ନେତାଙ୍କୁ ନେଇ ଜମୁଛି ପ୍ରଚାର ମଇଦାନ : ଗାଁ ଗାଁ ବୁଲି ଭୋଟ ପାଇଁ ନିବେଦନ କରିବା ସହ ଜନତାଙ୍କ ମନ ଜିଣିବାକୁ ଚାଲିଛି ପ୍ରୟାସ

ଭୁବନେଶ୍ୱର : ପ୍ରଚାର ମୈଦାନରେ ନେତା । ଜନତାଙ୍କ ମନ ଜିଣିବାକୁ ଚାଲିଛି ପ୍ରୟାସ । କିଏ ଗାଡିରେ ତ ଆଉ କିଏ ଚାଲି ଚାଲି ଲାଗିପଡିଛନ୍ତି ପ୍ରଚାରରେ । ରୋଡ ସୋ ଆଉ ମାରାଥନ ପ୍ରଚାରରେ ନେତାଙ୍କ ଗୋଟିଏ ଲକ୍ଷ୍ୟ, କିପରି ପାର ହେବେ ୨୦୧୯ ନିର୍ବାଚନ ବୈତରଣୀ । ଏଥିପାଇଁ ସବୁ ବଳ ଲଗାଇଦେଇଛନ୍ତି କ୍ୟାମ୍ପେନିଂରେ । ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ନେତାଙ୍କ ପ୍ରଚାର ବି ଜୋରଦାର ହେଉଛି ।

ନିର୍ବାଚନ ତାରିଖ ପାଖେଇଲା, ପ୍ରଚାର ଜମି ଜମି ଆସିଲା । ଭାପୁରରେ ଖଣ୍ଡପଡାରେ ଜୋରଦାର ପ୍ରଚାର କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ । ଫତେଗଡରୁ ଆରମ୍ଭ ହୋଇଥିଲା ରୋଡ ସୋ । ଶହ ଶହ ସମର୍ଥକଙ୍କ ବିରାଟ ବାଇକ୍ ରାଲିରେ ବାହାରିଥିଲେ ସୌମ୍ୟ ରଂଜନ । ୨୨ଟି ପଂଚାୟତରେ ଭୋଟ୍ ମାଗିବା ସହ ୧୯ ଓ ୨୦ ନମ୍ବର ଜିଲ୍ଲା ପରିଷଦ ଜୋନର ୧୨ଟି ପଂଚାୟତରେ କରିଛନ୍ତି ପ୍ରଚାର । ଗାଁ ଗାଁ ବୁଲି ଭୋଟ ପାଇଁ ନିବେଦନ କରିବା ସହ କହିଛନ୍ତି ଖଣ୍ଡପଡାରେ ଏଥର ହେବ ଏକ ପାଖିଆ ନିର୍ବାଚନ । ବହୁ ପଛରେ ରହିବେ ବିରୋଧୀ, ଆଉ ବିଜୟ ଆଣିଦେବେ ଖଣ୍ଡପଡା ବାସୀ ।

ସୁନ୍ଦରଗଡରେ ବି ଜମୁଛି ପ୍ରଚାର । ସୁନ୍ଦରଗଡ ବିଜେଡି ବିଧାୟକ ପ୍ରାର୍ଥୀ ଯୋଗେଶ ସିଂ ଏବଂ ଲୋକସଭା ପ୍ରାର୍ଥୀ ସୁନୀତା ବିଶ୍ୱାଳ ରୋଡ ସୋ କରି ପ୍ରଚାର କରୁଛନ୍ତି । ନେତା ଓ ସମର୍ଥକ ମାନେ ଲାଗିପଡିଛନ୍ତି ଡୋର ଟୁ ଡୋର କ୍ୟାମ୍ପେନିଂରେ । କଟକରେ କ୍ୟାମ୍ପେନିଂକୁ ଜୋରଦାର କରିଛନ୍ତି କଂଗ୍ରେସର କଟକ-ବାରବାଟୀ ବିଧାୟକ ପ୍ରାର୍ଥୀ ମହମ୍ମଦ ମୋକିମ । ରାସ୍ତା କଡରେ ଚକୁଳି ଖାଇ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ।

ବିଜେଡିର ଗଡ କୁହାଯାଉଥିବା ପିପିଲିରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀ । ପଂଚାୟତରୁ ପଂଚାୟତ ବୁଲି ଭୋଟ ଭିକ୍ଷା କରିଛନ୍ତି ପ୍ରଦୀପ । ସେହିପରି ପୁରୀ ଲୋକସଭା ପ୍ରାର୍ଥୀ ପିନାକୀ ମିଶ୍ର ମଧ୍ୟ ଜନତାଙ୍କୁ ଭୋଟ ପାଇଁ ନିବେଦନ କରିଛନ୍ତି । ସେପଟେ ସତ୍ୟବାଦୀରେ କଂଗ୍ରେସ ପ୍ରାର୍ଥୀ ପ୍ରସାଦ ହରିଚନ୍ଦନ ଘରକୁ ଘର ବୁଲି ଭୋଟ ମାଗିଛନ୍ତି । ନିମାପଡାରେ ଖୋଲା ଜିପରେ ବୁଲି ପ୍ରଚାର କରିଛନ୍ତି ବିଜେଡି ପ୍ରାର୍ଥୀ ସମୀର ଦାସ । ଝାରସୁଗୁଡାରେ କ୍ୟାମ୍ପେନରେ ନଜର ଆସିଛନ୍ତି ସୁନୀଲ ସେଟ୍ଟୀ ଓ ମହିମା ଚୌଧୁରୀ । ଝାରସୁୁଗୁଡା ବିଜେଡି ପ୍ରାର୍ଥୀ ନବ ଦାସଙ୍କ ପାଇଁ ଦୁହେଁ ପ୍ରଚାର କରିଛନ୍ତି । ପ୍ରଚାର ମୈଦାନରେ କେନ୍ଦ୍ରାପଡାର ବିଜେଡି ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି ଓ ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକ । କେନ୍ଦ୍ରାପଡା ମାର୍ଶାଘାଇ ବ୍ଲକ ମାଣିକପୁର ଛକରୁ ସମର୍ଥକଙ୍କ ସହ ଏକ ବିରାଟ ରାଲିରେ ବାହାରି ବେରୁଁହା ଗାଁରେ ପହଚିଂ ପ୍ରଚାର କରିଥିଲେ ଅନୁଭବ ମହାନ୍ତି ଓ ଅତନୁ ସବ୍ୟସାଚୀ ନାୟକ ।

ସମ୍ବନ୍ଧିତ ଖବର