ବାତ୍ୟା ‘ଫନି’ର ଚାରି ମାସ ପରେ ବି ଅଲାରନାଥଙ୍କ ପୀଠରେ ସୁଧୁରୁନି ବିଦ୍ୟୁତ ବ୍ୟବସ୍ଥା

ବ୍ରହ୍ମଗିରି : ପ୍ରଳୟଙ୍କରୀ ବାତ୍ୟା ‘ଫନି’କୁ ଚାରି ମାସ ହୋଇଗଲାଣି। ମାତ୍ର ଅଲାରନାଥଙ୍କ ପୀଠରେ ଆଜି ସୁଦ୍ଧା ବିଦ୍ୟୁତ୍ ପୁନରୁଦ୍ଧାର କାର୍ଯ୍ୟ ଶେଷ ନାହିଁ। ଅଲାରନାଥଙ୍କ ପୀଠକୁ ଯିବା ରାସ୍ତାରେ ଲାଗିଛି ଷ୍ଟ୍ରିଟ୍‌ ଲାଇଟ୍। ବାତ୍ୟାରେ ଖୁଣ୍ଟ ଓ ଲାଇଟ୍ ସବୁ ଭାଙ୍ଗି ପଡ଼ିଥିଲା। ପୀଠ ଚାରିପଟେ ଲାଗିଥିବା ହାଇମାଷ୍ଟ ଲାଇଟ୍ ମଧ୍ୟରୁ ଅନେକ ଜଳୁ ନାହିଁ। ଚାପ ପୋଖରୀ ଚାରିପଟେ ୬୭ ଲକ୍ଷ ଟଙ୍କା ବ୍ୟୟରେ ଲାଗିଥିବା ଲାଇଟ୍‌ ସବୁ ଅଚଳ ହୋଇପଡ଼ିଛି। ସବୁ ଭାଙ୍ଗି ରୁଜି ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି।

ଶ୍ରୀଜିଉଙ୍କ ମନ୍ଦିର ପରିସର ମଧ୍ୟରେ ଲାଗିଥିବା ଲାଇଟ୍ ଖୁଣ୍ଟ ସବୁ ସେମିତି ଭାଙ୍ଗି ପଡ଼ିଛି। ଅନେକ ଲାଇଟ୍‌ ମଧ୍ୟ ଅଚଳ ହୋଇଯାଇଛି। ବେଢା ଭିତରେ ଥିବା ବିଦ୍ୟୁତ୍ ଖୁଣ୍ଟ ଉପରେ ଗଛଲତା ମାଡ଼ି ଗଲାଣି। ଅନେକ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଓ ତାର ବିପଦସଙ୍କୁଳ ଅବସ୍ଥାରେ ରହିଛି। ପ୍ରତିଦିନ ମନ୍ଦିରକୁ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗୁଛି। ସେହିପରି ବହୁ ପର୍ଯ୍ୟଟକ ମଧ୍ୟ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସୁଛନ୍ତି। ମାତ୍ର ଏ ପର୍ଯ୍ୟନ୍ତ ପୀଠରେ ବିଦ୍ୟୁତ୍‌ ବ୍ୟବସ୍ଥା ସ୍ବାଭାବିକ ହୋଇପାରୁ ନାହିଁ। ବିଦ୍ୟୁତ୍ ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର