ବୃଦ୍ଧାଙ୍କୁ ହାତୀ ଦଳିଦେବା ଘଟଣା : ଶବ ରଖି ରାସ୍ତା ଅବରୋଧ

ପଣ୍ଡୁଆ/କାମାକ୍ଷାନଗର : ହାତୀ ଆକ୍ରମଣରେ ମଙ୍ଗଳବାର ଦିନ କାମାକ୍ଷାନଗର ବ୍ଲକ ଜବରଦସ୍ତପୁର ଗ୍ରାମର ଜାନକୀ ପ୍ରଧାନ(୫୫)ଙ୍କର ମୃତ୍ୟୁ ଘଟିଥିବା ବେଳେ ଏହାର ପ୍ରତିବାଦରେ ଆଜି ସକାଳ ୧୦ଟାରେ ଗ୍ରାମବାସୀ ମୃତ ଦେହକୁ ପଣ୍ଡୁଆ ଛକଠାରେ ରଖି କାମାକ୍ଷାନଗର-ଢେଙ୍କାନାଳ ରାସ୍ତାକୁ ଅବରୋଧ କରିଥିଲେ। ଆନ୍ଦୋଳନକୁ ସମର୍ଥନ ଜଣାଇ ପଣ୍ଡୁଆ ବ୍ୟବସାୟୀ ସଂଘ ପକ୍ଷରୁ ଦୋକାନ ବଜାର ବନ୍ଦ ରଖାଯାଇଥିଲା।

ଗ୍ରାମବାସୀଙ୍କ ସୂଚନା ଅନୁସାରେ, ୬ ମାସ ତଳେ ଇଚ୍ଛାବତୀପୁର ଗାଁ’ରେ ଦୁଇ ଜଣଙ୍କୁ ହାତୀ ମାରିଥିଲା। ଏହାର ପ୍ରତିବାଦରେ ସେ ସମୟରେ ଗାଁ ଲୋକେ ରାସ୍ତାରୋକ କରିଥିଲେ। ମାସକ ମଧ୍ୟରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ବନ ବିଭାଗ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଅଧ୍ୟାବଧି କ୍ଷତିପୂରଣ ମିଳିନଥିବାରୁ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ସେହିପରି ପଣ୍ଡୁଆରୁ ଇଚ୍ଛାବତୀପୁର, ସୋଗର ଶାଳୁଆଠାରୁ ସୋଗର ଗାଁ, ପଣ୍ଡୁଆଠାରୁ ମାଣ୍ଡୁକୁରା, ପଣ୍ଡୁଆଠାରୁ କୋଟଗରା ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଦୁଇ ପାର୍ଶ୍ୱର ଗଛଡାଳ ସଫା କରିବା ପାଇଁ ବନ ବିଭାଗ ପ୍ରତିଶ୍ରୁତି ଦେଇଥିଲେ ହେଁ ତାହା ମଧ୍ୟ ପୂରଣ କରାଯାଇ ନଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ।

ହାତୀପଲଙ୍କ କବଳରୁ ଧନଜୀବନ ରକ୍ଷା ପାଇଁ ପ୍ରତ୍ୟେକ ଗ୍ରାମରେ ଓ୍ଵାଚ୍‌ଟାଓ୍ଵାର ନିର୍ମାଣ, ହାତୀ ଆକ୍ରମଣରେ ମୃତକଙ୍କ ପରିବାରର ଜଣଙ୍କୁ ଚାକିରି, ନିୟମିତ ପାଟ୍ରୋଲିଂ, ପୂର୍ବରୁ ବନ ବିଭାଗ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ଆନ୍ଦୋଳନକାରୀମାନେ ଦାବି କରିଥିଲେ। ରାସ୍ତାରୋକ ଯୋଗୁ ଗାଡ଼ିମଟର ଚଳାଚଳ ବନ୍ଦ ରହିଥିଲା। ଖବର ପାଇ କାମାକ୍ଷାନଗର ଏସ୍‌ଡିପିଓ ସେକ୍‌ ଅବଦୁଲ କରିମ୍‌, ଏସିଏଫ୍‌ ମହେଶ୍ୱର ପଟ୍ଟନାୟକ, ପର୍ଜଙ୍ଗ ଥାନା ଅଧିକାରୀ ଲିଙ୍ଗରାଜ ଲେଙ୍କା, ତୁମୁସିଂହା ଥାନା ଅଧିକାରୀ ଅକ୍ଷୟ କୁମାର ସାହୁ, ରେଞ୍ଜର ବିଭୂଦାନନ୍ଦ ମିଶ୍ର, ପଣ୍ଡୁଆ ଫାଣ୍ଡି ଅଧିକାରୀ ପ୍ରଭାତ କୁମାର ରାଉତ, ଫରେଷ୍ଟର ସସ୍ମିତା ସ୍ୱାଇଁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ଦାବିପୂରଣ ପାଇଁ ବନ ବିଭାଗ ପୁଣି ଥରେ ଲିଖିତ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ସମାଜସେବୀ ଦୀପକ କୁମାର ମାହୁନ୍ତ, ଜିଲ୍ଲା ପରିଷଦ ସଭ୍ୟ ହୃଦାନନ୍ଦ ପରିଡ଼ା, ମମତା ମାହୁନ୍ତ, ଅଶ୍ୱିନୀ ପରିଡ଼ା ପ୍ରମୁଖ ରାସ୍ତାରୋକ ଆନ୍ଦୋଳନର ନେତୃତ୍ୱ ନେଇଥିଲେ।

ସମ୍ବନ୍ଧିତ ଖବର