ହାତୀ ନେଲା ୪ ଜୀବନ, ୨ ମଠ ମହନ୍ତଙ୍କୁ ବି ଦଳିଦେଲା

ଢେଙ୍କାନାଳ/ଅନୁଗୁଳ/ନୂଆପଡା: ଆଜି ୩ଟି ସ୍ଥାନରେ ହାତୀ ଆକ୍ରମଣ ଯୋଗୁ ୪ ଜଣଙ୍କର ପ୍ରାଣ ଯାଇଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ୨ ଜଣ ମଠ ମହନ୍ତ। ସୂଚନା ଅନୁସାରେ, ଢେଙ୍କାନାଳ  ଜିଲ୍ଲା ଅନ୍ତର୍ଗତ ପର୍ଜଙ୍ଗ ବ୍ଲକ ଖାଲପାଳ ସଂରକ୍ଷିତ ଜଙ୍ଗଲ ପରିସରସ୍ଥିତ ସାନଖନ୍ଦା ମଠରେ ପଶି ହାତୀପଲ ଦୁଇ ଜଣ ବାବାଜୀଙ୍କୁ କଚାଡ଼ି ମାରିଛନ୍ତି। ସେମାନେ ହେଲେ ମାନସ ରଞ୍ଜନ ସାହୁ(୩୯) ଓରଫ୍‌ ମୁନା ବାବା ଓ ପ୍ରହ୍ଲାଦ ବେହେରା(୫୪) ଓରଫ ପ୍ରହ୍ଲାଦ ବାବା। ମୁନା ବାବାଙ୍କ ଘର ପର୍ଜଙ୍ଗ ଥାନା ବାରିହାପୁର ଗାଁରେ ହୋଇଥିବା ବେଳେ ସେହି ଥାନା ମାଣିକମରା ପଞ୍ଚାୟତ ଅନ୍ଧାରୀଖୋଲ ଗାଁରେ ପ୍ରହ୍ଲାଦ ବାବାଙ୍କ ଘର ବୋଲି ଜଣାପଡ଼ିଛି। ଉଭୟ ମୁନା ବାବା ଓ ପ୍ରହ୍ଲାଦ ବାବା ସାନଖନ୍ଦା ମଠରୁ ବଡ଼ଖନ୍ଦା ମଠକୁ ଗାଧୋଇବାକୁ ବାହାରିଥିଲେ। ବାଟରେ ଜଙ୍ଗଲ ରାସ୍ତା ଥିଲା। କିନ୍ତୁ ଜଙ୍ଗଲରେ ପ୍ରାୟ ୪୦ ହାତୀ ଥିଲେ। ଏକଥା ସେମାନଙ୍କୁ ଜଣାନଥିଲା। ମଠ ନିକଟରେ ହିଁ ଉଭୟ ବାବା ହାତୀପଲଙ୍କ ହାବୁଡ଼ରେ ପଡ଼ିଥିଲେ। ଘଟଣାସ୍ଥଳରେ ଉଭୟଙ୍କୁ ହାତୀ ଦଳି ମାରି ଦେଇଥିଲା। ଅନୁଗୁଳ ଜିଲ୍ଲା ମାଧପୁର ରେଂଜ ନୂଆଗାଁ ନିକଟ କୁସୁମଲଟି ଖେସରା ଜଙ୍ଗଲରେ ଆଜି ଏକ ଦନ୍ତାହାତୀ  ଆଠମଲ୍ଲିକ ଥାନା ନୂଆଗାଁ ଗ୍ରାମର ମୂରଲି ବାଘ(୫୦)ଙ୍କୁ ଦଳି ମାରି ଦେଇଛି। ସେହିପରି ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ କରଙ୍ଗାଭଟା ଗ୍ରାମର ସହଦେବ ଲୁହାର (୭୦)ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର