ଚାଷୀଙ୍କୁ ହାତୀପଲ ଦଳିଦେଲେ

ଶେରଗଡ଼ : ହାତୀ ଜନବସିତିରେ ଉତ୍ପାତ ଚଳାଇଥିଲେ। ଧନଜୀବନ ସୁରକ୍ଷା ନେଇ ଚିନ୍ତିତ ଗ୍ରାମବାସୀ କିଛି ଅଘଟଣ ଘଟିବ ବୋଲି ଆଶଙ୍କା କରୁଥିଲେ। ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ବିଭିନ୍ନ ଗ୍ରାମରେ ୧୨ଟିକିଆ ହାତୀପଲ ଆତଙ୍କ ଜାରି ରଖିଥିଲେ। ଆଜି ହାତୀପଲଙ୍କ ଆକ୍ରମଣରେ ନିରୀହ ଚାଷୀଙ୍କ ଜୀବନ ଗଲା। ଗତ ରାତିରେ ଏହି ବ୍ଲକ ଅଧୀନ ଶୋଭାଚନ୍ଦ୍ରପୁର ଗ୍ରାମରେ ହାତୀପଲଙ୍କ ଆକ୍ରମଣରେ ଭୀମ ବେହେରା ନାମକ ଜଣେ ଚାଷୀଙ୍କ ମୃତ୍ୟୁ ଘଟଣା ଆତଙ୍କର ବାତାବରଣ ଖେଳାଇ ଦେଇଛି।

ସୂଚନା ପ୍ରକାରେ ଭୀମଙ୍କ ଗାଈ ଗତକାଲି ସନ୍ଧ୍ୟାରୁ ଚରିବାକୁ ଯାଇ ଆଉ ଫେରି ନଥିଲା। ଭୀମ ଆଜି ଭୋରରେ ମୁଣ୍ଡରେ ହେଡ୍‌ଲାଇଟ୍ ଲଗାଇ ଗାଈକୁ ଖୋଜିବାକୁ ଯାଇଥିଲେ। କିନ୍ତୁ ସେ ଆଉ ‌ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। କିଛି ସମୟ ପରେ ଶୋଭାଚନ୍ଦ୍ରପୁର-ଚିକିଲି ରାସ୍ତାରେ ଭୀମଙ୍କ ଶବ ଉଦ୍ଧାର କରାଯାଇଥିଲା। ଶବ ପାଖ ମାଟି ଓ ଭୀମଙ୍କ ଶରୀରର ବିଭିନ୍ନ ସ୍ଥାନରେ ହାତୀପାଦ ଚିହ୍ନ ଦେଖିବାକୁ ମିଳିଥିଲା।

ପରେ ବନବିଭାଗ ଓ ଶେରଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଭୀମଙ୍କୁ ହାତୀପଲ କଚାଡ଼ି ମାରି ଦେଇଥିବା ଜଣାପଡ଼ିଛି। ଏନେଇ ଶେରଗଡ଼ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ସହ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଘଟଣା ପରେ ଗାଁରେ ଆତଙ୍କ ଦେଖା ଦେଇଥିବା ବେଳେ ଭୀମଙ୍କ ମୃତ୍ୟୁ ପାଇଁ ଗ୍ରାମବାସୀ ବନବିଭାଗର ଅବହେଳାକୁ ଦାୟୀ କରିଛନ୍ତି।

ସମ୍ବନ୍ଧିତ ଖବର