‘ନିର୍ବାଚନ ଗଣତନ୍ତ୍ର ଓ ଧର୍ମନିରପେକ୍ଷତାକୁ ସୁଦୃଢ଼ କରୁ’

ବୁଦ୍ଧିଜୀବୀ, ସାମାଜିକ କର୍ମୀଙ୍କ ମିଳିତ ନିବେଦନ

ଭୁବନେଶ୍ବର : ଦେଶ ଉଦ୍‌ବେଗଜନକ ସ୍ଥିତି ମଧ୍ୟରେ ଗତି କରୁଥିବା ବେଳେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଉଛି। କିନ୍ତୁ ‌ବିବିଧତାର ଏହି ଦେଶ‌େର ଯେପରି ଗଣତନ୍ତ୍ର, ଧର୍ମନିରପେକ୍ଷତା ଆହୁରି ସୁଦୃଢ଼ ହୋଇପାରିବ ସେ ନେଇ ଗଭୀର ବିଚାର କରି ଭୋଟ ଦେବାକୁ ରାଜ୍ୟର ୫୦ରୁ ଅଧିକ ବୁଦ୍ଧିଜୀବୀ, ସାମାଜିକ କର୍ମୀ, କବି ପ୍ରମୁଖ ମିଳିତ ଭାବେ ନିବେଦନ କରିଛନ୍ତି।

ଏକ ମିଳିତ ନିବେଦନପତ୍ରରେ ଗତ ୫ ବର୍ଷରେ ଦେଶର ସ୍ଥିତି ବିପନ୍ନ ହୋଇ ଜରୁରୀକାଳୀନ ପରିସ୍ଥିତି ଠାରୁ ବଳି ପଡ଼ିଥିବା ବର୍ଣ୍ଣନା କରାଯାଇଛି। ଏହି ପରିପ୍ରେକ୍ଷୀରେ ମତଦାନ ପୂର୍ବରୁ ଦେଶର ଘୋର ଆର୍ଥିକ ଅସମାନତା, ସାମ୍ପ୍ରଦାୟିକ, ଜାତିବାଦୀ, ନାରୀ ସ୍ବାଧୀନତା ବିରୋଧୀ, ଦାରିଦ୍ର୍ୟ, ବେକାରି, କୃଷି ସମସ୍ୟା, ଦରବୃଦ୍ଧି, ଦୁର୍ନୀତି, ଅଗଣତାନ୍ତ୍ରିକ ତଥା ଘୃଣାର ରାଜନୀତି ଭଳି ପ୍ରସଙ୍ଗ ଉପରେ ବିଚାର ଅପରିହାର୍ଯ୍ୟ ବୋଲି ନିବେଦନ କରାଯାଇଛି। ଲୋକଶକ୍ତି ଅଭିଯାନ ଅଧ୍ୟକ୍ଷ ପ୍ରଫୁଲ୍ଲ ସାମନ୍ତରା, ବରିଷ୍ଠ ସାମ୍ବାଦିକ ରବି ଦାସ, ପ୍ରଫେସର ରାଧାମୋହନ, ପ୍ରଫେସର ଧନେଶ୍ବର ସାହୁ, ସୁଧୀର ପଟ୍ଟନାୟକ, ବିଜୟ ଉପାଧ୍ୟାୟ, ବିଷ୍ଣୁପ୍ରିୟ କାନୁନ୍‌ଗୋ, ଆନ୍ନା କୁଜୁର, ଅନିଲ୍‌ ଏକ୍କା, ଡ. ବିରେନ୍ଦ୍ର ନାୟକ ପ୍ରମୁଖ ଉପରୋକ୍ତ ମର୍ମରେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର