ସାନ ଭାଇକୁ ଛୁରି ଭୁସି ହତ୍ୟାକଲା ବଡ଼ଭାଇ

ପାରାଦୀପ : ପାରାଦୀପ ଥାନା ଅନ୍ତର୍ଗତ ନୂଆବଜାର କଲୋନିରେ ଏକ ନୃଶଂସ ହତ୍ୟାକାଣ୍ତ ଘଟିଛି। ବଡ଼ ଭାଇ ଅତ୍ୟନ୍ତ ଅମାନୁଷିକ ଭାବେ ଛୁରି ଭୁସି ସାନ ଭାଇକୁ ହତ୍ୟା କରିବା ଖବର ଅଂଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି। ମୃତ ଯୁବକ ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ଫତେପୁର ଗାଁର ସୁଦୀପ୍ତ ସ୍ବାଇଁ (୩୦) ବୋଲି ଜଣାଯାଇଛି। ସେ ପାରାଦୀପ ବନ୍ଦରରେ କାର୍ ଚାଳକ ଭାବେ କାର୍ଯ୍ୟ କରୁଥିଲେ। ଏହି ଜଘନ୍ୟ ଘଟଣାରେ ପୁଲିସ ସୁଦୀପ୍ତଙ୍କ ବଡ଼ ଭାଇ ପ୍ରଦୀପ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। କେଉଁ କାରଣରୁ ଏପରି ଘଟଣା ଘଟିଲା, ଏ ନେଇ ସଠିକ୍ ଭାବେ ଜଣାପଡ଼ି ନାହିଁ। ବର୍ତ୍ତମାନ ସୁଦୀପ୍ତଙ୍କ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ପରିବାରବର୍ଗ ଗାଁରେ ଥିବାରୁ ପୁଲିସ ତଦନ୍ତ ଅଧାରେ ଅଟକିଛି। ସୁଦୀପ୍ତଙ୍କ ପରିବାର ଲୋକେ ପାରାଦୀପ ଫେରିଲେ, ପୁଲିସ ଘଟଣାର ମୂଳ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ପ୍ରୟାସ କରିବ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ମୃତ ସୁଦୀପ୍ତଙ୍କ ବାପା ପାରାଦୀପ ବନ୍ଦର ନ୍ୟାସର ଜଣେ କର୍ମଚାରୀ ଅଟନ୍ତି। ଅବସର ପରେ ଏବେ ଏଠାରେ ସେ ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟ କରୁଛନ୍ତି। ସେମାନେ ଦୀର୍ଘ ଦିନ ହେବ ସ୍ଥାନୀୟ ନୂଆବଜାର କଲୋନି (କ୍ବାର୍ଟର ନମ୍ବର– (ଏନ୍ବି ୨୫)ରେ ରହୁଛନ୍ତି। ବଡ଼ ପୁଅ ତଥା ଘଟଣାର ଅଭିଯୁକ୍ତ ପ୍ରଦୀପ୍ତ ଦୁବାଇରେ ଚାକିରି କରୁଥିଲେ। ତାଙ୍କର ମାନସିକ ଅବସ୍ଥା ଠିକ୍ ନ ରହିବାରୁ ସେ ଦୁବାଇରୁ ଚାଲି ଆସି ପାରାଦୀପରେ ରହୁଥିଲେ। ଗତ ଗୁରୁବାର ଦିନ ପରି ବନ୍ଦର ନଗରୀ ପାରାଦୀପ ସ୍ବାଭାବିକ ଥିଲା ବେଳେ ନୂଆବଜାର କଲୋନିରେ ବଡ଼ ଭାଇ ତା’ର ସାନ ଭାଇକୁ ଛୁରୀ ଭୁସି ଦେଇଛି ବୋଲି ଖବର ବିଜୁଳି ବେଗରେ ଚାରିଆେଡ଼ ବ୍ୟାପି ଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚିବା ବେଳକୁ ସବୁ କିଛି ଶେଷ ହୋଇଯାଇଥିଲା। ଯନ୍ତ୍ରଣାରେ ଛଟପଟ ସୁଦୀପ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍‌ପିଟାଲକୁ ପଠାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଏହାପରେ ପୁଲିସ ସୁଦୀପ୍ତଙ୍କ ବଡ଼ ଭାଇ ପ୍ରଦୀପ୍ତଙ୍କୁ ଗିରଫ କରିବା ସହିତ ସେହି ସମୟରେ ଘରେ ଉପସ୍ଥିତ ଥିବା ପ୍ରଦୀପ୍ତଙ୍କ ପତ୍ନୀ ଓ ବାପାଙ୍କୁ ଥାନାକୁ ଆଣିଥିଲା। ଏହାପରେ ମୃତଦେହକୁ ବ୍ୟବଚ୍ଛେଦ କରାଯାଇ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ବର୍ମମାନ ସୁଦ୍ଧା ପୁଲିସ ଘଟଣାର ମୂଳ ପର୍ଯ୍ୟନ୍ତ ପହ‌ଞ୍ଚି ପାରିନାହିଁ। ଖୁବଶୀଘ୍ର ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଷ୍ଣୁ ଚରଣ ମିଶ୍ରଙ୍କ ଠାରୁ ସୂଚନା ମିଳିଛି। ସୁଦୀପ୍ତଙ୍କ ବାପା ଗଣମାଧ୍ୟମକୁ ଦେଇଥିବା ବୟାନ ଅନୁଯାୟୀ, ଗୁରୁବାର ସକାଳେ ପ୍ରଦୀପ୍ତଙ୍କର ଛଅ ମାସର ପୁଅକୁ ମୃତ ସୁଦୀପ୍ତ କୋଳରେ ଧରିଥିଲେ। ଏହାକୁ ନେଇ ପ୍ରଦୀପ୍ତ ତାଙ୍କ ସହ ଝଗଡ଼ା କରିଥିଲେ। ଏହାପରେ ସୁଦୀପ୍ତ ଛୁଆଟିକୁ ବିଛଣାରେ ଶୁଆଇ ଦେଇଥିଲେ। ମାତ୍ର ହଠାତ୍ ପ୍ରଦୀପ୍ତ ରୋଷେଇ ଘରେ ଥିବା ଏକ ଛୁରୀରେ ଭୁସି ଚାଲିଥିଲେ। ଥରେ କି ଦୁଇ ଥର ନୁହେଁ, ଅତ୍ୟନ୍ତ ହିଂସ୍ର ଭାବେ ସୁଦୀପ୍ତଙ୍କୁ ୧୦ରୁ ଅଧିକ ଥର ସେ ଭୁସିଥିଲେ। ସୁଦୀପ୍ତଙ୍କ ବେକ, ମୁଣ୍ତ ଓ ପେଟକୁ ସେ ଟାଗେର୍ଟ୍ କରି ଭୁସି ଚାଲିଥିଲେ। ଚିତ୍କାର ଶୁଣି ଘର ଲୋକ ଆସିବା ବେଳକୁ ସବୁକିଛି ଶେଷ ହୋଇଯାଇଥିଲା।

ସମ୍ବନ୍ଧିତ ଖବର