କେନ୍ଦୁଝରରେ ପୁଣି ନିର୍ବାଚନୀ ହିଂସା : ପାଟିରେ ବନ୍ଧୁକ ପୂରାଇ ହତ୍ୟା ଉଦ୍ୟମ, ମନ୍ତ୍ରୀପୁଅଙ୍କ ନାମରେ ମାମଲା

ହରିଚନ୍ଦନପୁରରେ କଂଗ୍ରେସ କର୍ମୀଙ୍କୁ ଆକ୍ରମଣ

କେନ୍ଦୁଝର/ଆନନ୍ଦପୁର/ହରିଚନ୍ଦନପୁର : ନିର୍ବାଚନକୁ ନେଇ କେନ୍ଦୁଝର ଜିଲ୍ଲାରେ ପୁଣି ଘଟିଛି ହିଂସାକାଣ୍ଡ। ଗୋଟିଏ ହରିଚନ୍ଦନପୁର ବ୍ଲକ ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟଟି ଘସିପୁରା ନିର୍ବାଚନମଣ୍ତଳୀର ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଘଟିଛି।

ଘସିପୁରା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କୁ ପୂର୍ବରୁ ହତ୍ୟା କରାଯାଇଥିଲା ବେଳେ ଗତକାଲି ରାତିରେ ରାମଚନ୍ଦ୍ରପୁର ଥାନା ଅଙ୍ଗାରୁଆ ଗ୍ରାମରେ ଜଣେ କଂଗ୍ରେସ କର୍ମୀଙ୍କ ପାଟିରେ ବନ୍ଧୁକ ପୂରାଇ ହତ୍ୟା ଉଦ୍ୟମ କରାଯାଇଛି। ଏହି ଘଟଣାରେ ମନ୍ତ୍ରୀ ତଥା ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ଓରଫ ଟୁଟୁଙ୍କ ନାମରେ ମାମଲା ରୁଜୁ ହୋଇଛି।

ଅଭିଯୋଗ ଅନୁସାରେ ଗତକାଲି ସନ୍ଧ୍ୟା ସାଢ଼େ ୭ଟା ବେଳେ ରାମଚନ୍ଦ୍ରପୁର ଥାନା ଅଙ୍ଗାରୁଆ ଗ୍ରାମର କଂଗ୍ରେସ ସମର୍ଥକ ରାଜେନ୍ଦ୍ର ସା(୩୫) ଘରକୁ ଫେରୁଥିବା ବେଳେ ଗ୍ରାମର କାର୍ତ୍ତିକେଶ୍ବର ମଣ୍ତପ ନିକଟରେ ଦେବାଶିଷ ଓ ତାଙ୍କର ୨୦ରୁ ଊର୍ଦ୍ଧ୍ବ ସହଯୋଗୀ ତାଙ୍କୁ ହଠାତ୍ ଅଟକାଇଥିଲେ। ସେମାନେ ହାତରେ ଖଣ୍ତା, ଭୁଜାଲି ଧରି ପ୍ରଥମେ ଧମକ ଦେଇଥିବାବେଳେ ପରେ ତଳେ ପକାଇ ନିସ୍ତୁକ ମାଡ଼ ମାରିଥିଲେ। ଏପରିକି ତାଙ୍କ ପାଟିରେ ବନ୍ଧୁକ ପୂରାଇ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ରାଜେନ୍ଦ୍ରଙ୍କ ଚିତ୍କାର ଶୁଣି କଂଗ୍ରେସ ସମର୍ଥକମାନେ ପହ‌ଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଯାଜପୁର ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ରାଜେନ୍ଦ୍ରଙ୍କ ଛାତିରେ ଗଭୀର ଆଘାତ ଲାଗିଛି। ରାଜେନ୍ଦ୍ରଙ୍କ ଏତଲା ଅନୁସାରେ ରାମଚନ୍ଦ୍ରପୁର ପୁଲିସ୍‌ ଦେବାଶିଷ ଓ ତାଙ୍କର ସହଯୋଗୀଙ୍କ ନାମରେ ୫୫/୧୯ରେ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି। ତେବେ କାହାରିକୁ ଗିରଫ କରାଯାଇନାହିଁ।

ସେହିପରି ଅନ୍ୟଏକ ଘଟଣାରେ ହରିଚନ୍ଦନପୁର ବ୍ଲକ ଭଅଁରପୁର ପଞ୍ଚାୟତ ରୋହି ଗ୍ରାମରେ ବିଜେଡି କର୍ମୀ ଓ କ˚ଗ୍ରେସ କର୍ମୀ ମଧୢରେ ଗଣ୍ତଗୋଳ ହୋଇଥିଲା। ଆକ୍ରମଣ ହେବାରୁ ସେହି ଗ୍ରାମର କଂଗ୍ରେସ କର୍ମୀ ଶଙ୍କର୍ଷଣ ଦେହୁରୀ(୪୬) ଗୁରୁତର ଆହତ ହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ରୋହି ଗ୍ରାମରେ ବିଜେଡିର ଏକ ବୈଠକ ହେବାର ଥିଲା। ଗ୍ରାମର ନାବାର୍ଡ ଗୃହରେ ଦଳୀୟ ବୈଠକ ପାଇଁ ବିଜେଡି କର୍ମୀମାନେ ଶଙ୍କର୍ଷଣଙ୍କୁ ଚାବି ମାଗିଥିଲେ। ମନା କରିବାରୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହେବାରୁ ଶଙ୍କର୍ଷଣ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ହରିଚନ୍ଦନପୁର ଡାକ୍ତରଖାନା ନିଆଯାଇଥିଲା। ପରେ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ରାଜନୈତିକ ଶତ୍ରୁତାରୁ ଏହି ଆକ୍ରମଣ ହୋଇଥିବା ଆଲୋଚନା ହେଉଛି। ଏ ସ˚ପର୍କରେ ଶଙ୍କର୍ଷଣ ଦେହୁରୀ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି।

ବିଜେଡି କର୍ମୀ ତଥା ୧୦ ନମ୍ବର ୱାର୍ଡମେମ୍ବରଙ୍କ ସ୍ବାମୀ ହରିହର ଦେହୁରୀ, ଦୟାନିଧି ଦେହୁରୀ ଓ ସାଥୀ ଲମ୍ବୋଦର ଦେହୁରୀ, ସୁବାସ ଚନ୍ଦ୍ର ସାହୁ, ଭାଗୀରଥି ମହାନ୍ତ, ଶାନ୍ତନୁ ସାହୁ, ଜଗବନ୍ଧୁ ସ୍ବାଇଁ, ସୁରେଶ ମାଝୀ ସଙ୍ଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଶଙ୍କର୍ଷଣଙ୍କ ଭଣଜା କୁଳମଣି ଦେହୁରୀ ମାମୁଙ୍କ ଜୀବନ ରକ୍ଷା କରିବା ପାଇଁ ହରିହରଙ୍କୁ ଠେଲି ଦେଇଥିଲେ। ଫଳରେ ଧାରୁଆ ଅସ୍ତ୍ରଟି ଶଙ୍କର୍ଷଣଙ୍କ ପେଟରେ ନବାଜି ମୁହଁରେ ବାଜିଥିଲା ବୋଲି ଅଭିଯୋଗକାରୀଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର