ବୃଦ୍ଧ ଦମ୍ପତିଙ୍କ ହତ୍ୟାକାଣ୍ଡ : ପ୍ରତିଶୋଧ ନେଲେ ବ୍ରହ୍ମପୁରର ୪ ଦୁର୍ବୃତ୍ତ!

କଟକ : ମଧୁପାଟଣା ବେଲେଶ୍ବର ଅଞ୍ଚଳରେ ବୃଦ୍ଧ ଦମ୍ପତିଙ୍କୁ ବୀଭତ୍ସ ହତ୍ୟା ପଛର ମୁଖ୍ୟ କାରଣ ଲୁଟ୍‌ ନୁହେ, ବରଂ ପ୍ରତିଶୋଧରୁ ଏପରି କରାଯାଇଥିବା ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ବ୍ରହ୍ମପୁର ଅଞ୍ଚଳର ପ୍ରାୟ ୪ଜଣ ଦୁର୍ବୃତ୍ତ ଏହି ହତ୍ୟାକାଣ୍ତ ଘଟାଇଥିବା ନେଇ ଚାଞ୍ଚଲ୍ୟକର ତଥ୍ୟ ପୁଲିସର ହସ୍ତଗତ ହୋଇଛି। ମୃତ ଶ୍ରୀନାଥ ସାମଲଙ୍କ ଘରେ ଗତ ଦୁଇମାସ ହେଲା ଭଡ଼ାରେ ରହି ଆସୁଥିବା ଜଣେ ରାଜମିସ୍ତ୍ରି ବିଭିନ୍ନ ସମୟରେ ବ୍ରହ୍ମପୁର ଅଞ୍ଚଳର ଏକାଧିକ ଯୁବକଙ୍କୁ ଉକ୍ତ ଘରେ ରହିବାର ସୁଯୋଗ ଦେଉଥିଲେ। ରାଜମିସ୍ତ୍ରିଙ୍କ ଏଭଳି କାର୍ଯ୍ୟକୁ ବାରମ୍ବାର ଶ୍ରୀନାଥ ଓ ତାଙ୍କ ସ୍ତ୍ରୀ ବିଦ୍ୟୁଲତା ବିରୋଧ କରୁଥିଲେ। କିନ୍ତୁ ରାଜମିସ୍ତ୍ରି ସେମାନଙ୍କ କଥାକୁ ଅଣଦେଖା କରିବାରୁ ବାଧ୍ୟହୋଇ ୧୦ଦିନ ତଳେ ଶ୍ରୀନାଥ ରାଜମିସ୍ତ୍ରିଙ୍କୁ ଘରୁ ବାହାର କରିଦେଇଥିଲେ। ଏହି ଘଟଣାକୁ କେନ୍ଦ୍ର କରି ହତ୍ୟାକାଣ୍ତର ସୂତ୍ରପାତ ହୋଇଥିବା ଆଶଙ୍କା କରାଯାଉଛି। ବୃଦ୍ଧ ଦମ୍ପତିଙ୍କ ହତ୍ୟା ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ବଡ଼ ମେଡିକାଲ୍‌ରେ ଶବ ବ୍ୟବଚ୍ଛେଦ କରାଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଲିଙ୍କ୍‌ରୋଡସ୍ଥିତ ଶ୍ରମିକ ଭବନ ଏଫ୍‌ସିଆଇ(ଫୁଡ୍‌ କର୍ପୋରେସନ୍‌ ଅଫ୍‌ ଇଣ୍ତିଆ) କାର୍ଯ୍ୟାଳୟରେ ଗ୍ରେଡ-୧ ଅଧିକାରୀ ଭାବେ ଚାକିରି କରିଥିଲେ ଯାଜପୁର ବରୀ ବ୍ଲକ ମନ୍ଦାରୀ ପଞ୍ଚାୟତ ମେଦୁଆକୁଳର ଶ୍ରୀନାଥ ସାମଲ। କଟକରେ ସେ ନିଜ ପରିବାର ସହିତ ଦୀର୍ଘ ୪୦ ବର୍ଷ ହେବ ରହି ଆସୁଥିବା ବେଳେ ୧୦ବର୍ଷ ତଳେ ବେଲେଶ୍ବରରେ ନିଜ ଘର ତିଆରି କରି ସେଠାରେ ରହି ଆସୁଥିଲେ। ପ୍ରତ୍ୟେକ ଦିନ ଶୋଇବା ପୂର୍ବରୁ ବୃଦ୍ଧା ବିଦ୍ୟୁଲତା ଭୁବନେଶ୍ବରର ପାତ୍ରପଡ଼ାରେ ରହୁଥିବା ଝିଅ ମଧୁସ୍ମିତାଙ୍କ ସହ ଫୋନ୍‌ରେ କଥା ହୋଇଥାନ୍ତି। ଗତକାଲି ସଂଧ୍ୟା ୫ଟା ୫୫ରେ ଝିଅ ମଧୁସ୍ମିତା ମା’ଙ୍କ ସହ କଥା ହୋଇଥିଲେ। ହେଲେ, ରାତିରେ ଶୋଇବା ପୂର୍ବରୁ ମା’ଙ୍କ ଫୋନ ନ ଆସିବାରୁ ମଧୁସ୍ମିତା ବ୍ୟସ୍ତ ହୋଇ ପଡ଼ିଥିଲେ। ଫୋନ୍‌ ନ ଲାଗିବାରୁ ସେ ବେଙ୍ଗାଲୁରୁରେ ରହୁଥିବା ସାନ ଭଉଣୀ ସୋନାଲି ସାମଲଙ୍କୁ ଫୋନ୍‌ କରି ଏହା ଜଣାଇଥିଲେ। ସୋନାଲିଙ୍କ ଫୋନ୍‌ ବି ଘରେ କେହି ନ ଉଠାଇବାରୁ ସେ ବେଲେଶ୍ବର ଘର ସାମ୍‌ନାରେ ରହୁଥିବା ପଡେ଼ାଶୀ ସାହୁବାବୁଙ୍କୁ ଫୋନ୍‌ କରିଥିଲେ। ସାହୁବାବୁ ଶ୍ରୀନାଥଙ୍କ ଘରକୁ ଯାଇ ଭିତରର ଚିତ୍ର ଦେଖି ହତବାକ୍‌ ହୋଇଯାଇଥିଲେ। ଘର ଭିତରେ ବୃଦ୍ଧ ଦମ୍ପତିଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ପଡ଼ିଥିବା ଦେଖି ସେ ଭୟରେ ସେଠାରୁ ପଳାଇ ଆସିଥିଲେ। ଖବର ପାଇ ରାତି ପ୍ରାୟ ୧୦ଟା ୩୦ ବେଳେ ପୁଲିସ ପହଞ୍ଚି ଘର ସିଲ୍‌ କରି ଦେଇଥିଲା। ୧୦ ଦିନ ପୂର୍ବରୁ ଭଡ଼ାଟିଆଙ୍କୁ ବାହାର କରିଦେବା ପରେ ଏଭଳି ଘଟିଥିବାରୁ ସମଗ୍ର ହତ୍ୟା ଯୋଜନା ୧୦ଦିନ ଭିତରେ କରାଯାଇଥିବା ଅନୁମାନ କରାଯାଉଛି।

ଆଜି ସକାଳ ୭ଟା ବେଳେ ମଧୁପାଟଣା ପୁଲିସ ସମେତ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ବିଦ୍ୟୁଲତାଙ୍କ ବେକ, ଆଖି, ମୁଣ୍ତରେ ଗଭୀର କ୍ଷତ ହୋଇଥିବା ବେଳେ ତଳେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ। ଶ୍ରୀନାଥଙ୍କ ଛାତି, କାନ, ବେକର ପଛଭାଗ ଓ ମୁଣ୍ତରେ ଗଭୀର କ୍ଷତ ଥିବା ବେଳେ ସେ ସୋଫା ଉପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିଲେ। ପୁଲିସ ଘଟଣାସ୍ଥଳରୁ ହତ୍ୟାକାଣ୍ତରେ ବ୍ୟବହୃତ ବଡ଼ ଠେଙ୍ଗା, ଧାରୁଆ କଟୁରୀ ଓ ପନିକି ଜବତ କରିଛି। ସନ୍ଧାନୀ କୁକୁର ଶ୍ରୀନାଥଙ୍କ ଘରୁ ବେଲେଶ୍ବର ଗଡ଼ାଯାଏ ଯାଇ ଫେରି ଆସିଥିଲା। ପାତ୍ରପଡ଼ାରେ ରହୁଥିବା ଝିଅ ମଧୁସ୍ମିତା ସାମଲ ଓ ଜ୍ବାଇଁ ପରିମଳ ସାମଲ ଆଜି ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି। ଦୁର୍ବୃତ୍ତମାନେ ବିଦ୍ୟୁଲତାଙ୍କ ହାତରୁ ଦୁଇପଟ ସୁନାଶଙ୍ଖା ଲୁଟି ନ ଥିବାରୁ ହତ୍ୟାକାଣ୍ତ ପଛର ଉଦ୍ଦେଶ୍ୟ ଲୁଟ୍‌ ନୁହେଁ, ବର˚ ପ୍ରତିଶୋଧ ବୋଲି ଅନୁମାନ କରାଯାଉଛି। କମିସନରେଟ୍‌ ପୁଲିସ ଘରକୁ ସିଲ୍‌ କରିବା ସହ ଭଡ଼ାଟିଆଙ୍କୁ ସ୍କାନର‌୍‌ରେ ରଖିଛି। ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ତଦନ୍ତ ପାଇଁ ବ୍ରହ୍ମପୁର ଏବ˚ କଟକ ଆଖପାଖ ଅଞ୍ଚଳକୁ ପଠାଯାଇଥିବା ସୂଚନା ମିଳିଛି। ଅନ୍ୟପଟେ, ଆଜି ପୁଲିସ ବଡ଼ ମେଡିକାଲ୍‌ରେ ଉକ୍ତ ଦମ୍ପତିଙ୍କ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଇଛି। ଯାଜପୁର ମେଦୁଆକୁଳ ଗାଁକୁ ଶବ ସ˚ସ୍କାର ପାଇଁ ନିଆଯାଇ ସନ୍ଧ୍ୟାରେ ଶେଷକୃତ୍ୟସମ୍ପନ୍ନ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର