ଅସହ୍ୟ ହେଲା ଜୀବନ ଯନ୍ତ୍ରଣା : ଦଉଡ଼ି ଦେଲେ ବୃଦ୍ଧ ବାପା, ମା’

ପଚାରିଲେନି ପାଞ୍ଚ ପୁଅ

ଭଂଜନଗର : ଗୋଟିଏ କି ଦୁଇଟି ନୁହଁ, ପାଞ୍ଚ ପାଞ୍ଚ ପୁଅ ଜନ୍ମ ଦେଇଥିଲେ। ସେମାନଙ୍କୁ କୋଳେଇ କାଖେଇ ମଣିଷ କରିଥିଲେ। ନିଜ ପେଟ କାଟି ସେମାନଙ୍କ ଭୋକ ମେଣ୍ଟାଇଥିଲେ। ଭାବିଥିଲେ, ବୁଢ଼ା ବୟସରେ ସେମାନେ ତାଙ୍କ ସାହା ହେବେ। ଦୁଃଖକଷ୍ଟ, ଅଭାବ ସବୁ ଦୂର କରିଦେବେ। ପୁଅ, ବୋହୂ ଓ ନାତିନାତୁଣୀଙ୍କ ଗହଣରେ ବାକି ଜୀବନ ସୁଖରେ କଟିଯିବ ବୋଲି କେତେ ଆଶା କରିଥିଲେ। ହେଲେ ଆଶା ଆଶାରେ ରହିଗଲା। ବାହାସାହା ହୋଇ ପୁଅମାନେ ନିଜ ସଂସାର ଜଞ୍ଜାଳରେ ବ୍ୟସ୍ତ ରହିଲେ। ଅସହାୟ ଅବସ୍ଥାରେ ଘରେ ପଡ଼ିରହିଲେ ବୁଢ଼ାବୁଢ଼ୀ। ଦୁଇ ଓଳା ଖାଇବା ପାଇଁ ଏ ପୁଅ ଘରୁ ସେ ପୁଅ ଘରକୁ ଯାଯାବର ପରି ଧାଇଁବାକୁ ପଡ଼ିଲା। ତା’ ସାଙ୍ଗକୁ ଅସହ୍ୟ ହେଲା କଟୁ କଥା। ଶେଷରେ ଆତ୍ମହତ୍ୟା ପାଇଁ ଚରମ ନିଷ୍ପତ୍ତି ନେଇ ବେକରେ ରଶି ଦେଇ ଝୁଲି ପଡ଼ିଲେ ବୁଢ଼ାବୁଢ଼ୀ।

ଗଂଜାମ ଜିଲ୍ଲା ଭଂଜନଗର ଥାନା ଅଧୀନ ମୁଜାଗଡ଼ ପଞ୍ଚାୟତ ଗଣ୍ଡିଶୁଳା ଗ୍ରାମରେ ଏଭଳି ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଅ ସହ କୌଣସି କଥାକୁ କେନ୍ଦ୍ର କରି ଗ୍ରାମର ଲକ୍ଷ୍ମଣ ଦଳାଇ (୮୦) ଓ ପତ୍ନୀ ହେମ ଦଳାଇ (୭୫) ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଉଭୟଙ୍କ ଶବକୁ ଆଜି ଅପରାହ୍ନ ପ୍ରାୟ ସାଢେ ୪ଟାରେ ଉଦ୍ଧାର କରାଯାଇଛି। ଏସଂକ୍ରାନ୍ତରେ ଭଂଜନଗର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ପରେ ଉଭୟଙ୍କ ଶବ ବ୍ୟବଚ୍ଛେଦ ହୋଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏ ନେଇ ଗାଁରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ଆଜି ରାତିରେ ଲକ୍ଷ୍ମଣ ଓ ହେମଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ପୁଲିସକୁ ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ, ଲକ୍ଷ୍ମଣଙ୍କ ୫ ପୁଅ। ଚାରି ପୁଅ ନିଜ ପରିବାର ସହ ଗଣ୍ଡିଶୁଳା ଗ୍ରାମରେ ଅଲଗା ଅଲଗା ରହୁଥିବା ବେଳେ ଗୋଟିଏ ପୁଅ ସୋରଡ଼ାରେ ରହୁଛନ୍ତି। ବୟସାଧିକ୍ୟ ଯୋଗୁଁ ଲକ୍ଷ୍ମଣ ଓ ହେମ କାମ କରିବା କଷ୍ଟକର ହେଉଥିଲା। ସେମାନେ ନିଜେ ରୋଷେଇ କରି ଖାଇବା ବି କଷ୍ଟ ହେବାରୁ ପୁଅମାନଙ୍କ ଘରେ ପାଳି କରି ଖାଉଥିଲେ। ଗୋଟିଏ ପୁଅ ଘରେ ମାସେ ଖାଇବା ପରେ ଅନ୍ୟ ଜଣଙ୍କ ଘରକୁ ଯାଇଥିଲେ। ତେବେ ପୁଅମାନଙ୍କ ଘରେ ରହୁନଥିଲେ। ପ୍ରତିଦିନ ପୁଅ ମାନଙ୍କ ଘରେ ଖାଇ ସାରିବା ପରେ ନିଜ ଘରକୁ ଫେରି ଆସୁଥିଲେ। ଗତକାଲି କୌଣସି ଏକ କଥାକୁ ନେଇ ଜଣେ ପୁଅ ସହ ସେମାନଙ୍କ ଝଗଡ଼ା ହୋଇଥିଲା। ଯାହାକୁ ନେଇ ଲକ୍ଷ୍ମଣ ଓ ହେମ ଭାଙ୍ଗି ପଡ଼ିଥିଲେ।

ଆଜି ସକାଳ ୮ଟା ବେଳେ ଉଭୟ ଘର ପିଣ୍ଡା ସାମ୍ନାରେ ବସି ଚା’ ପିଉଥିଲେ। ଏହା ପରଠୁ ଘରର କବାଟ ବନ୍ଦ ହୋଇଯାଇଥିଲା। ଦିନସାରା ସେମାନଙ୍କ ଦେଖା ନମିଳିବାରୁ ଗ୍ରାମବାସୀଙ୍କ ମନରେ ସନ୍ଦେହ ହୋଇଥିଲା। ଘର ଭିତରକୁ ପଶିବା ବେଳକୁ ଉଭୟଙ୍କ ଶବ ଦେଖିବାକୁ ମିଳିଥିଲା। ଲକ୍ଷ୍ମଣ ଦୁଲାରେ ଝୁଲୁଥିବା ବେଳେ ହେମ ଚଟାଣରେ ପଡ଼ି ରହିଥିଲେ। ହେମ ଆତ୍ମହତ୍ୟା କରିବା ପରେ ଦଉଡ଼ିକୁ ଲକ୍ଷ୍ମଣ କାଟି ଦେବା ପରେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ମୁଜାଗଡ଼ ସରପଞ୍ଚ ଶିବଶଙ୍କର ପ୍ରଧାନ ଏ ନେଇ ପୁଲିସକୁ ସୂଚନା ଦେଇଥିଲେ। ଭଂଜନଗର ଥାନା ଭାରପ୍ରାପ୍ତ ଡିଏସପି ଅଶ୍ୱିନୀ କୁମାର ସାହୁ, ସବଇନିସପେକ୍ଟର ଗୋବିନ୍ଦ କଅଁର, ନିରଂଜନ ଦାସ, ନମିତା ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ବ୍ୟବଚ୍ଛେଦ ପାଇଁ ଭଂଜନଗର ଉପଖଣ୍ଡ ଡାକ୍ତରଖାନାକୁ ପଠାଯାଇଥିଲା।

ଶବ ବ୍ୟବଚ୍ଛେଦ ପରେ ପୁଅମାନେ ସେମାନଙ୍କ ଶେଷକୃତ୍ୟ କରିଛନ୍ତି। ଅନ୍ୟପକ୍ଷରେ ପୁଲିସ ବିଭିନ୍ନ ଦିଗରୁ ଏ ଘଟଣାର ତଦନ୍ତ ଚଳାଇଛି। ଏହି ଘଟଣାକୁ କେନ୍ଦ୍ର କରି ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର