ପ୍ରଚାର ମୈଦାନରେ କିଛି ନିଆରା ଦୃଶ୍ୟ : ଓଡିଶୀ ପୋଷାକ ସହ ବୁଲେଟ ଚଳାଇ ଭୁବନେଶ୍ୱର ଲୋକସଭା ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କ ପାଇଁ ପ୍ରଚାର କରୁଛନ୍ତି ଯୁବତୀ!

ଗୀତ ଗାଇ ଭୋଟ ମାଗୁଛନ୍ତି ଆସ୍କା ଲୋକସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ପ୍ରମିଳା ବିଶୋୟୀ

ଭୁବନେଶ୍ୱର : ନିର୍ବାଚନ ପାଖେଇବା ସହ ଜୋରଦାର ହୋଇଛି ପ୍ରଚାର । ବିଶାଳ ରାଲି ସହ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ । ଏହାରି ଭିତରେ କିଛି ନିଆରା ଦୃଶ୍ୟ ବି ଦେଖିବାକୁ ମିଳିଛି । ଗୀତ ଗାଇ ଭୋଟ ମାଗିଛନ୍ତି ଆସ୍କା ଲୋକସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ପ୍ରମିଳା ବିଶୋୟୀ । ସେପଟେ ବିଜେପି ପ୍ରାର୍ଥୀଙ୍କ ମହିଳା ବ୍ରିଗେଡକୁ ନେଇ ଚର୍ଚ୍ଚା । ଅପରାଜିତାଙ୍କ ନାମାଙ୍କନ ବେଳେ ଓଡିଶୀ ବେଶରେ ବୁଲେଟ ଚଳାଇଛନ୍ତି ଯୁବତୀ ।

ରୋଷେଇ ଶାଳରୁ ପ୍ରଚାର ମଇଦାନ । ସାଧାରଣ ଏକ ସ୍ୱୟଂ ସହାୟକ ଗୋଷ୍ଠୀ କରି କିଛି ସ୍କୁଲକୁ ମଧ୍ୟାହ୍ନ ଭୋଜନ ଯୋଗାଉଥିବା ପ୍ରମିଳା ବିଶୋୟୀ ବିଜେଡିର ଲୋକସଭା ପ୍ରାର୍ଥୀ ହେବା ପରେ ଆରମ୍ଭ କରିଦେଇଛନ୍ତି ପ୍ରଚାର । ପ୍ରମିଳା ବିଶୋୟୀ ନା ସେ ଜଣେ ଟାଣୁଆ ନେତା, ନା ତାଙ୍କୁ କେହି ଜାଣିଛନ୍ତି । ପ୍ରମିଳା ବିଶୋୟୀ ହେଉଛନ୍ତି ଜଣେ ଏସଏଚଜି ଗ୍ରୁପର ସଦସ୍ୟା । ଦେଖିବାକୁ ସିଧାସିଧା ଆଉ ଖୁବ୍ ନିରୀହ । ଚାହାଣି ଓ ଚାଲିଚଳନ ସାଧାରଣ ହୋଇଥିଲେ ମଧ୍ୟ ପ୍ରମିଳାଙ୍କ କାମ ଖୁବ୍ ଅସାଧାରଣ । ଆଉ ଏହି ମହିଳାଙ୍କ କାର୍ଯ୍ୟରେ ପ୍ରଭାବିତ ହୋଇ ସାଂସଦ ପ୍ରାର୍ଥୀ ଭାବେ ଚୟନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ପ୍ରଚାର ମୈଦାନକୁ ଓହ୍ଲାଇବା ପରେ ପ୍ରମିଳା ଗୀତ ଗାଇ ଭୋଟରଙ୍କ ମନ ଜିଣିବାକୁ ଉଦ୍ୟମ କରିଛନ୍ତି ।

ନିର୍ବାଚନ ରାଲିର ନିଆରା ଢଙ୍ଗ । ଓଡିଶୀ ପୋଷାକ ସହ ବୁଲେଟ ଚଳାଇ ଭୁବନେଶ୍ୱର ଲୋକସଭା ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କ ପାଇଁ ପ୍ରଚାର କରୁଛନ୍ତି ଯୁବତୀ । ନାମାଙ୍କନ ଦାଖଲ ସମୟରେ ରାଜଧାନୀରେ ଦେଖିବାକୁ ମିଳିଥିଲା ଏପରି ଦୃଶ୍ୟ । ଏକ ବିଶାଳ ମଟର ସାଇକଲ ରାଲିରେ ଆସିଥିଲେ ଅପରାଜିତା । ଆଉ ଆଗେ ଆଗେ ବୁଲେଟ ଚଳାଇ ପ୍ରଚାର ଚଳାଇଥିଲେ ଦୁଇ ଯୁବତୀ ।

ସେହିଭଳି କେନ୍ଦ୍ରାପଡା ଆଳିରେ ମଧ୍ୟ ନିର୍ବାଚନୀ ପ୍ରଚାରର ଝଲକ ଦେଖିବାକୁ ମିଳିଛିା ବିଜେଡିର କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି ଓ ଆଳି ବିଧାନସଭା ପ୍ରାର୍ଥୀ ପ୍ରତାପ ଦେବ ଓହ୍ଲାଇଛନ୍ତି ପ୍ରଚାର ମଇଦାନକୁ । ଏକ ବିଶାଳ ଶୋଭାଯାତ୍ରାରେ ପ୍ରଚାର କରିଛନ୍ତି ବିଜେଡିର ଏହି ଦୁଇ ହେଭିୱେଟ । ପ୍ରଚାର ସମୟରେ ଅନୁଭବ କହିଛନ୍ତି, କେନ୍ଦ୍ରାପଡା ମାଟି ସହ ଯେଉଁମାନେ ବେଇମାନି କରିଛନ୍ତି ସେମାନେ ମୋର ପ୍ରତିଦ୍ୱନ୍ଦୀ । ସେମାନେ ଯଦି କେନ୍ଦ୍ରାପଡା ଉନ୍ନତିରେ ବାଧା ସୃଷ୍ଟି କରିବାକୁ ଚାହୁଁଥାନ୍ତି ତେବେ ତାଙ୍କୁ ଏହି ମାଟିରେ ପୂରାଇ ଦେବୁ ନାହିଁ ବୋଲି କହିଛନ୍ତି ଅନୁଭବ ।

କେଉଁଠି ଝିଅ ପାଇଁ ତ କେଉଁଠି ପୁଅ ପାଇଁ ପ୍ରଚାର ମଇଦାନରେ ଓହ୍ଲାଇଛନ୍ତି ବାପା । ସାନ ଝିଅ ଅମିତା ବିଶ୍ୱାଳଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବାପା ହେମାନନ୍ଦ ବିଶ୍ୱାଳ ।ଅନ୍ୟପଟେ ବିଜେଡିର ଲୋକସଭା ପ୍ରାର୍ଥୀ ଥିବା ବଡ ଝିଅ ସୁନୀତି ପ୍ରତି ବାପା ଭାବେ ତାଙ୍କର ଆଶିର୍ବାଦ ରହିଛି ବୋଲି ସେ କହିଛନ୍ତି । ସେହିଭଳି ଗୁଣୁପୁର ବିଧାନସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ହୋଇଥିବା ନିଜ ପୁଅ ଶିଶିର ଗମାଙ୍ଗ ପାଇଁ ପ୍ରଚାର କରୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ । ସ୍ଥାନୀୟ ଦଳ ଭିତରେ ବିଦ୍ରୋହ ଦେଖାଯାଇଥିବା ବେଳେ ପୁଅକୁ ବିଜୟୀ କରାଇବା ପାଇଁ ୱାର୍ଡ଼ ୱାର୍ଡ଼ ବୁଲି ଭୋଟ ଭିକ୍ଷା କରୁଛନ୍ତି ଗିରିଧାରୀ ।

ବଲାଙ୍ଗୀର ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ କଂଟାବାଂଝି ଅଂଚଳରେ ପ୍ରଚାର କରିଛନ୍ତି । ସରକାରଙ୍କ ବିକାଶର ନାରାକୁ ନେଇ ଲୋକଙ୍କ ହୃଦୟ ଜିତିବାକୁ ଉଦ୍ୟମ କରୁଛନ୍ତି କଳିକେଶ । ଆଉ ପୁଣିଥରେ ସାଂସଦ ଭାବେ ନିର୍ବାଚିତ ହେବାକୁ ଆଶା ବାନ୍ଧିଛନ୍ତି କଳିକେଶ ।

ସମ୍ବନ୍ଧିତ ଖବର