‌ ଏରିଆ କମିଟି ସଂପାଦକ ଭେଟି କୁମାର ଓରଫ ରାକ୍ଷୀ, ଏରିଆ କମାଣ୍ଡର ଇସାମ୍‌ ନରେଶ ଓରଫ ସୁଦର୍ଶନ, ଆଜାଦ୍‌ ଏବଂ ମଧୁ। ଅନ୍ୟମାନଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ମେମାଲଡୁଗୁ ଜଂଗଲରେ କିଛି ନକ୍ସଲ ଏକାଠି ହୋଇ ବଡ ଧରଣର ଅଘଟଣ ଘଟାଇବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ସଂପର୍କରେ ଖବର ପାଇ ପୁଲିସ ଏବଂ ସୁରକ୍ଷା ବଳ ଏହି ଅଞ୍ଚଳରେ କମ୍ବିଂ ଚଳାଇଥିଲେ। ଆଜି ସକାଳୁ ନକ୍ସଲ ଏବଂ ପୁଲିସ ମୁହାଁମୁହିଁ ହୋଇଥିଲେ। ପ୍ରାୟ ୩୦ ମିନିଟର ଗୁଳି ବିନିମୟରେ ବହୁ ସାଥୀ ମୃତାହତ ହେବାରୁ ନକ୍ସଲ ସ୍ଥାନ ଛାଡ଼ି ପଳାଇଥିଲେ। ପରେ ପୁଲିସର ସର୍ଚ ଅପରେସନ୍‌ ବେଳେ ୮ଜଣ ନକ୍ସଲଙ୍କ ଶବ ମିଳିଥିଲା। ଏହି ଘଟଣାରେ ଆହୁରି ଅନେକ ନକ୍ସଲ ଆହତ ହୋଇଥିବା ପୁଲିସ ଅନୁମାନ କରୁଛି। ଘଟଣାସ୍ଥଳରୁ ପୁଲିସ ୨ଟି ଏସ୍‌ଏଲ୍‌ଆର୍‌, ୧୨ ବୋର ବନ୍ଧୁକ, ୨ଟି ୮ ଏମ୍‌ଏମ୍‌ ପିସ୍ତଲ, ୨ଟି ୧୨ ଏମ୍‌ଏମ୍‌ ପିସ୍ତଲ ସମେତ ବହୁ ପରିମାଣରେ ବିସ୍ଫୋରକ ଜବତ କରିଛି।ଏଥିସହ ଦୈନନ୍ଦିନ ସାମଗ୍ରୀ ମଧ୍ୟ ଜବତ କରାଯାଇଥିବା ପୋଲିସ କହିଛି। ବର୍ତ୍ତମାନ ମଧ୍ୟ ଏହି ଅଂଚଳରେ ଜୋରଦାର କମ୍ବିଂ କରାଯାଉଥିବା ଜଣାପଡିଛି।

ମୃତ୍ୟୁବରଣ କରିଥିବା ସମସ୍ତ ନକ୍ସଲ ନୂତନ ଭାବେ ଗଠିତ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ସିପି-ବାଟା)ର ସଦସ୍ୟ ଥିଲେ। ଗତ କିଛି ବର୍ଷ ତଳେ ପିଏଲଜିଏରୁ ଅଲଗା ହୋଇ ଏହି ସିପି ଗ୍ରୁପ ସୃଷ୍ଟି ହୋଇଥିଲା। ଠିକାଦାର, ବ୍ୟବସାୟୀ ଏବଂ ଶିଳ୍ପପତିଙ୍କ ଠାରୁ ଅର୍ଥ ଲୁଟି ଗରିବଙ୍କୁ ନ୍ୟାୟ ଦେବା ଲକ୍ଷ୍ୟ ନେଇ ଏହି ସଂଗଠନ ଆରମ୍ଭ ହୋଇଥିଲା। ସିପି ସଂଗଠନକୁ ଆଗ ଧାଡ଼ିର ମାଓ ନେତା ଚନ୍ଦ୍ରପୁଲ୍ଲା ରେଡ୍ଡି ତିଆରି କରିଥିଲେ। ପିଏଲଜିଏରେ ହେଉଥିବା ଅନ୍ୟାୟକୁ ସହି ନପାରି ସେ ଅଲଗା ହୋଇ ଏହି ଗ୍ରୁପ ତିଆରି କରିଥିଲେ। ବିଶେଷ କରି ଏହି ଗ୍ରୁପ ତେଲେଙ୍ଗାନାରେ ହିଁ କାମ କରୁଥିଲା। ପିଏଲଜିଏ ଏବଂ ସିପି ମଧ୍ୟରେ ବିବାଦ ଲାଗି ରହିଥିଲା। ତେଣୁ ଏହି ଏନ୍‌କାଉଣ୍ଟର ପଛରେ ପିଏଲଜିଏର ହାତ ଥାଇପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର