ହାତୀ: କୋଉଠି ମାରୁଛି, କୋଉଠି ମରୁଛି!

ପତ୍ନୀଙ୍କୁ ଦଳି ମାରିଲା, ସ୍ବାମୀଙ୍କୁ କଚାଡ଼ିଲା

ପର୍ଜଙ୍ଗ : ପର୍ଜଙ୍ଗ ଅଞ୍ଚଳରେ ଗୋଠଛଡ଼ା ଦନ୍ତାହାତୀର ଉତ୍ପାତ ଦିନକୁ ଦିନ ଅସହ୍ୟ ହେଲାଣି। ଆଜି ପୁଣି ଜଣେ ମହିଳାଙ୍କୁ ଦଳିଚକଟି ଜୀବନ ନେଇଛି। ତାଙ୍କ ସ୍ବାମୀଙ୍କୁ କଚାଡ଼ି ‌େଦବାରୁ ଗୋଡ଼ ଭାଙ୍ଗିଯାଇଛି। ଆଜିର ଘଟଣା ମିଶାଇ ଏକମାସ ମଧ୍ୟରେ ଏହି ହାତୀ ଆକ୍ରମଣରେ ୩ ଜଣଙ୍କ ପ୍ରାଣହାନି ହେବା ସହ ୮ ଜଣ ଗୁରୁତର ଆହତ ହେଲେଣି। ହାତୀ ଆକ୍ରମଣରେ ଗୋଟିଏ ପରେ ଗୋଟିଏ ଜୀବନ ଯାଉଥିବାରୁ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

କନ୍ଦରସିଂହା ପଞ୍ଚାୟତ ଝରାସାହି ଗାଁର ସୁରେଶ ବେହେରା (୫୦)ଓ ତାଙ୍କ ପତ୍ନୀ ଚାଣ୍ଟି ‌େବହେରା (୪୫) ଅପରାହ୍ଣ ୫ଟାବେଳେ ବିଲରେ ଧାନ କାଟିବା ସମୟରେ ହାତୀ ପହଞ୍ଚି ଯାଇଥିଲା। ଦନ୍ତା ସୁରେଶଙ୍କୁ ଶୁଣ୍ଢରେ ଟେକି ଫିଙ୍ଗିଦେବା ସହ ଚାଣ୍ଟିଙ୍କୁ ଦଳି ଦେଇଥିଲା। ଘଟଣାସ୍ଥଳରେ ଚାଣ୍ଟିଙ୍କର ମୃତ୍ୟୁ ଘଟିଛି। ସୁରେଶଙ୍କ ଗୋଡ଼ ଭାଙ୍ଗି ଯିବାରୁ ସେ ଉଠିନପାରି ଚିତ୍କାର କରିଥି‌େଲ। ଖବର ପାଇ ରେଂଜର୍‌ ହରମୋହନ ନାୟକ ସଦଳବଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ବନ ବିଭାଗ ସୁରେଶଙ୍କୁ ଉଦ୍ଧାର କରି ପର୍ଜଙ୍ଗ ଡାକ୍ତରଖାନା‌େର ଭର୍ତି କରିଥିଲା। ସେଠାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବନ ବିଭାଗ ପକ୍ଷରୁ ଶବ ସଂସ୍କାର ପାଇଁ ୪୦ ହଜାର ଟଙ୍କା ଓ ସୁରେଶଙ୍କ ଚିକିତ୍ସା ପାଇଁ ୫ ହଜାର ଟଙ୍କା ସହାୟତା ଦିଆଯାଇଛି।

ବିଦ୍ୟୁତ ଆଘାତରେ ମୃତ

ଦେବଗଡ଼ : ଦେବଗଡ଼ ଫରେଷ୍ଟ ଡିଭିଜନ ତିଲେଇବଣି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ସାଲୋହୀ ଗ୍ରାମ ନିକଟସ୍ଥ ମୟୁରଦୁମା ନିକଟରୁ ଗୁରୁବାର ଦିନ ଏକ ମାଇ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ୧୧ କେଭି ବିଦ୍ୟୁତ ତାର ସ˚ସ୍ପର୍ଶରେ ଆସି ହାତୀର ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ ସକାଳେ ଧାନ କାଟିବାକୁ ଯାଇଥିବା ସାଲୋହୀ ଗ୍ରାମର ନିକଟସ୍ଥ ଧାନବିଲରେ ଏକ ମାଇହାତୀ ମରି ପଡିଥିବା ଏବ˚ ତା’ ନିକଟରେ ବିଦ୍ୟୁତ୍‌ ତାର ପଡ଼ିଥିବା ଦେଖିବାକୁ ପାଇଥିଲେ।

ବାଇଗଣ କିଆରୀ ମାଲିକ ଅଟକ

କଟକ : ଆଠଗଡ ଡ଼ିଏଫ୍‌ଓଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୫ କିଲୋମିଟର ଦୂର ବାଇଗଣ କିଆରୀରୁ ଏକ ମାଈ ହାତୀର କ୍ଷତାକ୍ତ ମୃତଦେହ ଉଦ୍ଧାର ଘଟଣାକୁ ନେଇ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଛି। ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ବନବିଭାଗ ବାଇଗଣ କିଆରୀର ମାଲିକ ରାଜନଗର ଗ୍ରାମର ପ୍ରସନ୍ନ ଦେହୁରିଙ୍କୁ ଗଲାକାଲି ରାତିରୁ ଅଟକ ରଖିଛି। କିନ୍ତୁ ଏହି ଘଟଣାର ପ୍ରତିବାଦରେ ଆଜି ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟଙ୍କ ନେତୃତ୍ବରେ ଗ୍ରାମବାସୀ ଆଠଗଡ ସଦର ଫରେଷ୍ଟ ରେଞ୍ଜ ଅଫିସ ଓ ପରେ ଡିଏଫ୍‌ଓ ଅଫିସ ଘେରାଉ କରିଛନ୍ତି।

ସମ୍ବନ୍ଧିତ ଖବର