ମାଓ ଅଞ୍ଚଳରେ ସୁରକ୍ଷିତ ନିର୍ବାଚନ ପ୍ରସ୍ତୁତି : ପ୍ରଥମ ପର୍ଯ୍ୟାୟରେ ପହଞ୍ଚିବେ ୨୯ କମ୍ପାନି ଫୋର୍ସ

ଭୁବନେଶ୍ୱର : ରାଜ୍ୟରେ ୧୫ ମାଓ ଉପଦ୍ରୁତ ଜିଲ୍ଲା ରହିଛି। ସେଠାରେ ଶୃଙ୍ଖଳିତ ନିର୍ବାଚନ ପୁଲିସ ପାଇଁ ଆହ୍ବାନ ହୋଇଛି। ତେବେ ସୁରକ୍ଷିତ ଓ ଶୃଙ୍ଖଳିତ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା କହିଛନ୍ତି ପୁଲିସ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା। ଆଜି କ୍ୟାମ୍ପ ଅଫିସ୍‌ରେ ଆୟାଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏ ନେଇ ସୂଚନା ଦେଇଛନ୍ତି। ଚଳିତବର୍ଷ ଏହି ଅଞ୍ଚଳରେ ନିର୍ବାଚନ ସମୟରେ ନିୟୋଜିତ ହେବା ପାଇଁ ୧୫୦ କମ୍ପାନି ଫୋର୍ସ କେନ୍ଦ୍ର ସରକାରଙ୍କୁ ଦାବି କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୨୯ କମ୍ପାନି ମଞ୍ଜୁର ହୋଇଛି। ଦୁଇଦିନ ମଧ୍ୟରେ ଫୋର୍ସ ପହଞ୍ଚିବେ। ଏହି ଅଞ୍ଚଳ ପାଇଁ ୨୦୧୪ ନିର୍ବାଚନରେ ୬୦ କମ୍ପାନି ଫୋର୍ସ ମୁତୟନ ହୋଇଥିଲେ। ଗତ ନିର୍ବାଚନରେ ଏକାଧିକ ଏଲଇଡି ବିଛା ଯାଇ ଆତଙ୍କ ସୃଷ୍ଟି କରିବାକୁ ଉଦ୍ୟମ ହୋଇଥିବାରୁ ଏଥର ଅଧିକ ପ୍ରସ୍ତୁତି ଆବଶ୍ୟକତା ରହିଛି। ଚଳିତବର୍ଷ ଗତ ବର୍ଷ ତୁଳନାରେ ଆହୁରି ୯୦ କମ୍ପାନି ‌ଫୋର୍ସ ଅଧିକ ମଗା ଯାଇଛି। କିନ୍ତୁ ପ୍ରଥମ ପର୍ଯ୍ୟାୟ ଅର୍ଥାତ୍‌ ଏପ୍ରିଲ ୧୧ ତାରିଖରେ ପଡ଼ୋଶୀ ରାଜ୍ୟ ତେଲେଙ୍ଗାନା, ଛତିଶଗଡ଼ ପ୍ରଭୃତିରେ ନିର୍ବାଚନ ରହିଥିବାରୁ ସେଠାରେ ମଧ୍ୟ ଫୋର୍ସର ଆବଶ୍ୟକତା ରହିଛି। ସେଥିପାଇଁ ଦାବି ମୁତାବକ ଫୋର୍ସ ମିଳି ନପାରନ୍ତି। ଏପ୍ରିଲ ୧୧ ପୁର୍ବରୁ ଆବଶ୍ୟକ ମୁତାବକ ଫୋର୍ସ ଆସିଯିବେ ବୋଲି କହିଛନ୍ତି ଡା. ଶର୍ମା।

ଏତଦ୍‌ବ୍ୟତୀତ ନିର୍ବାଚନ ସମୟରେ ଏସ୍‌ଓପି(ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଡିଓର) କିଭଳି କଡ଼ାକଡ଼ି ହେବ ସେଥିପାଇଁ ଗୁରୁତ୍ବାରୋପ କରାଯାଉଛି। ଯେଉଁମାନେ ପୂର୍ବରୁ ନିର୍ବାଚନ ସମୟରେ ନିୟୋଜିତ ହୋଇଥିଲେ ସେମାନଙ୍କ ପାଇଁ ଏହା ନୂଆ ନୁହେଁ। ଯେଉଁମାନେ ନୂତନ ଭାବେ ନିୟୋଜିତ ହେବାକୁ ଯାଉଛନ୍ତି ସେମାନଙ୍କୁ ଏ ନେଇ ପ୍ରଶିକ୍ଷଣ ଦିଆଯିବ। ୧୮ ମାର୍ଚ୍ଚରେ ନାମାଙ୍କନ ଦାଖଲ ହେବ। ଏହା ପରେ ପ୍ରଚାର ବଢ଼ିବା ସହ ନେତା ତଥା ସୁରକ୍ଷା ଲୋଡ଼ୁଥିବା ବ୍ୟକ୍ତିମା‌ନଙ୍କର ବିଭିନ୍ନ ସ୍ଥାନରେ ଆତଯାତ ରହିବ। ଏଣୁ ଏସ୍‌ଓପି ପାଳନକୁ ନେଇ ଗୁରୁତ୍ବ ବଢ଼ିବ। ସେଥିପାଇଁ ନି‌ର୍ଦ୍ଦେଶନାମା ଜାରି କରାଯାଇଛି। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ନିର୍ବାଚନ ସମୟରେ ଅନ୍ତଃରାଜ୍ୟ ଆପରାଧିକ କାର୍ଯ୍ୟକଳାପ ବଢ଼ିବା ଆଶଙ୍କା ରହିଛି। ପୂର୍ବରୁ ଏ ନେଇ ପଡ଼ୋଶୀ ରାଜ୍ୟମାନଙ୍କ ସହ ବୈଠକ ବସିଥିବା ବେଳେ ଆଗକୁ ଆବଶ୍ୟକ ପଡ଼ିଲେ ପୁଣି ଥରେ ଆଲେଚାନା କରାଯିବ। ଗୁଇନ୍ଦା ବିଭାଗ ଲଗାତାର ପରସ୍ପର ସହ ତଥ୍ୟ ଆଦାନ ପ୍ରଦାନ କରୁଛନ୍ତି। କେଉଁ ରାଜ୍ୟରେ କି ପ୍ରକାରର ଅପରାଧୀ ରହିଛନ୍ତି ଏବଂ ନିର୍ବାଚନ ସମୟରେ କି କି ପ୍ରକାରର ଅପରାଧ ଘଟିଥାଏ ତାହାର ତାଲିକା ପ୍ରସ୍ତୁତ କରାଯାଇଛି। ରେଞ୍ଜ ଡିଆଇଜି ଓ ଏସ୍‌ପିସ୍ତରରେ ଲଗାତାର ଆଲୋଚନା ଜାରି ରହିଛି। ବି‌ଶେଷକରି ବେଆଇନ ମଦ କାରବାର, ନିଶାଦ୍ରବ୍ୟ, ଜାଲ ନୋଟ୍‌ ଓ ନଗଦ ଟଙ୍କା କାରବାର ଉପରେ ଆମର ନଜର ରହିଛି ବୋଲି ଡିଜି ଡା. ଶର୍ମା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର