ହାତୀ ଆକ୍ରମଣରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ଅଞ୍ଚଳରେ ହାତୀ ଆତଙ୍କ ଖେଳାଇ ଦେଇଥିବା ଜଣାଯାଇଛି। ଆଜି ସକାଳେ ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଥିବା ଘଟଣା ଲୋକଲୋଚନକୁ ଆସିଛି।
ମିଳିଥିବା ସୂଚନା ଅନୁଯାୟୀ, ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଶୁଆଖାଇ କାଟେଣୀ ପଞ୍ଚାୟତର ବେଲଗୁଣ୍ଠା ଗାଁରେ ଦନ୍ତାହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ମହିଳା ଜଣକ ହେଲେ ସୀତା ଭୂୟାଁ।

ଆଜି ଭୋରରୁ ସୀତା ଏବଂ ତାଙ୍କ ଯାଆ ଶୌଚ ପାଇଁ ଯିବା ସମୟରେ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀକୁ ଦେଖି ସେ ଚିତ୍କାର କରିଥିଲେ। ତାଙ୍କ ପାଟି ଶୁଣି ଘଟଣାସ୍ଥଳକୁ ଗ୍ରାମବାସୀ ଧାଇଁ ଆସିଥିଲେ। ଏହାପରେ ହାତୀଟି ସେହି ସ୍ଥାନ ଛାଡ଼ି ଚାଲି ଯାଇଥିଲା। ସୀତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ବନ ବିଭାଗ ଟିମ ପହଞ୍ଚି ତଦନ୍ତ କରୁଥିବା ଜଣାଯାଇଛି। ଏହି ଘଟଣା ଏବେ ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାଯୋଗ୍ୟ,  ଗତ ୫ ତାରିଖରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ରେଞ୍ଜ୍ ବନାଞ୍ଚଳର ମାଟିଆ ସାହିରେ  ବୃଦ୍ଧା ସଜନୀ ପ୍ରଧାନ (୬୭) ଓ ତାଙ୍କ ସ୍ୱାମୀ ଭରତ ପ୍ରଧାନ (୮୦) ଘରେ ଶୋଇଥିବା ବେଳେ ଦମ୍ପତିଙ୍କୁ ଆକ୍ରମଣ କରିଥିଲା ହାତୀ । ବରଡ଼ାଛପର ଘରେ ସେଦୁହେଁ ଶୋଇଥିବା ବେଳେ ହାତୀଟି କବାଟ ଭାଙ୍ଗି ଘର ଭିତରକୁ ପଶି ନିଜ ଶୁଣ୍ଢରେ ସଜନୀଙ୍କୁ କଚାଡ଼ି ଦେଇଥିଲା। ତାପରେ ଭରତଙ୍କୁ ଆକ୍ରମଣ କରି ଚାଲିଯାଇଥିଲା। ଏହି ଆକ୍ରମଣରେ ଭରତ ଅଳ୍ପକେ ବର୍ତ୍ତି ଯାଇଥିଲେ ହେଁ ସଜନୀଙ୍କର ସେଠାରେ ମୃତ୍ୟୁ ଘଟିଥିଲା।

ଗତ ୩ ତାରିଖରେ ଢେଙ୍କାନାଳ ସଦର ରେଞ୍ଜ୍ ବନାଞ୍ଚଳରେ ଚାଉଳିଆ ଗାଁର ବିନତି ଷେଣ୍ଢ ନାମକ ଜଣେ ମହିଳାଙ୍କୁ ହାତୀ ନିଜ ଶୁଣ୍ଢରେ କଚାଡ଼ି ଦେଇଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ମହିଳାଜଣଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

 

ସମ୍ବନ୍ଧିତ ଖବର