ପୁରୀ ଜିଲ୍ଲାରେ ବିଦ୍ୟୁତ ପାଇଲେଣି ୧୪ ହଜାର: ସରକାର

ଭୁବନେଶ୍ବରରେ ଏବେ ବି ଚାଲିଛି ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟ

ଭୁବନେଶ୍ବର : ‘ଫନି’ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟରେ ଅଗ୍ରଗତି ଘଟିଛି। ଏବେସୁଦ୍ଧା ସବୁ ପ୍ରଭାବିତ ଜିଲ୍ଲାର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଜଳଯୋଗାଣ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରାଯାଇଛି। ରିଲିଫ ଯୋଗାଣ କାର୍ଯ୍ୟର ସୁପରିଚାଳନା ଯୋଗୁଁ ପ୍ରଭାବିତ ଅଞ୍ଚଳରେ ୯୫%ରୁ ଉର୍ଦ୍ଧ୍ବ ଲୋକଙ୍କୁ ସହାୟତା ସ୍ବରୁପ ନଗଦ ଅର୍ଥ ଓ ଚାଉଳ ପ୍ରଦାନ କରାଯିବା ସହ ୯୦% ହିତାଧିକାରୀଙ୍କୁ ଅତିରିକ୍ତ ମାସିକ ଭତ୍ତା ପ୍ରଦାନ କରାଯାଇଛି। ବିଦ୍ୟୁତ ଯୋଗାଣ ସ୍ଥିତିରେ ସୁଧାର ଆସିଛି।

ରବିବାର ସରକାରଙ୍କ ପକ୍ଷରୁ ଜାରି ପ୍ରେସ ବିବୃତି ଅନୁଯାୟୀ, ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ସଂଯୋଗ ପୁନଃଅବସ୍ଥାପିତ କରିବାରେ ଦ୍ରୁତ ଉନ୍ନତି ଘଟିଛି। କଟକ ଜିଲ୍ଲାରେ ୯୧% ସଫଳତା ମିଳିଥିବାବେଳେ ଖୋର୍ଦ୍ଧାରେ ୮୮%, ଜଗତସିଂହପୁର ଜିଲ୍ଲାରେ ୮୭% ଏବଂ କେନ୍ଦ୍ରାପଡ଼ାରେ ୧୦୦% ଲୋକଙ୍କୁ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯାଇଛି। ସେହିପରି ରିଲିଫ ସହାୟତା ପହଞ୍ଚାଇବାରେ ସରକାର ସଫଳତା ପାଇଛନ୍ତି। ସରକାରଙ୍କ ତଥ୍ୟ ଅନୁଯାୟୀ, ପୁରୀରେ ୯୪.୪% ଲୋକଙ୍କୁ ରିଲିଫ ମିଳିଥିବାବେଳେ ଖୋର୍ଦ୍ଧାରେ ୯୮.୬%, ଜଗତସିଂହପୁରରେ ୯୫%, କେନ୍ଦ୍ରାପଡ଼ା ଜିଲ୍ଲାରେ ୯୯.୩୧%, କଟକ ଜିଲ୍ଲାରେ ୯୭.୭%, ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ୮୭.୪% ଲୋକଙ୍କୁ ରିଲିଫ ପ୍ରଦାନ କରାଯାଇଛି। ରିଲିଫ ବାବଦରେ ନଗଦ ଅର୍ଥ ସହାୟତା ପାଖାପାଖି ୯୫% ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି। ପୁରୀରେ ୯୬.୬%, ଜଗତସିଂହପୁରରେ ୯୯%, କେନ୍ଦ୍ରାପଡ଼ାରେ ୯୭.୩୪%, କଟକରେ ୯୮.୫%, ବିଏମସି ଅଞ୍ଚଳରେ ୮୧.୯%, ଖୋର୍ଦ୍ଧା ଜିଲ୍ଲାରେ ୯୭.୧% ହିତାଧିକାରୀଙ୍କୁ ଚାଉଳ ଯୋଗାଇ ଦିଆଯାଇଛି।

ବାତ୍ୟା ବିପନ୍ନଙ୍କୁ ପଲିଥିନ ବଣ୍ଟନ ବାବଦରେ ପ୍ରଦାନ କରାଯାଇଥିବା ନଗଦ ଅର୍ଥ କିମ୍ବା ପଲିଥିନ ବଣ୍ଟନ ନେଇ ସରକାରଙ୍କ ତଥ୍ୟ କହୁଛି, ପୁରୀରେ ୮୩.୯%, ବିଏମସି ଅଞ୍ଚଳରେ ୮୭.୪% ଓ ଖୋର୍ଦ୍ଧା ଜିଲ୍ଲାରେ ୮୪.୨% ହିତାଧିକାରୀଙ୍କୁ ଏହି ସହାୟତା ପ୍ରଦାନ କରାଯାଇଛି। ଅତିରିକ୍ତ ମାସିକ ଭତ୍ତା ପ୍ରଦାନ ବାବଦରେ ଖୋର୍ଦ୍ଧା ଜିଲ୍ଲାରେ ୯୪%, ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ୬୪.୩%, କଟକ ଜିଲ୍ଲାରେ ୯୮.୮%, ପୁରୀ ଜିଲ୍ଲାରେ ୮୩.୯%, କେନ୍ଦ୍ରାପଡ଼ା ଜିଲ୍ଲାରେ ୯୭.୫% ଏବଂ ଜଗତସିଂହପୁର ଜିଲ୍ଲାରେ ୯୮% ଲୋକଙ୍କୁ ଏହି ସହାୟତା ପ୍ରଦାନ କରାଯାଇଛି। ବାତ୍ୟା ପ୍ରଭାବିତ ଅଞ୍ଚଳରେ ଆଜି ସୁଦ୍ଧା ମୋଟ ୯୦% ଲୋକଙ୍କୁ ମାସିକ ଅତିରିକ୍ତ ଭତ୍ତା ପ୍ରଦାନ କରାଯାଇଥିବା ନେଇ ସରକାର ତଥ୍ୟ ରଖିଛନ୍ତି।

ବିଦ୍ୟୁତ ପୁନଃସଂଯୋଗୀକରଣ ନେଇ ସରକାର ଜଣାଇଛନ୍ତି, ପୁରୀ ସହରରେ ଉପଭୋକ୍ତାମାନଙ୍କୁ ଖୁବଶୀଘ୍ର ବିଦ୍ୟୁତ ଯୋଗାଇଦେବାକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି। ପିଇଡି ଡିଭିଜନ ଅନ୍ତର୍ଗତ ୫୬ଟି ଫିଡରରୁ ୧୨ଟି ଫିଡର କାର୍ଯ୍ୟକ୍ଷମ ହୋଇଛି। ନିମାପଡ଼ା ଅଞ୍ଚଳରେ କାର୍ଯ୍ୟ କରୁଥିବା ଏନଇଡି ଡିିଭିଜନ ଅନ୍ତର୍ଗତ ୨୮ଟି ଫିଡରରୁ ୫ଟି ଫିଡର କାର୍ଯ୍ୟକ୍ଷମ ହୋଇଛି। ଏବେସୁଦ୍ଧା ପୁରୀ ଜିଲ୍ଲାର ୧୪ ହଜାରରୁ ଉର୍ଦ୍ଧ୍ବ ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯାଇଛି। ସେହିପରି କଟକ ସିଡିଡି-୧ ଡିଭିଜନରେ ଥିବା ସମସ୍ତ ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ମିଳିଥିବାବେଳେ ସିଡିଡି-୨ରେ ପ୍ରାୟ ୬୯ ହଜାର ୩୧ ଉପଭୋକ୍ତାଙ୍କ ମଧ୍ୟରୁ ଏବେସୁଦ୍ଧା ୬୧ ହଜାର ୪୮୪ ଜଣଙ୍କୁ ପୁନଃସଂଯୋଗ ମିଳିଛି। ସିଇଡି ଅନ୍ତର୍ଗତ ଉଭୟ ସହରାଞ୍ଚଳ ଓ ଗ୍ରାାମାଞ୍ଚଳର ୯୫ ହଜାର ୫୯୯ ଉପଭୋକ୍ତାଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୭୧ ହଜାର ୨୦୦ ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯାଇଛି।

ଭୁବନେଶ୍ବର ବିସିଡିଡି-୧ର ସମସ୍ତ ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ମିଳିଥିବାବେଳେ ବିସିଡିଡି-୨ ଅଧୀନରେ ଥିବା ସହରାଞ୍ଚଳ ଓ ଗ୍ରାମାଞ୍ଚଳର ମୋଟ ୧ ଲକ୍ଷ ୪୭ ହଜାର ୫୩୧ ଉପଭୋକ୍ତାଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୪୪ ହଜାର ୬୬୬ ଜଣ ଉପଭୋକ୍ତାଙ୍କୁ ବିଜ୍ୟୁତ ସଂଯୋଗ ଯୋଗାଇ ଦିଆଯାଇଛି। ସେହିପରି ବିଇଡି ଅଞ୍ଚଳର ସହରାଞ୍ଚଳ ଓ ଗ୍ରାମାଞ୍ଚଳର ୧ ଲକ୍ଷ ୯ ହଜାର ୯୮୪ ଜଣ ଉପଭୋକ୍ତାଙ୍କ ଭିତରୁ ଅଦ୍ୟାବଧି ୧ ଲକ୍ଷ ୮ ହଜାର ୫୦ ଜଣ ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ମିଳିଛି। ଜଗତସିଂହପୁର ଜିଲ୍ଲାର ଜେଇଡି ଅନ୍ତର୍ଗତ ୪୩ଟି ଫିଡରରୁ ୪୧ଟି କାର୍ଯ୍ୟକ୍ଷମ ହୋଇଛି। ପାରାଦୀପ ଅଞ୍ଚଳରେ ଥିବା ପିଇଡିର ସମସ୍ତ ୨୪ଟି ଫିଡର କାର୍ଯ୍ୟକ୍ଷମ ହୋଇଥିଲେ ବି ମୋଟ ୧ ଲକ୍ଷ ୧ ହଜାର ୨୨୮ ଜଣ ଉପଭୋକ୍ତାଙ୍କ ମଧ୍ୟରୁ ୯୩ ହଜାର ୩୯୪ ଜଣ ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ମିଳିପାରିଛି ବୋଲି ସରକାର ଜଣାଇଛନ୍ତି।

ସମ୍ବନ୍ଧିତ ଖବର