ଶୌଚ ସାରି ଫେରୁଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଲେ ମହିଳା, ଡାକ୍ତରଖାନାରେ ମୃତ୍ୟୁ

ଦେବଗଡ଼: ଦେବଗଡ଼ ଜିଲ୍ଲାର ବାରକୋଟ ବନାଞ୍ଚଳରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ଖବର ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ସକାଳେ ବାରକୋଟ ବ୍ଲକ୍ ଅନ୍ତର୍ଗତ ବଡ଼କୁଦର ଗ୍ରାମର ରମ୍ଭା ନାୟକ ନାମକ ଜଣେ ବିବାହିତା ମହିଳା ଶୌଚ ଲାଗି ନିକଟସ୍ଥ ପଡ଼ିଆକୁ ଯାଇଥିଲେ। ସେ ଶୌଚ ସାରି ଫେରିବା ବେଳେ ପାଖାପାଖି ୭ଟା ସମୟରେ ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଏହାପରେ ରମ୍ଭା ଚିତ୍କାର କରିଥିଲେ।

ତାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ହେଲେ ସେତେବେଳକୁ ହାତୀଟି କେଉଁଆଡେ ଚାଲିଯାଇଥିଲା। ଗୁରୁତର ଆହତ ହୋଇଥିବା ରମ୍ଭା ନାୟକଙ୍କୁ ତତକ୍ଷଣାତ୍ ବାରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

image source–indiatoday

ରମ୍ଭା ହେଉଛନ୍ତି ବଡ଼କୁଦର ଗ୍ରାମର କୁବେର ନାୟକଙ୍କ ପତ୍ନୀ। ତାଙ୍କର ବୟସ ୪୦ ବର୍ଷ ବୋଲି ଜଣାଯାଇଛି। ଖବର ପାଇ ବାରକୋଟ ବନାଞ୍ଚଳର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ବାରକୋଟ ଅଞ୍ଚଳରେ ହାତୀ ଆକ୍ରମଣରେ କାହାରି ମୃତ୍ୟୁ ହେବା, ଏ ବର୍ଷର ଏହା ଦେବଗଡ଼ ଜିଲ୍ଲାର ପ୍ରଥମ ଘଟଣା ବୋଲି ମଧ୍ୟ କୁହାଯାଉଛି।

ସମ୍ବନ୍ଧିତ ଖବର