ଖୋର୍ଦ୍ଧାରେ ପ୍ରାକ୍ ନିର୍ବାଚନୀ ହିଂସା : ‌ବିଜେପି ସମର୍ଥକଙ୍କ ଗୁଳି ମାଡ଼, ଜଣେ ଗୁରୁତର ୩ ଅଟକ

ତେନ୍ତୁଳିମୂଳ ଗାଁରେ ୧ ପ୍ଲାଟୁନ୍ ପୁଲିସ୍‌ ମୁତୟନ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାରେ ଅନ୍ତଗର୍ତ ଓରବରସିଂହ ପଞ୍ଚାୟତର ତେନ୍ତୁଳିମୂଳ ଗାଁରେ ବିଜେପିର ସମର୍ଥକଙ୍କ ଗୁଳିମାଡ଼ରେ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି।ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖିଥିବା ବେଳେ ଏହାକୁ କେନ୍ଦ୍ରକରି ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ଗର୍ଶରେ ଏକ ପ୍ଲାଟୁନ୍‌ ଫୋର୍ସ ମୂତୟନ କରାଯାଇଛି।

ଗତକାଲି ବିଜେପିର କେତେକ ସମର୍ଥକ ହୋଲି ଖେଳିବା ପରେ ଭୋଜି କରିଥିଲେ। ଏହି ଅବସରରେ ସେମାନଙ୍କ ବିଧାୟକ ପ୍ରାର୍ଥୀଙ୍କୁ କିଏ ବିରୋଧ କରୁଛି, କିଏ ଦଳ ଛାଡ଼ି ଅନ୍ୟ ଦଳରେ ଯୋଗ ଦେଇଛି ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ପରେ ବିଜେପିର କେତେକ ସମର୍ଥକ ଭୋଜିସ୍ଥଳରୁ ସିଧାସଳଖ ଜଙ୍କିଆ ଥାନା ଅନ୍ତର୍ଗତ ଓରବର ସିଂହ ପଞ୍ଚାୟତର ତେନ୍ତୁଳିମୂଳ ଗାଁରେ ପହଞ୍ଚି ଜାପାନୀ ମହାପାତ୍ରଙ୍କୁ ଖୋଜି ଥିଲେ। ଜାପାନୀଙ୍କ ଘର ନିକଟରେ ପହଞ୍ଚି ଗାଳିଗୁଲଜ କରିବା ସହ ଧମକଚମକ ଦେଇଥିଲେ। ତେବେ ଗାଁ ଲୋକ ଏକଯୁଟ ହୋଇ ଏହାକୁ ବିରୋଧ କରିବା ପାଇଁ ବାହାରିବା ଦେଖି ସେମାନେ ପଳାଇଯାଇଥିଲେ। ଏହାପରେ ପୁଣି ସନ୍ଧ୍ୟା ୫ଟାରେ ସମୟରେ ୩୦ରୁ ୪୦ଜଣ ଯୁବକ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଧରି ସେଠାରେ ପହଞ୍ଚିଥିଲେ। ଗାଁର ଜଣେ ପ୍ରଭାବଶାଳୀ ବ୍ୟକ୍ତି ଯୁଧିଷ୍ଠିର ପାଇକରାୟ(୫୫) ଓ ଗାଁ ଲୋକମାନେ ଏକତ୍ରିତ ହୋଇ ସେମାନଙ୍କୁ ପ୍ରତିରୋଧ କଲେ। ସେମାନଙ୍କୁ ଡରାଇବାକୁ ଜଣେ ଯୁବକ ପ୍ରଥମେ ଗୋଟିଏ ଫାଙ୍କା ଗୁଳିଚାଳନା କରିଥିଲେ। ଏଥିରେ ଗାଁ ଲୋକ ପଛକୁ ନ ହଟିବା ଦେଖି ଯୁବକ ଜଣକ ଯୁଧିଷ୍ଠିରଙ୍କ ଗୋଡ଼କୁ ଲକ୍ଷ୍ୟ କରି ଦୁଇଟି ଗୁଳି ଚଳାଇଥିଲେ। ଫଳରେ ଯୁଧିଷ୍ଠିର ସେଠାରେ ପଡ଼ିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଖୋର୍ଦ୍ଧା ମେଡିକାଲ୍ ପରେ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି। ଗୁଳିମାଡ଼ କରି ପଳାଇଯାଉଥିବା ଯୁବକମାନଙ୍କ ମଧ୍ୟରୁ ଗ୍ରାମବାସୀମାନେ ଜଣକୁ ଅଟକ ରଖି ପୁଲିସକୁ ଖବର ଦେଇଥିଲେ।

ସୂଚନା ପାଇ ଘଟଣାସ୍ଥଳରେ ଖୋର୍ଦ୍ଧା ଏସଡିପିଓ ସୁଶୀଳ କୁମାର ମିଶ୍ର, ଜଙ୍କିଆ ଥାନା ଅଧିକାରୀ ଗାଁରେ ପହଞ୍ଚି ଘଟଣାସ୍ଥଳରୁ ଦୁଇଟି ବାଇକ୍ ଏବଂ ଖୋକା ଜବତ କରିଥିଲେ। ଏହି ଘଟଣାରେ ଗ୍ରାମବାସୀମାନେ ଅଟକ ରଖିଥିବା ବ୍ୟକ୍ତିଙ୍କୁ ପୁଲିସ ନିଜ ହେପାଜତକୁ ନେଇଥିଲା। ଏହି ଘଟଣାରେ ଜଙ୍କିଆ ପୁଲିସ ମୋଟ ୩ଜଣକୁ ଅଟକ ରଖିଛି। ତେବେ ଜାପାନୀ ମହାପାତ୍ର ପୂର୍ବେ ବିଜେପିର ଜଣେ ସକ୍ରିୟ ସଦସ୍ୟ ଥିଲେ। କିନ୍ତୁ ୩/୪ ମାସ ତଳେ ସେ ଦଳ ଛାଡ଼ି ବିଜେଡି ପାଇଁ କାମ କରୁଥିଲେ। ସେହିଭଳି ଯୁଧିଷ୍ଠିର ବିଧାୟକ ରାଜେନ୍ଦ୍ର ସାହୁଙ୍କ ଜଣେ ବିଶେଷ ସମର୍ଥକ। ଗାଁ ଲୋକଙ୍କ କହିବାନୁସାରେ ଆକ୍ରମଣ କରିଥିବା ଯୁବକମାନେ ବିଜେପିର ବିଧାୟକ ପ୍ରାର୍ଥୀ କାଳୁ ଖଣ୍ତାୟତରାୟଙ୍କ ସମର୍ଥକ। ଅପରପକ୍ଷରେ, ଜାପାନୀ ମହାପାତ୍ରଙ୍କ ସ୍ତ୍ରୀ ଝିଲି ମହାପାତ୍ର ଜଙ୍କିଆ ଥାନାରେ ଦେଇଥିବା ଏତଲାରେ ପୂର୍ବତନ ସରପଞ୍ଚ ଲୋକନାଥ ପଟ୍ଟନାୟକ, ନରଣଗଡ଼ ସମିତି ସଭ୍ୟ ହାପି ବଳିଆରସିଂହ, ରକେଟ ଛୋଟରାୟ, ଉଲ୍ଲାସ ଜୟସିଂହ, ନିରଞ୍ଜନ ସ୍ବାଇଁ ଆଦି ୧୫ଜଣଙ୍କ ସହ ଗୁଳି ମାଡ଼ କରିଥିବା ଯୁବକଙ୍କୁ ଧୀରେନ୍ ଛୋଟରାୟ ବୋଲି ଦର୍ଶାଇଛନ୍ତି। ସମସ୍ତ ବ୍ୟକ୍ତି ବିଜେପି ବିଧାୟକ ପ୍ରାର୍ଥୀ କାଳୁ ଖଣ୍ତାୟତରାୟଙ୍କ ସମର୍ଥକ ଓ ତାଙ୍କ ନିର୍ଦ୍ଦେଶରେ ଏହି ଆକ୍ରମଣ ହୋଇଛି ବୋଲି ଏତଲାରେ ଅଭିଯୋଗ କରିଛନ୍ତି। ଅପରପକ୍ଷରେ, ଗାଁ ‌ଲୋକଙ୍କ କହିବା ଅନୁଯାୟୀ, ଆକ୍ରମଣକାରୀ ବ୍ୟବହାର କରିଥିବା ସ୍କର୍ପିଓ ଗାଡ଼ିଟି (ଏତଲାରେ ଦର୍ଶାଯାଇଥିବା ଓଡି ୦୨ ଏଏଚ୍୯୦୧୭ ନମ୍ବର) ଟି ବିଜେପି ବିଧାୟକ ପ୍ରାର୍ଥୀ କାଳୁ ଖଣ୍ତାୟତରାୟଙ୍କ ପୁଅ ରାକେଶ କୁମାର ଖଣ୍ତାୟତରାୟଙ୍କ ନାମରେ ରହିଛି। ଏନେଇ କାଳୁ ଖଣ୍ତାୟତରାୟଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ ପାଇଁ ଉଦ୍ୟମ ହୋଇଥିଲେ ମଧ୍ୟ ତାଙ୍କଠାରୁ ପ୍ରତିକ୍ରିୟା ମିଳିପାରିନାହିଁ। ସେହିଭଳି ଜଙ୍କିଆ ଥାନା ଅଧିକାରୀ ସତ୍ୟବ୍ରତ ଲେଙ୍କାଙ୍କ ସହ ଯୋଗାଯୋଗ କରିବାରେ ନିର୍ବାଚନ ଆଚରଣ ବିଧିର ଆଳ ଦେଖାଇ ଏହି ଘଟଣା ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦିଆ ଯାଇ ପାରିବ ନାହିଁ ବୋଲି କହିଥିଲେ।

ସୂଚନାଯୋଗ୍ୟ, ଚଳିତ ମାସ ୧ ତାରିଖରେ ଏକ ନିର୍ବାଚନୀ ମାମଲାରେ ଓରବରସିଂହ ସରପଞ୍ଚ ଲୋକନାଥ ପଟ୍ଟନାୟକଙ୍କ ପଦବି ରଦ୍ଦ ହେବା ଓ ରାଜେନ୍ଦ୍ର ସାହୁଙ୍କ ସମର୍ଥକ ତଥା ନିର୍ବାଚନରେ ନିକଟତମ ପ୍ରତିଦ୍ବନ୍ଦୀ ଥିବା ସଞ୍ଜୟ କୁମାର ରାଟସିଂହଙ୍କୁ ସରପଞ୍ଚ ଦାୟିତ୍ବ ଦେବା ପାଇଁ ଅଦାଲତ ନିର୍ଦ୍ଦେଶ ଦେବା ଦିନ ଠାରୁ ଓରବରସିଂହ ପଞ୍ଚାୟତରେ ବିଜେପି–ବିଜେଡି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର