ଗୀତରେ, ଗୀତରେ ପ୍ରଚାର

ରଙ୍ଗବତୀ, କେଶରୀ, ଢିଙ୍କାଚିକା, ବାଳୁଙ୍ଗାଟୋକା

0

କୋରାପୁଟ : ରଙ୍ଗବତୀରୁ କେଶରୀ। ଔଷଧ ନେଇ ଆ’ ବାଇଆରୁ ଢିଙ୍ଗାଚିକା। ଏମିତି ହିଟ ନମ୍ବର ସବୁ ଏବେ ସକାଳୁ ସଂଜ ଯାଏ ଶୁଣିବାକୁ ମିଳୁଛି। ପୁଣି ବାଟଘାଟ, ଗାଁ ଗଣ୍ଡା ସବୁଠି। ନିର୍ବାଚନ ଋତୁରେ ଏମିତି ହିଟ ଗୀତର ସାହାରା ନେଇ ନେତାମାନେ ସେମାନଙ୍କ ପ୍ରଚାର ଆରମ୍ଭ କରିଥିଲା ବେଳେ ଏହା ଲୋକଙ୍କୁ ମଧ୍ୟ ବେଶ ଛୁଇଁଛି।

ଦୁଇଦିନ ହେଲା ପ୍ରଚାର ଆରମ୍ଭ ହୋଇଥିଲେ ମଧ୍ୟ ଆଜି ପ୍ରଚାର ଅଭିଯାନ ଜୋର ଧରିଛି। ପ୍ରଚାର ଗାଡ଼ି ଏବେ ସହରର ଗଳି କନ୍ଦିରୁ ଆରମ୍ଭ କରି ଗାଁ ଗଣ୍ଡା ବୁଲୁଛି। ଗାଡ଼ିରେ ଦଳର ପ୍ରଚାର ପତ୍ର ସହ ସାଉଣ୍ଡ ସିଷ୍ଟମ ଲାଗିଛି। ଆଉ ଏହି ସାଉଣ୍ଡ ସିଷ୍ଟମରେ ନୂଆ ପୁରୁଣା ବହୁ ଓଡ଼ିଆ ଓ ହିନ୍ଦୀ ଗୀତର ଧୁନ ଶୁଣିବାକୁ ମିଳୁଛି। ଏହି ହିଟ ଗୀତର ସୁରରେ ବିଭିନ୍ନ ଦଳର ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାର କରୁଛନ୍ତି। ନିଜ ଦଳର ସଫଳତା ଓ ବିରୋଧୀଙ୍କ ବିଫଳତାକୁ ଗୀତରେ ସ୍ଥାନୀତ କରାଯାଇଛି। ଏହା ସହିତ ପ୍ରାର୍ଥୀଙ୍କ ବ୍ୟକ୍ତଗତ ଏଜେଣ୍ଡା ବି ରହିଛି। ଜିତିଲେ କ’ଣ କରିବେ, କାହାକୁ ଗୁରୁତ୍ବ ଦେବେ, ଅନ୍ୟ ପ୍ର‌ାର୍ଥୀମାନଙ୍କୁ କାହିଁକି ଭୋଟ ଦେବେନି ତା’ର କାରଣକୁ ଗୀତ ଆକାରରେ ବର୍ଣ୍ଣନା କରାଯାଉଛି। ଗୀତ ଗୁଡ଼ିକ ଶୁଣିବାକୁ କାନକୁ ଭଲ ଲାଗୁଥିବାରୁ ଏହା ଲୋକଙ୍କ ମନକୁ ଛୁଉଁଛି। ଲୋକେ ଗୀତ ଶୁଣିବାକୁ ଯାଇ ଦଳୀୟ ପ୍ରଚାର ଶୁଣୁଛନ୍ତି। ସକାଳୁ ସଂଜ ପର୍ଯ୍ୟନ୍ତ ଏମିତି ହିଟ ଗୀତର ତାଳେ ତାଳେ ପ୍ରଚାର ଚାଲିଥିଲା ବେଳେ ମଝିରେ ମଝିରେ ଜିନ୍ଦାବାଦ ଶବ୍ଦ ପ୍ରଚାରକୁ ଗରମ କରୁଛି। ପାରମ୍ପରିକ ଶୈଳୀର ପ୍ରଚାର ସାଙ୍ଗକୁ ଏହି ନୂଆ ଗୀତ ଲୋକଙ୍କୁ ପ୍ରାର୍ଥୀଙ୍କ ନିକଟତର କରୁଛି।

ଏଥର ପ୍ରଚାରରେ ବିଭିନ୍ନ ପ୍ରାର୍ଥୀ ୫ରୁ ୧୦ଟି ଲେଖାଏଁ ଗୀତ ରେକର୍ଡିଂ କରିଛନ୍ତି। ଏହା ବାଦ ବିଭିନ୍ନ ଦଳ ପକ୍ଷରୁ ସ୍ବତନ୍ତ୍ର ଗୀତ କରାଯାଇଛି। ବିଜେଡି ଓ ବିଜେପିର କିଛି ଭିଡିଓ ମଧ୍ୟ ପ୍ରସ୍ତୁତ କରାଯାଇ ପ୍ରଚାରରେ ସାମିଲ କରାଯାଇଛି। ତେ‌ବେ ଏହି ପ୍ରଚାର ଭିତରେ ରଙ୍ଗବତୀ ଓ କେଶରୀ ଲୋ ଗୀତର ବେଶ ଚାହିଦା ଥିବା ଲକ୍ଷ୍ୟ କରାଯାଇଛି। ବିଭିନ୍ନ ଦଳର ପ୍ରଚାରରେ ପ୍ରାୟ ଏହି ଗୀତର ଧୁନ ବାଜୁଥିବା ଶୁଣିବାକୁ ମିଳୁଛି। ଏହା ସହିତ ବହୁ ହିଟ ଓଡ଼ିଆ ଓ ହିନ୍ଦୀ ଗୀତର ଧୁନ ବ୍ୟବହାର ହୋଇଛି। ଔଷଧ ନେଇ ଆ ବାଇଆ, ରସବତୀ ବିଳାସ, ଢିଙ୍ଗାଚିକା, ବାଳୁଙ୍ଗାଟୋକା ଆଦି ଗୀତର ସ୍ବରର ବେଶ ଚାହିଦା ରହିଛି। ତେ‌ବେ ସବୁଠାରୁ ଆଗରେ ରହିଛି ଦେଶୀଆ ଗୀତ। ଦେଶୀଆ ଗୀତର ସ୍ବରରେ ପ୍ରସ୍ତୁତ କରାଯାଇଥିବା ଗୀତ ଗୁଡ଼ିକ ସାଧାରଣ ଲୋକଙ୍କ ମନକୁ ଟାଣିବାରେ ସଫଳ ହେଉଛି। ପୁଣି ଦେଶୀଆ ଭାଷାରେ ଏହି ଗୀତ ବୋଲା ଯାଉଥିବାରୁ ଏହା ଲାଭଦାୟକ ହେଉଛି। ପ୍ରଚାରରେ ଏମିତି ଗୀତ ବ୍ୟବହାର ହେବା ଦ୍ବାରା କଣ୍ଠଶିଳ୍ପୀ ଓ ଟେକ୍ନିସିଆନମାନେ ଲାଭ ପାଉଛନ୍ତି। ନିର୍ବାଚନ ସମୟରେ ଗୀତ ଲେଖିବା ଓ ଗାଇବା ସହ ରେକର୍ଡିଂରେ ସାମିଲ ହେଉଥିବା କଳାକାରମାନେ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି। ଏହା ଭିତରେ ସବୁ ଦଳ ସେମାନଙ୍କ ପ୍ରାଥମିକ ପର୍ଯ୍ୟାୟର ଗୀତ ରେକର୍ଡିଂ କରି ସାରିଥିଲା ବେଳେ ଆଉ କିଛି ହିଟ ଗୀତରେ ଅନ୍ୟ ଗୀତ ମଧ୍ୟ ପ୍ରସ୍ତୁତ କରିବାକୁ ଯୋଜନା କରୁଛନ୍ତି। ଗୀତ ପ୍ରସ୍ତୁତି ପ୍ରାର୍ଥୀଙ୍କ ପ‌କେଟକୁ ସୁହାଉଥିଲା ବେଳେ ଲୋକଙ୍କ ମନକୁ ପାଉଥିବାରୁ ଏହା ସମସ୍ତଙ୍କ ପ୍ରଥମ ପସନ୍ଦ ପାଲଟିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.