୭୦ ଲକ୍ଷର ଚୁଲା, ୭୦ ଶବ ବି ଦାହ ହୋଇନି : ସ୍ୱର୍ଗଦ୍ୱାରରେ ଖତ ଖାଉଛି ଶବଦାହ ଚୁଲା

ପୂର୍ବଭଳି ଖୋଲାମେଲାରେ ଚାଲିଛି ଶବଦାହ

0 678

ପୁରୀ : ପରିବେଶ ପ୍ରଦୂଷଣକୁ ଆଖି ଆଗରେ ରଖି ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ଙ୍କ ନିର୍ଦେଶ କ୍ରମେ ପୁରୀ ସ୍ୱର୍ଗଦ୍ୱାରଠାରେ ଅତ୍ୟାଧୁନିକ ଶବଦାହ ଚୁଲାର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ପୌର ସଂସ୍ଥାର ଅପାରଗତା ଓ ସ୍ଥାନୀୟ ରାଜନେତାଙ୍କ ଇଚ୍ଛାଶକ୍ତି ଅଭାବରୁ ଏହି ବିଦ୍ୟୁତଚାଳିତ ଚୁଲା ୫ ବର୍ଷ ହେଲା ଖତ ଖାଉଛି। ୭୦ ଲକ୍ଷ ଟଙ୍କାରେ ନିର୍ମିତ ଏହି ଚୁଲା ଆଜି ପର୍ଯ୍ୟନ୍ତ ୭୦ଟି ଶବ ମଧ୍ୟ ଦାହ କରିପାରିନାହିଁ। ଫଳସ୍ୱରୂପ ସ୍ୱର୍ଗଦାରରେ ପୂର୍ବଭଳି ଖୋଲାମେଲାରେ ଶବଦାହ ଚାଲିଥିବା ବେଳେ ଆଗ ଅପେକ୍ଷା ପ୍ରଦୂଷଣ ହାର ଯଥେଷ୍ଟ ବୃଦ୍ଧି ପାଇଛି।

Panda Mobile only

ଏକକାଳୀନ ୭ଟି ଶବ ପୋଡ଼ିବାର କ୍ଷମତା ରଖିଥିବା ଏହି ଚୁଲା ଘଣ୍ଟାକରେ ପ୍ରାୟ ୧୨୦୦ ମାଇକ୍ରୋଗ୍ରାମ୍‌ ଧୂଳି ଓ ଧୂଆଁ ଟାଣିନେବାର କ୍ଷମତା ରଖିଥିଲା। ତେବେ ଶୁଭାରମ୍ଭ ହେବାର ଛଅ ସାତ ମାସ ମଧ୍ୟରେ ପାଖାପାଖି ୬୦ଟି ଶବ ପୋଡ଼ାଯାଇଛି କି ନାହିଁ ବିଭିନ୍ନ ଆଳ ଦେଖାଇ ପୌର କର୍ତ୍ତୃପକ୍ଷ ଏହି ଚୁଲାକୁ ସଂପୂର୍ଣ୍ଣ ବନ୍ଦ କରି ଦେଇଥିଲେ। ୫ ବର୍ଷ ଧରି ଅଚଳ ଅବସ୍ଥାରେ ପଡ଼ିରହିବାରୁ ଏହି ଚୁଲା ପ୍ରାୟ ଭଗ୍ନ ଅବସ୍ଥାରେ ପଡ଼ିରହିଛି। ଏଥିରେ ଲାଗିଥିବା ବଡ଼ ବଡ଼ ଲୌହ ସାମଗ୍ରୀ ସବୁ କଳଙ୍କି ଖାଇ ନଷ୍ଟ ହୋଇଗଲାଣି। ଚୁଲାରେ ଲାଗିଥିବା ଉଚ୍ଚକ୍ଷମତାସଂପନ୍ନ ମୋଟରଠାରୁ ଆରମ୍ଭ କରି ଅନ୍ୟାନ୍ୟ ଦାମୀ ଯନ୍ତ୍ରାଂଶ ଖତ ଖାଉଛି। ଏହା ଭିତରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପୌରପାଳିକାକୁ ବାରମ୍ବାର ଚିଠି କରି ସାରିଲାଣି। କିନ୍ତୁ ଚୁଲା ଅଚଳ ହୋଇ ଯାଇଥିବା ଚିଠି ଲେଖି ପୌର ସଂସ୍ଥା ଚୁପ୍‌ ହୋଇ ବସିଛି। କାରଣରେ ଦର୍ଶାଇଛି, ସ୍ୱର୍ଗଦ୍ୱାର ସମୁଦ୍ର କୂଳରେ ଥିବାରୁ ଏଠାରେ ନିର୍ମିତ ଚୁଲାରେ କଳଙ୍କି ଲାଗୁଛି। ଚୁଲାର ପାର୍ଟସ୍‌ ଖରାପ ଥିବାରୁ ଏହାର ମରାମତି ଆବଶ୍ୟକ ପଡୁଥିବା ବେଳେ ପୌରସଂସ୍ଥା ପାଖରେ ସମ୍ବଳ ନାହିଁ। ଅଧିକ ଅର୍ଥ ଆବଶ୍ୟକ ପଡ଼ୁଥିବାରୁ ଚୁଲାଟି ମରାମତି ନହୋଇ ଅବ୍ୟବହୃତ ଅବସ୍ଥାରେ ପଡ଼ିରହିଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି, ୭୦ ଲକ୍ଷ ଟଙ୍କାରେ ସ୍ଥାପିତ ଏହି ଅତ୍ୟାଧୁନିକ ଚୁଲାକୁ ଚଳାଇବାରେ ପୌର କର୍ତ୍ତୃପକ୍ଷ କାହିଁକି ଏମିତି ଅବହେଳା କଲେ। ହରିଶ୍ଚନ୍ଦ୍ର ଯୋଜନାରେ ଟଙ୍କା ଦେବାକୁ ସରକାରଙ୍କ ପାଖରେ ପାଣ୍ଠି ଅଛି, ଅଥଚ ଚୁଲା ମରାମତି ପାଇଁ ଟଙ୍କା ନାହିଁ। ଏହା ପଛରେ ଯୋଜନାବଦ୍ଧ ଷଡ୍‌ଯନ୍ତ୍ର ନାହିଁ ତ? ଅନ୍ୟପକ୍ଷରେ କିଛି ସମାଜସେବୀ ଏହା ବିରୋଧରେ ପୁନର୍ବାର ଜାତୀୟ ଗ୍ରିନ୍‌ ଟି୍ରବ୍ୟୁନାଲ୍‌ଙ୍କ ଦ୍ୱାରସ୍ଥ ହେବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.