ଏକାମ୍ର ନିର୍ବାଚନମଣ୍ଡଳୀ : ଚର୍ଚ୍ଚାରେ ବିଜେପିରେ ଅନ୍ତର୍ଦ୍ବନ୍ଦ୍ବ, ଜମିବ ତ୍ରିମୁଖୀ ଲଢ଼େଇ

ଭୁବନେଶ୍ବର, (ଚୌଧୁରୀ ଅମିତାଭ ଦାସ): ଏକାମ୍ର ନିର୍ବାଚନମଣ୍ଡଳୀ ଗଠନ ହେବା ପର ଠାରୁ ଲଗାତର ଦୁଇଟି ନିର୍ବାଚନରେ ବିଜେଡି ପ୍ରାର୍ଥୀ ବଦଳାଇନି। ଦୁଇ ଥର ଯାକ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ବଦଳାଇଛନ୍ତି। କିନ୍ତୁ ବହୁ ଭୋଟ୍‌ ବ୍ୟବଧାନରେ ବିଜେଡିର ହିଁ ଜିତାପଟ ହୋଇଛି।

୨୦୧୪ ନିର୍ବାଚନରେ ଏଠାରେ ୨୦ ଜଣ ପ୍ରା‌ର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ବିଜେଡି ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ଅମୀୟ ଦାଶଙ୍କୁ ୩୬ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରିଥିଲେ। କଂଗ୍ରେସ ପ୍ରାର୍ଥୀ ଶିବାନନ୍ଦ ରାୟ ତୃତୀୟ ସ୍ଥାନରେ ଥିଲେ। ୨୦୦୯ରେ ମଧ୍ୟ ଏଠାରେ ବିଜେଡି ପ୍ରାର୍ଥୀ ଶ୍ରୀ ପଣ୍ଡା ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସର ପ୍ରତାପ ଜେନାଙ୍କୁ ପରାସ୍ତ କରିଥିଲେ। ସେହିଥର ବିଜେପି ପ୍ରାର୍ଥୀ ସମୀର ମହାନ୍ତି ତୃତୀୟ ସ୍ଥାନରେ ଥିଲେ। ଘଟଣାକ୍ରମେ ପ୍ରତାପ ଜେନା ଏବେ ବିଜେଡିରେ ମିଶିଯାଇଛନ୍ତି। ଶ୍ରୀ ମହାନ୍ତି ବିଜେପିର ରାଜ୍ୟ ରାଜନୀତିରେ ସକ୍ରିୟ ଥିଲେ ବି ଏକାମ୍ରରେ ପ୍ରାର୍ଥୀ ହେବାକୁ ଆଉ ଆଗ୍ରହୀ ନାହାନ୍ତି।

ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ବିଜେଡି ତୃତୀୟ ଥର ପାଇଁ ପ୍ରାର୍ଥୀ କରିବା ଏକ ପ୍ରକାର ଚୂଡ଼ାନ୍ତ ବୋଲି କୁହାଯାଉଛି। ଏଠାରେ ବିଜେଡି ଟିକେଟ୍ ପାଇଁ ଆଉ ଜଣେ ପ୍ରମୁଖ ଦାବିଦାର ଥିଲେ ବିଜେଡି ଭୁବନେଶ୍ବର ଜିଲ୍ଲାର ପୂର୍ବତନ କାର୍ଯ୍ୟକାରୀ ସଭାପତି ବାବୁ ସିଂହ। ଗତ କିଛି ମାସ ହେଲା ସେ ଏକାମ୍ରରେ ବିଭିନ୍ନ ସ୍ଥାନରେ ସଭାସମିତି କରି ନିଜର ସାଂଗଠନିକ ଦକ୍ଷତା ପ୍ରଦର୍ଶନ କରିବାକୁ ବେଶ୍ କସରତ କରିଥିଲେ। ବିଜେଡିର ଏକ ଶକ୍ତିଶାଳୀ ଗୋଷ୍ଠୀର ସମର୍ଥନ ମଧ୍ୟ ତାଙ୍କ ପଛରେ ଥିଲା। କିନ୍ତୁ ନିର୍ବାଚନ ପାଖେଇ ଆସୁଥିଲା ବେଳେ ବିଜେଡିରୁ ପ୍ରାର୍ଥୀ ହେବା ନେଇ ଶ୍ରୀ ସିଂହଙ୍କୁ କୌଣସି ପ୍ରକାର ସବୁଜ ସଙ୍କେତ ମିଳିଲା ନାହିଁ। ଯେଉଁ ଗୋଷ୍ଠୀ ତାଙ୍କୁ ସମର୍ଥନ କରୁଥିଲେ, ସେମାନେ ମଧ୍ୟ ହାତ ଟେକି‌େଦଲେ। ଭବିଷ୍ୟତରେ ଅନ୍ୟ ପଦପଦବି ଏପରିକି ଭୁବନେଶ୍ବର ମେୟର ହେବା ନେଇ ତାଙ୍କୁ ପ୍ରତିଶ୍ରୁତି ଦେଲେ ମଧ୍ୟ ସେ ଭରସା କରିପାରିଲେ ନାହିଁ। ଶ୍ରୀ ସିଂହ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଲେ। ଏପଟେ ଶ୍ରୀ ପଣ୍ଡାଙ୍କ ବାଦ୍ ଅନ୍ୟ କେହି ପ୍ରମୁଖ ଦାବିଦାର ବି ଏକାମ୍ରରେ ବାହାରି ନାହାନ୍ତି।

ଅପରପକ୍ଷରେ ବାବୁ ସିଂହଙ୍କ ଯୋଗଦାନ ପରେ ବିଜେପି ରାଜନୀତି ରୋଚକ ସ୍ଥିତିକୁ ଆସିଯାଇଛି। ଦୁଇ ଦିନ ତଳେ ନିଜର ଶତାଧିକ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇ ନିଜର ପତିଆରା ପ୍ରଦର୍ଶନ କରିବାକୁ ଉଦ୍ୟମ କରିଥିଲେ ଶ୍ରୀ ସିଂହ। ତେବେ ଏକାମ୍ରରେ ଗତଥରର ପ୍ରାର୍ଥୀ ଅମୀୟ ଦାଶ ପୁନର୍ବାର ପ୍ରାର୍ଥୀ ହେବା ନେଇ ବିଜେପି ପକ୍ଷରୁ ପରୋକ୍ଷରେ ବାର୍ତ୍ତା ଦିଆଯାଇସାରିଥିଲା। ଶ୍ରୀ ଦାଶ ମଧ୍ୟ ଗତ କିଛି ମାସ ହେଲା ତାଙ୍କ ପ୍ରଚାର ଅଭିଯାନ ଜୋର୍‌ଦାର୍ କରିସାରିଥିଲେ। କିନ୍ତୁ ଶ୍ରୀ ସିଂହଙ୍କୁ ଏକାମ୍ରରେ ପ୍ରାର୍ଥୀ କରାଯିବା ସର୍ତ୍ତରେ ତାଙ୍କୁ ବିଜେପିରେ ମିଶାଯାଇଛି ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି। ଫଳରେ ଏଠାରେ ବିବାଦର ସୂତ୍ରପାତ ହୋଇଛି। ଯଦିଓ ଶ୍ରୀ ସିଂହଙ୍କ ମିଶ୍ରଣ ବେଳେ ଶ୍ରୀ ଦାଶ ଉପସ୍ଥିତ ଥିଲେ, ତେବେ ପ୍ରାର୍ଥିତ୍ବକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଯଦି ଶ୍ରୀ ସିଂହଙ୍କୁ ଦଳ ପ୍ରାର୍ଥୀ କରେ, ତେବେ ଶ୍ରୀ ଦାଶଙ୍କୁ କିପରି ମ୍ୟାନେଜ୍ କରାଯିବା ଉପରେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ପୁଣି ଶ୍ରୀ ସିଂହ ପୁରୁଣା ବିଜେପି କର୍ମୀମାନଙ୍କୁ କିପରି ନିଜ ପକ୍ଷକୁ ଆଣି ମନାଇପାରୁଛନ୍ତି, ତାହା ବି ଅ‌ାଲୋଚନାର ବିଷୟ ହୋଇଛି। ପ୍ରାର୍ଥୀଙ୍କୁ ନେଇ ଦ୍ବନ୍ଦ୍ବ ଥିବାରୁ ବିଜେପିର ନିର୍ବାଚନୀ ପ୍ରସ୍ତୁତି ଧିମା ପଡ଼ିଯାଇଛି।

ଭୁବନେଶ୍ବର ଜିଲ୍ଲା ମହିଳା କଂଗ୍ରେସ ସଭା‌େନତ୍ରୀ ରଶ୍ମି ମହାପାତ୍ର କଂଗ୍ରେସ ଟିକେଟ୍‌ ପାଇଁ ପ୍ରମୁଖ ଦାବିଦାର ଅଛନ୍ତି। ତାଙ୍କ ନେତୃତ୍ବରେ କଂଗ୍ରେସର ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମ ଜାରି ରହିଛି। ଗତ ଦୁଇଟି ନିର୍ବାଚନରେ ଶ୍ରୀମତୀ ମହାପାତ୍ର ସ୍ବାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲେ ବି ସେପରି ଆଖିଦୃଶିଆ ସଫଳତା ପାଇ ନ ଥିଲେ। କିନ୍ତୁ ଜଣେ ଟାଣୁଆ ସଂଗଠକ ଭାବେ ତାଙ୍କର ବେଶ୍‌ ପରିଚୟ ରହିଛି। ଏଥର କଂଗ୍ରେସ ପ୍ରାର୍ଥୀ ଭାବେ ସେ ବିଜେଡି ଓ ବିଜେପିକୁ ସେ କଡ଼ା ଟକ୍କର ଦେବେ ବୋଲି କୁହାଯାଉଛି। ତେବେ ଗତ ଥରର ପ୍ରାର୍ଥୀ ଶିବାନନ୍ଦ ରାୟ ମଧ୍ୟ କଂଗ୍ରେସ ରାଜନୀତିରେ ସକ୍ରିୟ ଥିବାରୁ ତାଙ୍କ ପ୍ରାର୍ଥିତ୍ବ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି।

ସମ୍ବନ୍ଧିତ ଖବର