ମଧ୍ୟାହ୍ନ ଭୋଜନରେ ଝିଟିପିଟି : ୮୦ ଛାତ୍ରଛାତ୍ରୀ ଗୁରୁତର

ଇନ୍ଦ୍ରଗୋବିନ୍ଦ ନୋଡାଲ ସ୍କୁଲରେ ଅଘଟଣ

ସହକାରୀ ଶିକ୍ଷକ ନିଲମ୍ବିତ

ଧାମନଗର : ଧାମନଗର ବ୍ଲକ ଦଇପୁର ପଞ୍ଚାୟତ ଅନ୍ତର୍ଗତ ନାରାୟଣପୁର ଇନ୍ଦ୍ରଗୋବିନ୍ଦ ନୋଡାଲ ସ୍କୁଲରେ ଆଜି ଅଘଟଣ ଘଟିଛି। ଝିଟିପିଟି ପଡିଥିବା ମଧ୍ୟାହ୍ନ ଭୋଜନ ଖାଦ୍ୟ ଖାଇ ୮୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ଧାମନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ୪ ଜଣଙ୍କୁ ଭଦ୍ରକ ସ୍ଥାନାନ୍ତର କରାଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ମଧ୍ୟାହ୍ନ ଭୋଜନ ଦାୟିତ୍ୱରେଥିବା ସହକାରୀ ଶିକ୍ଷକ ଅନିରୁଦ୍ଧ ଦାସଙ୍କୁ ଜିଲ୍ଲାପାଳ ନିଲମ୍ବନ କରିଛନ୍ତି। ଖବର ପାଇ ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ, ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସ, ସିଡିଏମ୍‌ଓ ଗୀତାଞ୍ଜଳି ପଟ୍ଟନାୟକ, ଧାମନଗର ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ବିଡିଓ ନରହରି ବେହେରା ଓ ତହସିଲଦାର ଚାର୍ଲସ ନାୟକ ପ୍ରମୁଖ ଅସୁସ୍ଥ ଛାତ୍ରଛାତ୍ରୀଙ୍କ ଭେଟି ସେମାନଙ୍କ ଚିକିତ୍ସା ତ୍ୱରାନ୍ଵିତ କରିବାକୁ ପଦକ୍ଷେପ ନେଇଛନ୍ତି।

 

ସୂଚନା ମୁତାବକ, ଆଜି ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ଭାତ ଓ ଡାଲମା ଦିଆଯାଇଥିଲା। ୮୦ରୁ ଊର୍ଦ୍ଧ୍ୱ ପିଲା ଏହା ଖାଇଥିଲେ। ଶେଷ ବେଳକୁ ଡାଲମା ହାଣ୍ଡିରୁ ଏକ ମଲା ଝିଟିପିଟି ବାହାରିଥିଲା। ତତ୍‌କ୍ଷଣାତ୍‌ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଶିକ୍ଷକ ପିଲାଙ୍କୁ ଖାଇବାକୁ ବାରଣ କରି ବିସ୍କୁଟ ଦେଇଥିଲେ। ହେଲେ ସେତେବେଳକୁ ଅଧିକାଂଶ ପିଲା ଅଧାରୁ ଅଧିକ ଖାଦ୍ୟ ଖାଇ ସାରିଥିଲେ। ପ୍ରାୟ ଅଧଘଣ୍ଟା ପରେ ସ୍କୁଲ ଛୁଟିକରି ଦିଆ ଯାଇଥିଲା। ଘରକୁ ଯିବା ବାଟରେ ୨ଜଣ ଛାତ୍ର ବାନ୍ତି କରିଥିଲେ। ସଙ୍ଗେ ସଙ୍ଗେ ଶିକ୍ଷକଙ୍କୁ ଖବର ଦିଆଯାଇଥିଲା। ଏହାପରେ ଜଣକ ପରେ ଜଣେ ଅସୁସ୍ଥ ହୋଇପଡ଼ିଲେ। ପୀଡ଼ିତ ପିଲାଙ୍କୁ ସଙ୍ଗେସଙ୍ଗେ ଡାକ୍ତରଖାନା ନିଆଯାଇଥିଲା।

ଅସୁସ୍ଥଙ୍କ ମଧ୍ୟରୁ ଶୁଭଶ୍ରୀ ପାଗଳ, ଇପ୍‌ସିତା ନାଥ, ଅମିତ ଦାସ ଓ ରାଜଲକ୍ଷ୍ମୀ ସାହୁଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭଦ୍ରକ ପଠାଯାଇଛି। ଅନ୍ୟମାନଙ୍କୁ ଧାମନଗରରେ ଚିକିତ୍ସା କରାଯାଉଛି। ସ୍କୁଲରେ ଆଜି ୨୧୧ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରୁ ୮୦ ଜଣ ଏହି ଖାଦ୍ୟ ଖାଇଥିଲେ। ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ପରେ ଜଣେ ଶିକ୍ଷକ, ରୋଷେୟା ଓ ପରିଚାଳନା କମିଟିର ଜଣେ ସଦସ୍ୟ ପ୍ରଥମେ ଖାଇବା କଥା। ହେଲେ ଆଜି ଏପରି ହୋଇଛି କି ନାହିଁ ଜଣାପଡ଼ି ନାହିଁ।

ସମ୍ବନ୍ଧିତ ଖବର