ଡେଲାଙ୍ଗରେ ମାତିଛି ଦନ୍ତା

ବନ ବିଭାଗ କର୍ମଚାରୀ ନାକେଦମ୍‌,ଭୟରେ ଗ୍ରାମବାସୀ

ଡେଲାଙ୍ଗ : ଚନ୍ଦକା ଜଙ୍ଗଲରୁ ଚାଲିଆସିଥିବା ଏକ ଦନ୍ତା ହାତୀ ଡେଲାଙ୍ଗ ବ୍ଲକ୍‌ ଅନ୍ତର୍ଗତ ରେଙ୍ଗଳ ଅଞ୍ଚଳର କୁମୁକା ଜଙ୍ଗଲରେ ପଶିଛି । ତିନି ଦିନ ଧରି ହାତୀଟି ଏହି ଜଙ୍ଗଲରେ ରହିିବା ସହିତ ନିକଟସ୍ଥ ଗ୍ରାମରେ ଉପଦ୍ରବ କରୁଥିବା ଦେଖାଯାଇଛି। ବରୁଣେଇ ଜଙ୍ଗଲ ଦେଇ ଚନ୍ଦକାରୁ ହାତୀଟି ଆସିଥିବା ଜଣାପଡ଼ିଛି।

ହାତୀ ଉପଦ୍ରବ ଯୋଗୁଁ କୁଆପଦା ଗ୍ରାମର ମାଲିକ ଜେନାଙ୍କର କଦଳୀ ବାଡ଼ିଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହାକୁ ନେଇ ଘୋରଡ଼ିଆ, କୁଆପଦା, ବେଗୁନିଆପଡ଼ା, ଡାଳୁଅନୂଆପଡ଼ା ଓ କୁମୁଡ଼ାଳ ଆଦି ଗ୍ରାମର ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି। ଅନ୍ୟପକ୍ଷରେ ତିନି ଦିନ ଧରି ହାତୀଟି ନିକଟସ୍ଥ ଜଙ୍ଗଲରେ ବିଚରଣ କରୁଥିବାବେଳେ ବନ ବିଭାଗ କର୍ମଚାରୀ ନାକେଦମ୍‌ ହୋଇଛନ୍ତି। ରିପୋର୍ଟ ଲେଖା ହେବାବେଳକୁ ହାତୀଟିକୁ ଘଉଡ଼ାଇବାରେ ସେମାନେ ସକ୍ଷମ ହୋଇ ପାରି ନାହାନ୍ତି।

ଆଜି ଦିନ ତମାମ ବନ ବିଭାଗ କର୍ମଚାରୀମାନେ ରେଙ୍ଗଳ ଅଞ୍ଚଳରେ ଉପସ୍ଥିତ ରହି ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଘଉଡ଼ାଇ ପାରିନଥିଲେ। ହାତୀଟି ଜଙ୍ଗଲର ପଶ୍ଚିମପଟକୁ ଚାଲି ଯାଇଥିବା ବନ ବିଭାଗ କହିଛି। ଡେଲାଙ୍ଗ ରେଞ୍ଜର ଅଜୟ ଜଗଦେବଙ୍କ ତତ୍ୱାବଧାନରେ ଏକ କ୍ୟାମ୍ପ କରାଯାଇ ହାତୀକୁ ଘଉଡ଼ାଇବା ଉଦ୍ୟମ ଜାରି ରହିଛି। ହାତୀର ପାଦ ଚିହ୍ନକୁ ଲକ୍ଷ୍ୟ କରି ହାତୀର ସନ୍ଧାନ ନିଆଯାଉଛି। ତେବେ ହାତୀ ଭୟରେ ଗ୍ରାମବାସୀମାନେ ଆଜି ସଂନ୍ଧ୍ୟାରେ ବିଲକୁ ମେଳି ବାନ୍ଧି ଯାଉଥିବା ଦେଖା ଯାଇଥିଲା। ରେଞ୍ଜର ଶ୍ରୀ ଜଗଦେବ କହିଛନ୍ତି ଯେ ବନ ବିଭାଗ ହାତୀ ଉପରେ ନଜର ରଖିବା ସହ ପାଦ ଚିହ୍ନରୁ ଏହାର ଗତିବିଧି ଲକ୍ଷ୍ୟ କରି ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଛି।

ସମ୍ବନ୍ଧିତ ଖବର