୭ ଘଣ୍ଟାର ଅପରେସନ୍‌ ‘ପ୍ରାଣକୃଷ୍ଣ’ : ୩୦ ଫୁଟ୍‌ ପାଇପ୍‌ ଭିତରୁ ଉଦ୍ଧାର

ଓଡ୍ରାଫ୍‌ ଓ ଅଗ୍ନିଶମ ବିଭାଗର ୧୨୦ ଜଣିଆ ଟିମ୍‌ ନାକେଦମ୍‌, ଖୋଳାଗଲା ୧୨ ଫୁଟର ସୁଡ଼ଙ୍ଗ

କଟକ : ମାଟିରୁ ବାର ଫୁଟ୍‌ ତଳେ ଅଢେଇ ଫୁଟ ଗୋଲେଇ, ୫୦ ଫୁଟ ଲମ୍ବର ଡ୍ରେନେଜ୍‌ ପାଇପ୍‌ ଭିତରେ ଖସି ପଡ଼ିଥିଲେ ବୃଦ୍ଧ। ପାଇପ୍‌ ସଫା କରୁକରୁ ପ୍ରାୟ ୩୦ ଫୁଟ୍‌ ଭିତରକୁ ଖସି ଯାଇ ଲାଖି ରହିଥିଲେ। ଦୀର୍ଘ ୭ ଘଣ୍ଟାର ଜୋରଦାର କସରତ୍‌ ପରେ ଫସି ରହିଥିବା ବୃଦ୍ଧଙ୍କୁ ଶେଷରେ ସୁରକ୍ଷିତ ଢଙ୍ଗରେ ଉଦ୍ଧାର କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ପ୍ରଥମଥର ପାଇଁ କଟକ ସହରରେ ଘଟିଥିବା ବେଳେ ବୃଦ୍ଧ ପ୍ରାଣକୃଷ୍ଣ ମୁଦୁଲିଙ୍କୁ ଉଦ୍ଧାର କରିବା ପାଇଁ ଓଡ୍ରାଫ୍‌ ଓ ଅଗ୍ନିଶମ ବିଭାଗର ୧୨୦ ଜଣିଆ ଟିମ୍‌ ନାକେଦମ୍‌ ହୋଇଛନ୍ତି। ସକାଳ ୮ଟା ୩୦ରୁ ଆରମ୍ଭ ହୋଇଥିବା ‘ଅପରେସନ୍‌ ପ୍ରାଣକୃଷ୍ଣ’ ଅପରାହ୍ନ ସାଢେ ତିନିଟାରେ ଶେଷ ହୋଇଥିଲା।

ମାଟିତଳେ ବିଛା ଯାଇଥିବା ସିମେଣ୍ଟ୍‌ ପାଇପକୁ କଟର୍‌, ହ୍ୟାଣ୍ଡ୍‌ ବ୍ରେକର ଓ ଜେସିବିରେ ପ୍ରାୟ ୧୨ଫୁଟ୍‌ ପର୍ଯ୍ୟନ୍ତ ଖୋଳା ଯାଇ ପ୍ରାଣକୃଷ୍ଣଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ବିଡାନାସୀ ଦେଉଳସାହି ସୁନା ଦେବୀ ମନ୍ଦିର ନିକଟରେ ରହୁଥିବା ପ୍ରାଣକୃଷ୍ଣ (୫୫)ଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ସ୍ୱତନ୍ତ୍ର ଭାବେ ଏକ ଡାକ୍ତରୀ ଦଳ ଚିକିତ୍ସା କରିଥିଲେ। କିନ୍ତୁ ସେ ଏବେ ସଂପୂର୍ଣ୍ଣ ବିପଦମୁକ୍ତ ଥିବା କୁହାଯାଉଛି।

ଏଭଳି ଏକ ଘଟଣା କିନ୍ତୁ ଆଜି ସାରା ସହରରେ ଚର୍ଚ୍ଚାର ବିଷୟ ହୋଇଥିଲା। ଘଟଣା ସଂପର୍କରେ ଖବର ପାଇ ଶତାଧିକ ଲୋକ ଘଟଣାସ୍ଥଳରେ ଭିଡ଼ ଜମାଇଥିଲେ। ଘଟଣା ଘଟିଥିଲା ତୁଳସୀପୁରସ୍ଥିତ ରାଜ୍ୟ ପୁଲିସ ସିଗ୍‌ନାଲ ମୁଖ୍ୟାଳୟ ଫାଟକ ନିକଟରେ ଥିବା ସିଏମ୍‌ସିର ଡ୍ରେନ୍‌ଜ ପଏଣ୍ଟ କୁଣ୍ଡରେ। ଆଜି ସକାଳ ପ୍ରାୟ ୭ଟା ୩୦ ବେଳେ ପ୍ରାଣକୃଷ୍ଣ ଏହି କୁଣ୍ଡ ବା ପଏଣ୍ଟକୁ ସଫା କରୁଥିଲେ। ସେହି ସମୟରେ ଆବର୍ଜନା ପାଣିକୁ ଉକ୍ତ କୁଣ୍ଡରେ ପକାଉଥିବା ପାଣି ମଟରଟି ବନ୍ଦ ରହିଥିଲା। ପ୍ରାଣକୃଷ୍ଣ ଭିତରେ ସଫା କରୁଛନ୍ତି ବୋଲି ଜାଣି ନଥିବା ଦେଉଳସାହିର ରଞ୍ଜିଆ ନାମକ ପଏଣ୍ଟର ଅନ୍ୟତମ କର୍ମଚାରୀ ମଟର ସୁଇଚ୍‌ ଅନ୍‌ କରି ଦେଇଥିଲେ। ପାଣି ସୁଅ ପ୍ରଖର ଥିବାରୁ ତାହାର ଫୋର୍ସରେ ପ୍ରାଣକୃଷ୍ଣ ପାଣି ପାଇପ୍‌ ଭିତରକୁ ପଶିଯାଇଥିଲେ। ପ୍ରାୟ ୫୦ ଫୁଟ୍‌ ଲମ୍ବ ପାଇପ ଭିତରକୁ ପାଣି ସୁଅ ତାଙ୍କୁ ଠେଲି ନେଇଥିଲା । ୩୦ ଫୁଟ୍‌ ପର୍ଯ୍ୟନ୍ତ ଭିତରକୁ ଯାଇ ଦୁଇ ପାଇପ୍‌ ମଝିରେ ଥିବା ଚାମ୍ବରରେ ସେ ଲାଖି ଯାଇଥିଲେ। ପ୍ରାଣକୃଷ୍ଣ ଭିତରେ ଫସି ଯାଇଥିବା ଜଣା ପଡିବା ପରେ ଏ ସମ୍ପର୍କରେ ବକ୍ସିବଜାର ଅଗ୍ନିଶମ ବିଭାଗ ୮ଟା ୨୦ ପାଖାପାଖି ସମୟରେ ଖବର ପାଇ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଥିଲା। ବକ୍ସିବଜାର ସମେତ ସିଡିଏ, ଚାଉଳିଆଗଞ୍ଜ, ଟାଙ୍ଗୀ-ଚୌଦ୍ୱାର ଏବଂ ନରାଜସ୍ଥିତ ତାଲିମ କେନ୍ଦ୍ରର ଅଗ୍ନିଶମ କେନ୍ଦ୍ର ଏବଂ ଓଏସ୍‌ଏପି ଷଷ୍ଠ ବାଟାଲିୟନ୍‌ରୁ ଓଡ୍ରାଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ବିଭାଗର ୧୦୦ କର୍ମଚାରୀ ଏବଂ ଓଡ୍ରାଫ୍‌ର ୨୦ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ସାଢେ ଆଠଟାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ମହାନଦୀ ରିଙ୍ଗ ବନ୍ଧ ତଳେ ଯାଇଥିବା ପାଇପର ଯେଉଁ ସ୍ଥାନରେ ପ୍ରାଣକୃଷ୍ଣ ଫସି ରହିଥିଲେ, ତାହାକୁ ପ୍ରଥମେ ଚିହ୍ନଟ କରାଯାଇଥିଲା। ସେଠାରେ ଜେସିବି ମେସିନ୍‌ ସହାୟତାରେ ୧୨ ଫୁଟ୍‌ ଗଭୀର ସୁଢ଼ଙ୍ଗ ଖୋଳା ଯାଇଥିଲା। କଂକ୍ରିଟ୍‌ର ପାଣି ପାଇପ୍‌କୁ ଭଙ୍ଗା ଯାଇଥିଲା। ପାଇପ୍‌ର ଜଏଣ୍ଟ ସ୍ଥାନରେ ତାଙ୍କ ପଛପଟ ଲାଖି ଯାଇଥିଲା। ଫଳରେ ତାଙ୍କୁ ଉଦ୍ଧାର କରିବାକୁ ନାକେଦମ୍‌ ହୋଇଥିଲେ ଉଦ୍ଧାରକାରୀ ଦଳ। ପ୍ରାଣକୃଷ୍ଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିବାକୁ ସିଟି ହସ୍‌ପିଟାଲ୍‌ର ଅସ୍ଥିଶଲ୍ୟ ବିଭାଗର ଜଣେ ବରିଷ୍ଠ ଡାକ୍ତର ପାର୍ଥ ସାରଥୀ ଦାସଙ୍କୁ ନିୟୋଜିତ କରାଯାଇଥିଲା । ତାଙ୍କୁ ଅକ୍ସିଜେନ୍‌ ଦେବା ସହିତ ପର୍ଯ୍ୟାୟକ୍ରମେ ଓଆର୍‌ଏସ୍‌ ପାଉଡର୍‌, ଗ୍ଲୁକୋଜ୍‌, ଫଳ ରସ ପିଇବାକୁ ଦିଆଯାଇଥିଲା। ଅଧିକ ଭିତରକୁ ଯେପରି ସେ ଚାଲି ନଯାନ୍ତି, ସେଥିପାଇଁ ତାଙ୍କ ଗୋଡ଼ରେ ଦଉଡ଼ି ବନ୍ଧା ଯାଇଥିଲା। ଶେଷରେ ଅପରାହ୍ନ ପ୍ରାୟ ୩ଟା ୩୦ ବେଳେ ତାଙ୍କୁ ପାଇପ୍‌ ଭିତରୁ ଉଦ୍ଧାର କରାଯାଇଥିଲା । ତାଙ୍କୁ ତୁରନ୍ତ ଏକ ଆମ୍ବୁଲାନ୍ସରେ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଅନ୍ୟପଟେ ତାଙ୍କୁ ପାଇପ୍‌ ଭିତରେ ପଶି ଉଦ୍ଧାର କରିବାକୁ ଯାଇଥିବା ସିଡିଏ ଅଗ୍ନିଶମ କେନ୍ଦ୍ରର ଧୀରଜ ବିଧାର ଏବଂ ଗୌତମ ଲେଙ୍କାଙ୍କ ମଧ୍ୟରୁ ଧୀରଜ ପାଇପ୍‌ ଭିତରେ ଶ୍ୱାସ ରୁଦ୍ଧ ହୋଇପଡ଼ିଥିଲେ । ତାଙ୍କୁ ମଧ୍ୟ ଅସୁସ୍ଥ ଅବସ୍ଥାରେ ତୁଳସୀପୁର ନିକଟରେ ଥିବା ଏକ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ଘଟଣା ସଂପର୍କରେ ପ୍ରାଣକୃଷ୍ଣ କହିଛନ୍ତି ଯେ ସିଏମ୍‌ସିି ପକ୍ଷରୁ ତାଙ୍କୁ ଏହି କାମ ପାଇଁ ଡକାଯାଇଥିଲା। ପାଇପ୍‌ ଭିତରେ ପାଣି ଚାଲୁଛି ନା ନାହିଁ ତାହା ଯାଞ୍ଚ କରିବା ପାଇଁ ସେ କୁଣ୍ଡ ଭିତରେ ରଶି ଧରି ପଶିଥିଲେ। କିନ୍ତୁ ଶିଉଳିରେ ଗୋଡ଼ ଖସି ଯିବାରୁ ସେ ଭିତରକୁ ଚାଲିଗଲେ ବୋଲି ପ୍ରାଣକୃଷ୍ଣ କହିଛନ୍ତି ।

ପ୍ରାଣକୃଷ୍ଣଙ୍କ ସାନ ଭାଇ ନାବନ କହିଛନ୍ତି ଯେ ପ୍ରାଣକୃଷ୍ଣ ରଙ୍ଗ ମିସ୍ତ୍ରୀ କାମ ଛାଡ଼ିବା ପରେ ଗତ କିଛି ବର୍ଷ ହେବ ସିଏମ୍‌ସିର ଉକ୍ତ ପଏଣ୍ଟରେ ପଶି କୁଣ୍ଡ ସଫା କରୁଥିଲେ । ତାଙ୍କୁ ମଜୁରୀ ବାବଦ ୨୦୦ ଟଙ୍କା ଲେଖାଏ ଦିଆଯାଏ । ଆଜି ସକାଳ ପ୍ରାୟ ୬ଟା ବେଳେ ସେ ଘରୁ ବାହାରିଯାଇଥିଲେ । ଦେଉଳସାହି ଛକରେ ଚା ପିଇବା ପରେ ଉକ୍ତ ପଏଣ୍ଟରେ କାର୍ଯ୍ୟ କରୁଥିବା ସିଏମ୍‌ସି କର୍ମଚାରୀ ରଞ୍ଜିଆ ତାଙ୍କୁ ଡାକି ନେଇଥିବା ଶୁଣାଯାଉଛି।

ଘଟଣା ସଂପର୍କରେ ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ କହିଛନ୍ତି ଯେ ଡ୍ରେନ୍‌ଜ ପାଇପ ଭିତରେ ଜଣେ ଏଭଳି ଢଙ୍ଗରେ ଦୀର୍ଘ ସମୟ ଫସି ରହିବା ଏବଂ ତାଙ୍କୁ ସୁରକ୍ଷିତ ଢଙ୍ଗରେ ଉଦ୍ଧାର କରାଯିବା ଘଟଣା ରାଜ୍ୟରେ ପ୍ରଥମ। ପ୍ରଥମେ ପାଇପର ଲମ୍ବ ମାପିବା ପରେ ଯେଉଁ ସ୍ଥାନରେ ପ୍ରାଣକୃଷ୍ଣ ଫସିଥିଲେ, ସେହି ଅଞ୍ଚଳରେ ୧୨ ଫୁଟ୍‌ର ଲମ୍ବର ସୁଢ଼ଙ୍ଗ କରାଯାଇଥିଲା । ଦୁଇଟି ପାଇପ୍‌ ମଝିରେ ଥିବା ଚାମ୍ବର ଭିତରେ ତାଙ୍କ ଅଣ୍ଟା ପାଖ ଲାଖି ଯାଇଥିଲା। କଂକ୍ରିଟ କଟାଯାଇ ଭିତରେ ଉଦ୍ଧାରକାରୀ ଦଳ ପଶିଥିଲେ। । ଡ୍ରେନେଜ୍‌ ପଏଣ୍ଟ ପଟୁ ତାଙ୍କ ଗୋଡ଼ରେ ପ୍ରଥମେ ଏକ ଦଉଡ଼ି ବନ୍ଧା ଯାଇଥିଲା । ମହାନଦୀ ପଟୁ ଆଉ ଜଣେ ଅଗ୍ନିଶମ କର୍ମଚାରୀ ପଶି ତାଙ୍କ ପଛକୁ ଶାବଳରେ ଟେକିଥିଲେ। ଶେଷରେ ଉଦ୍ଧାର କାର୍ଯ୍ୟ ସଫଳ ହୋଇଥିବା ଶ୍ରୀ ସେଠୀ ସୂଚନା ଦେଇଛନ୍ତି। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବିଭାଗ ପକ୍ଷରୁ ଶ୍ରୀ ସେଠୀଙ୍କ ସମେତ କେନ୍ଦ୍ରାଞ୍ଜଳ ଅଗ୍ନିଶମ ଅଧିକାରୀ ଭାବଗ୍ରାହୀ ଘଡ଼େଇ, ଡେପୁଟି ଫାୟାର ଅଫିସର ସତ୍ୟପ୍ରିୟ ବେହେରା, ଜିଲ୍ଲା ଆସିଷ୍ଟାଣ୍ଟଫାୟାର ଅଫିସର ପ୍ରଦୀପ କୁମାର ରାଉତ, ମୀନକେତନ ବେହେରା, କମଳ ଲୋଚନ ସାମଲ ସମେତ ଓଏମ୍‌ପି ଷଷ୍ଠ ବାଟାଲିୟନ୍‌ର ଓଡ୍ରାଫ୍‌ ଟିମ୍‌ ହାବିଲ୍‌ଦାର ମେଜର୍‌ ସୁନିଲ କୁମାର ନାୟକ ପ୍ରମୁଖ ସାମିଲ ହୋଇଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୭ ଡେସେମ୍ବର ୨୫ ତାରିଖରେ ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଗୋଲ୍‌ସରା ଗାଁରେ ରାଧା ସାହୁ ନାମକ ଜଣେ ୩ ବର୍ଷର ନାବାଳିକା ଘର ନିକଟରେ ଖେଳୁଥିବା ବେଳେ ଏକ ଖୋଲା ବୋରଓ୍ଵଲ୍‌ ଭିତରେ ଖସି ପଡ଼ିଥିଲେ । ଓଡ୍ରାଫ ଏବଂ ଅଗ୍ନିଶମ ବିଭାଗ ତାଙ୍କୁ ମଧ୍ୟ ଉଦ୍ଧାର କରିବାରେ ସଫଳ ହୋଇଥିଲା।

ଓଡ୍ରାଫ୍‌ ଟିମ୍‌ ଓ ଅଗ୍ନିଶମ କର୍ମଚାରୀଙ୍କୁ ଅଭିନନ୍ଦନ

ଭୁବନେଶ୍ୱର : କଟକରେ ଏକ ପମ୍ପିଂ ଷ୍ଟେସନ୍‌ କଂକ୍ରିଟ୍‌ ପାଇପ୍‌ରେ ଫସିଥିବା ପ୍ରାଣକୃଷ୍ଣ ମୁଦୁଲିଙ୍କ ଉଦ୍ଧାରରେ ଓଡ୍ରାଫ୍‌ ଟିମ୍‌ ଓ ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀମାନଙ୍କ ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ସାହସ ଓ ଧେର୍ଯ୍ୟ ସହିତ ଦୀର୍ଘ ସମୟ ପ୍ରଚେଷ୍ଟା କରି ପ୍ରାଣକୃଷ୍ଣଙ୍କୁ ଉଦ୍ଧାର କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ସଂସ୍ଥାର କର୍ମଚାରୀଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ସେହିପରି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ୍ରାଫ୍‌ ଓ ଅଗ୍ନିଶମ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରାଣକୃଷ୍ଣ ଶୀଘ୍ର ସୁସ୍ଥ ହେବେ ବୋଲି ଆଶାପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର