ଭୁବନେଶ୍ବରରେ ନିର୍ବାଚନୀ ହିଂସା, ବୋମାମାଡ଼ : ଡେଲ୍‌ଟା ଛକରେ ଜଗନ୍ନାଥ, ଝାରପଡ଼ାରେ ଅନନ୍ତଙ୍କୁ ଆକ୍ରମଣ

ଭୁବନେଶ୍ବର : ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଅନ୍ତିମ ଦିବସରେ ମଧ୍ୟ ଭୁବନେଶ୍ବରରେ ଆଜି ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି। ୟୁନିଟ୍‌-୮ ଅଞ୍ଚଳରେ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ଝାରପଡ଼ା କେନାଲ ରୋଡ୍‌ରେ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଆକ୍ରମଣର ଶିକାର ହୋଇଛନ୍ତି। ଦୁଇ ସ୍ଥାନରେ ଆକ୍ରମଣକାରୀମାନେ ବୋମାମାଡ଼ ସହ ଢ଼େଲା ମାଡ଼ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଜଗନ୍ନାଥଙ୍କ ଗାଡ଼ି ଭାଙ୍ଗି ଯାଇଥିଲେ ବି ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

କିନ୍ତୁ ଅନନ୍ତ ଓ ତାଙ୍କ ସହଯୋଗୀ ଆକ୍ରମଣରେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଏଭଳି ଛକାପଞ୍ଝା ଓ ଗଣ୍ଡଗୋଳ ବଢ଼ିବା ଆଶଙ୍କା ଯୋଗୁଁ ପୁଲିସର ମୁଣ୍ଡବିନ୍ଧା ବଢ଼ି ଯାଇଛି। ଆଜି ସନ୍ଧ୍ୟା ପ୍ରାୟ ୭ଟା ବେଳେ ଜଗନ୍ନାଥ ଓ ତାଙ୍କ ସମର୍ଥକମାନେ ୟୁନିଟ୍‌-୮ ଡେଲ୍‌ଟା ଛକ ନିକଟ ଦଳୀୟ କାର୍ଯ୍ୟାଳୟ ନିକଟରେ ଠିଆ ହୋଇଥିବା ବେଳେ ତାଙ୍କ ଗାଡ଼ି ଉପରକୁ କେହି ଦୁର୍ବୃତ୍ତ ବୋମା ଓ ଢ଼େଲାମାଡ଼ କରିଥିଲା। ଏଥିରେ ତାଙ୍କ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିଲା। କିନ୍ତୁ ଏହି ଆକ୍ରମଣରେ କେହି ମୃତାହତ ହୋଇନଥିଲେ। ଦୁର୍ବୃତ୍ତମାନେ ବୋମାମାଡ଼ କରି ଫେରାର୍ ହୋଇ ଯାଇଥିଲେ। ଖବର ପାଇ ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିଲା। ପ୍ରତିପକ୍ଷ ବିଜେଡି କର୍ମୀମାନେ ଏଭଳି କାଣ୍ଡ ଘଟାଇଥିଲେ ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି। ଅପରପକ୍ଷେ ଏହି ଘଟଣାର ମାତ୍ର ମାତ୍ର ୨ଘଣ୍ଟା ପରେ ଝାରପଡ଼ା କେନାଲ ରୋଡ୍‌ରେ ଅନନ୍ତଙ୍କ ଉପରେ ଆକ୍ରମଣ ହୋଇଥିଲା। ଅନନ୍ତ ଓ ତାଙ୍କ ସହଯୋଗୀ ଏକ ମାରୁତି କାର୍‌ରେ ଯାଉଥିବା ବେଳେ ହଠାତ୍ ତାଙ୍କ ଗାଡ଼ି ଉପରକୁ ବୋମା ଓ ଢ଼େଲା ମାଡ଼ ହୋଇଥିଲା। ସେମାନଙ୍କ ଅଭିଯୋଗ ଅନୁସାରେ କେହି ଜଣେ ଭୁଜାଲି ମାଡ଼ କରିବାରୁ ଅନନ୍ତଙ୍କ ସହଯୋଗୀ ତିନା ଗୁରୁତର ଆହତ ହୋଇଥିଲେ। ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ମଧ୍ୟ ଭୁବନେଶ୍ବର ନିର୍ବାଚନମଣ୍ଡଳୀରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ସମଗ୍ର ଅଞ୍ଚଳରେ ପଇଁତରା ମାରୁଛି। ଆଜିର ଏହି ଦୁଇ ଅଘଟଣ ପରେ ଗଣ୍ତଗୋଳ ଆହୁରି ବଢ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର