ଭୁବନେଶ୍ବର: ଛତିଛଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ନିର୍ବାଚନ ଫଳାଫଳ ପରିବର୍ତନ ପଛରେ ଅନେକ କାରଣ ରହିଛି। ସେ ମଧ୍ୟରୁ ଚାଷୀ ଅସନ୍ତୋଷ ଅନ୍ୟତମ। ହେଲେ ପ୍ରମୁଖ କାରଣ ବୋଲି ଧରିନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, କଂଗ୍ରେସ ଓ ବିଜେପି ଏବେଠାରୁ କାନ୍ଦଣା ଆରମ୍ଭ କରିଦେଇଛନ୍ତି। କିଏ କେତେ ଜୋରରେ ଚାଷୀଙ୍କ ସମସ୍ୟା ଧରି କାନ୍ଦିପାରିବେ ସେ ନେଇ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ପୂର୍ବରୁ କଂଗ୍ରେସ ଘୋଷଣା କରିଥିଲା, କ୍ଷମତାକୁ ଆସିଲେ ଋଣ ଛାଡ଼ କରିବ। ଆଜି ବିଜେପି ବି ସମାନ କଥା କହିଛି। ବିଜୁ ଜନତା ଦଳ ଋଣ ଛାଡ ପ୍ରସଙ୍ଗକୁ ସମର୍ଥନ କରିଛି, କିନ୍ତୁ ଦଳର ହାଇକମାଣ୍ଡ ତଥା ମୁଖ୍ୟମନ୍ତ୍ରୀ ହିଁ ଏ ସଂକ୍ରାନ୍ତରେ ଶେଷ ନିଷ୍ପତ୍ତି ନେବେ। କ୍ଷମତାସୀନ ଦଳ ହିସାବରେ ଅନ୍ୟ ରାଜ୍ୟ ଭଳି ବିଜେଡି ସରକାର ହିଁ ଏହି ଘୋଷଣା କରିବେ। ହେଲେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଚାଷୀ ଭୋଟକୁ ଧରିବା ଲାଗି ସରକାର ଏକ ବଡ଼ ପ୍ୟାକେଜ ପ୍ରସ୍ତୁତ କରୁଛନ୍ତି। ଏଥିରେ ଋଣ ଛାଡ କଥା ରହିପାରେ।
Sambad is now on WhatsApp
Join and get latest news updates delivered to you via WhatsApp
ଆସନ୍ତା ସାଧାରଣ ନିର୍ବାଚନରେ ଚାଷୀ ସମସ୍ୟା ଏକ ବଡ଼ ପ୍ରସଙ୍ଗ ଭାବେ ଉଭା ହେବ। ରାଜନୈତିକ ଦଳମାନେ ଏଭଳି ଗନ୍ଧ ବାରି ଏବେ କୃଷକଙ୍କ ଭୋଟ ବ୍ୟାଙ୍କ ହାତେଇବା ଲାଗି କସରତ ଚଳାଇଛନ୍ତି। ଚାଷୀଙ୍କୁ ମନେଇବା ଦିଗରେ କୃଷି ଋଣଛା଼ଡକୁ ରାଜନୈତିକ ଦଳମାନେ ମୁଖ୍ୟ ଅସ୍ତ୍ର ବୋଲି ବିଚାର କରୁଛନ୍ତି। ଏଣୁ ଏ ପ୍ରସଙ୍ଗକୁ ନେଇ ଏବେ ଠାରୁ ବୟାନବାଜି ଆରମ୍ଭ ହେଲାଣି।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଆମେ ଚାଷୀ ଋଣ ଛାଡ଼ିବା କଥା ବହୁ ଆଗରୁ ଆରମ୍ଭ କରିଛୁ। କ୍ଷମତାକୁ ଆସିବା ପରେ ସବୁ ଚାଷୀଙ୍କୁ ସୋଲାର ପମ୍ପ ପ୍ରଦାନ କରାଯିବ। ୫ ବର୍ଷ ପାଇଁ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। କଂଗ୍ରେସ କ୍ଷମତାକୁ ଆସିବାର ୨ ବର୍ଷ ଭିତରେ ରାଜ୍ୟରେ କେହି ବି ଭୂମିହୀନ ରହିବେ ନାହିଁ। ତେବେ କଂଗ୍ରେସ କେବଳ ପ୍ରତିଶ୍ରୁତି ଦିଏନି ତାହାର ପାଳନ କରେ, ତାହା ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରୁ ସ୍ପଷ୍ଟ ଜଣାପଡ଼ୁଛି। ଏହ ବ୍ୟତୀତ କ୍ଷମତାକୁ ଆସିଲେ ହିଁ ସେହି ଦିନ କୃଷି ଋଣ ଛାଡ଼ ହେବ। ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି, ଆମେ ସାତ ମାସ ତଳୁ ଏକଥା କହିଛୁ। ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ନିର୍ବାଚନ ଫଳାଫଳ ଦେଖି ବିଜେପି ଓ ବିଜେଡ଼ି ଦଳକୁ କୃଷକଙ୍କ କଥା ମନେପଡ଼ୁଛି। ଆଗରୁ କାହିଁକି ମନେପଡ଼ୁନଥିଲା। ଏବେ ସରକାର ବଦଳିବା ଉଚିତ ବୋଲି କହିଛନ୍ତି ପିସିସି ସଭାପତି। କାରଣ ୧୮ ବର୍ଷ ଧରି ବିଜେଡ଼ି ସରକାରରେ ଓଡ଼ିଶାର ଜନସାଧାରଣ ପ୍ରତାରିତ ହୋଇଛନ୍ତି। ଓଡ଼ିଶାର ଭୋଟର ଭାଇଉଭଣୀମାନେ ସଚେତନ ହେଲେ ନିଶ୍ଚିତ ପରିବର୍ତ୍ତନ ହେବ। ମଧ୍ୟପ୍ରଦେଶ ଓ ଛତିଶଗଡରେ କଂଗ୍ରେସ ସରକାର ଆସି କୃଷିଋଣ ଛାଡ କରିବାକୁ ଘୋଷଣା କରିବା ପରେ ବିଜେପି ମଧ୍ୟ ଏହି ରଣନୀତିକୁ ଆପଣାଇଛି। ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି, ୨୦୧୯ରେ ଓଡିଶାରେ ବିଜେପି କ୍ଷମତାକୁ ଆସିଲେ କୃଷିଋଣ ଛାଡ ହେବ। ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକଥା କହିଥିଲେ। ବିଜେପି ରାଜ୍ୟରେ ସରକାର ଗଢ଼ିଲେ ଚାଷୀଙ୍କୁ ସୁଧମୁକ୍ତ ଋଣ ଯୋଗାଇ ଦିଆଯିବ ବୋଲି ମଧ୍ୟ ଦଳ କହିଛି। ଅନ୍ୟପକ୍ଷରେ ବିଜୁ ଜନତା ଦଳ ଚାଷୀମାନଙ୍କ ସ୍ବାର୍ଥ କ୍ଷେତ୍ରରେ କେନ୍ଦ୍ରୀୟ ଅବହେଳାକୁ ଟାର୍ଗେଟ କରିଛି। ଓଡ଼ିଶାରେ ଦଳ ଆନ୍ଦୋଳନ କରିଥିଲା, ଏବେ ଦିଲ୍ଲୀ ଯିବ। ଋଣଛାଡ ପ୍ରସଙ୍ଗକୁ ସରକାର ପ୍ରତ୍ୟାଖ୍ୟାନ କରିନାହାନ୍ତି। ବିଜେଡ଼ି ମୁଖମାତ୍ର ପ୍ରତାପ ଦେବ କହିଛନ୍ତି ରାଜ୍ୟ ସରକାର ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି। ଚାଷୀ ନେତାଙ୍କ ସହ ଆଲୋଚନା ଚାଲିଛି। ୨ ଥର ବୈଠକ ବସି ସାରଲାଣି। ଆଗକୁ ମଧ୍ୟ ଚାଷୀଙ୍କ ଅସୁବିଧା ନେଇ ଆଲୋଚନା ହେବ। ଏପରିକି ବିଭିନ୍ନ ଜିଲ୍ଲା ଓ ବ୍ଲକ ସ୍ତରରେ ଚାଷୀଙ୍କ ସମସ୍ୟା ସମ୍ପର୍କିତ ମତାମତ ସଂଗ୍ରହ କରୁଛନ୍ତି ରାଜ୍ୟ ସରକାର। ଠିକ୍ ସମୟରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଶ୍ରୀ ଦେବ। ତେବେ କୃଷି ଋଣଛାଡ଼ କେବେ ବି ସବୁ ଦିନିଆ ସମାଧାନ ନୁହେଁ ବୋଲି ବିଜେଡି କହିଛି। ସେହିଭଳି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି, ଏଯାଏ ହୋଇଥିବା ବୈଠକରେ କିଛି ନିର୍ଯ୍ୟାସ ବାହାରିଛି। କୃଷକଙ୍କ ପାଇଁ ଯାହା କିଛି ସମ୍ଭବ ସେନେଇ ପଦକ୍ଷେପ ନିଆଯିବ।