ବିପଦରେ ହାତୀ କରିଡର, ୬ ବର୍ଷରେ ମଲେଣି ୬୦

୨୦ ଜଣଙ୍କୁ ମାରିଲେଣି ହାତୀ, ହାତୀଙ୍କ ପାଇଁ ‌େପାଖରୀ ଖୋଳାରେ ଦୁର୍ନୀତି

କଟକ: ଜଙ୍ଗଲ ଛାଡି ଜନବସତି ମୁହାଁ ହାତୀପଲ। ଢେଙ୍କାନାଳ, ସାତକୋଶିଆ, ହିନ୍ଦୋଳ, ଆଠଗଡ,ମହାନଦୀ, ବାଙ୍କୀ, ଡମପଡା ଦେଇ ଚନ୍ଦକା ହେଉଛି ହାତୀଙ୍କର ଏକ ସୁରକ୍ଷିତ କରିଡର। କରିଡର ବର୍ତ୍ତମାନ ବିପଦରେ। ହାତୀ କରିଡର ପାଖରେ କେଉଁଠି ସୁଉଚ୍ଚ ପାଚେରୀ ତ ପୁଣି କେଉଁଠି ହାତୀଙ୍କ ଚଲାପଥରେ ହୋଇଛି ବେଆଇନ ନିର୍ମାଣ ଓ ରେଳପଥ। ତା ସାଙ୍ଗକୁ ଜଙ୍ଗଲ କ୍ଷୟ। କଟକ ଜିଲ୍ଲାରେ ଦ୍ରୃତ ଜଙ୍ଗଲ କ୍ଷୟ ହାତୀଙ୍କ ପାଇଁ ବିପଦ ସାଜିଛି। ହାତୀ ଯେପରି ଜଙ୍ଗଲ ଭିତରେ ସୁରକ୍ଷିତ ରହିବେ ସେଥିପାଇଁ ଲଗାଯାଇଛି ୪୨ ଲକ୍ଷ ଟଙ୍କାର ସୋଲାର ବାଡ। ଟ୍ରେଞ୍ଚ ଖୋଳିବାରେ ବି ଖର୍ଚ୍ଚ ହୋଇଛି ଲକ୍ଷାଧିକ ଟଙ୍କା। ହାତୀଙ୍କ ପାଇଁ ଏଭଳି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି କଟକ ଜିଲ୍ଲାର ଆଠଗଡ ବନଖଣ୍ତର ୫ଟି ରେଞ୍ଜରେ। ଏହା ସତ୍ତ୍ବେ ଗତ ୬ ବର୍ଷ ମଧୢରେ ଜିଲ୍ଲାରେ ୬୦ ହାତୀଙ୍କ ଜୀବନ ଯାଇଥିବା ବେଳେ ହାତୀ ନେଇସାରିଲେଣି ୨୦ରୁ ଅଧିକ ମଣିଷଙ୍କ ଜୀବନ। ୨୦୧୩-୧୪ରୁ ବର୍ତ୍ତମାନ ସୁଦ୍ଧା ୪ବର୍ଷ ମଧୢରେ କେବଳ ଜଙ୍ଗଲ ଭିତରେ ପୋଖରୀ ଖୋଳିବା ପାଇଁ ବନବିଭାଗ ଖର୍ଚ୍ଚ କରିଛି ୧ କୋଟି ୮ଲକ୍ଷ ଟଙ୍କା। ନରସି˚ହପୁର ଇଷ୍ଟ ରେଞ୍ଜରେ ସର୍ବାଧିକ ୩୦ ଲକ୍ଷ ଓ ନରସି˚ହପୁର େଵଷ୍ଟ ରେଞ୍ଜରେ ୨୦ ଲକ୍ଷ ଟଙ୍କା ପୋଖରୀ ଖନନ ପାଇଁ ଖର୍ଚ୍ଚ କରାଯାଇଛି। ବଡମ୍ବା ରେଞ୍ଜରେ ଟ୍ରେଞ୍ଜ ଖୋଳିବା ପାଇଁ ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଅନ୍ୟ ପକ୍ଷରେ ବନ ବିଭାଗ ଏହି ସବୁ କାମ କରିଥିବା କହୁଥିବା ବେଳେ ବାସ୍ତବିକ ସେଠାରେ ପୋଖରୀ ଅଛି ନା ନାହିଁ, ହାତୀଙ୍କ ପାଇଁ ସେ ପ୍ରକାର କୌଣସି ପାଣି ପିଇବା ବ୍ୟବସ୍ଥା ଅଛି କି ନାହିଁ, ତାହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ମତ ପ୍ରକାଶ ପାଇଛି। ହାତୀ ଦ୍ବାରା କ୍ଷତିକୁ ବିଚାର କରି ୨ ବର୍ଷରେ ରାଜ୍ୟ ସରକାର ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର କ୍ଷତିପୂରଣ ଦେଇ ସାରିଥିବା ଜଣାପଡିଛି। ଆଠଗଡ ଉପଖଣ୍ତର ୫ଟି ରେଞ୍ଜ ମଧୢରୁ ଖୁଣ୍ଟୁଣୀ ରେଞ୍ଜରେ ସର୍ବାଧିକ ୯୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଛି। ରେକର୍ଡ ଅନୁଯାୟୀ ୨୦୧୫-୧୬ରେ ହାତୀପଲଙ୍କ ଦ୍ବାରା ୧୨୮୮ଲୋକଙ୍କ ଚାଷ ଜମି କ୍ଷୟକ୍ଷତି ହୋଇଥିବାବେଳେ ୨୦୧୬-୧୭ରେ ଏହାର ପରିମାଣ ୩ଗୁଣ ବୃଦ୍ଧି ପାଇ ୩୭୭୮ରେ ପହଞ୍ଚିଛି। ସେହିପରି ୨୦୧୫-୧୬ରେ ୩୯୮ ହେକ୍ଟର ଚାଷଜମି ନଷ୍ଟ ହୋଇଥିବାବେଳେ ୨୦୧୬-୧୭ରେ ୧୧୦୧ହେକ୍ଟର ଚାଷ ଜମି ନଷ୍ଟ ହୋଇଛି। କଟକ ଜିଲ୍ଲାରେ ଗଲା ଦୁଇବର୍ଷରେ ପ୍ରାୟ ଅଢେଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର କ୍ଷତିପୂରଣ ପାଇଛନ୍ତି କ୍ଷତିଗ୍ରସ୍ତ ଗ୍ରାମବାସୀ। କଟକ ଜିଲ୍ଲାର ଡାଳିଯୋଡା ରେଞ୍ଜ ଅନ୍ତର୍ଗତ ଚୌଦ୍ବାର, ଭଗତ୍‌ପୁର, ମଙ୍ଗରାଜପୁର, ବିଶ୍ବନାହାକାଣୀ, ବୈରୀ , ସଫା, ଚଣ୍ଡିଖୋଲ, ନଇଦା, ଅରୁଣିଆ, ଅଳକଳା ଅଞ୍ଚଳରେ ଘୂରି ବୁଲୁଛନ୍ତି ୩୬ ହାତୀ। ‌ହାତୀପଲ ବ୍ୟାପକ ଫସଲ ନଷ୍ଟ କରୁଥିବାରୁ ଏହାକୁ ନେଇ ଚିନ୍ତାରେ ଚାଷୀ। ଅନ୍ୟପଟେ ଢେଙ୍କାନାଳ ଘଟଣା ପରେ କାଳେ କିଛି ଅଘଟଣ ଘଟିବ ସେହି ଚିନ୍ତାରେ ବନ ବିଭାଗ। ଗୋଟିଏ ପଟେ ହାତୀ ପଛରେ ବନକର୍ମଚାରୀ ବୁଲୁଥିବାବେଳେ କେଉଁଠି ନୁଆଁଣିଆ ତାର ଝୁଲୁଛି, ବା ଜନ୍ତୁ ଶିକାର ପାଇଁ ବିଦ୍ୟୁତ୍ ଫାସ ପଡିଛି ତାର ତନଖି ଚଳାଇଛନ୍ତି। ଆଠଗଡ ରେଞ୍ଜକୁ ଆସି ଚନ୍ଦକାରେ ୩ଟି ଦନ୍ତା ପଶିଥିବାବେଳେ ଏବେ ଉକ୍ତ ରେଞ୍ଜରେ ବୁଲୁଛନ୍ତି ୨୩ ହାତୀ। ମେଘା, ଖୁଣ୍ଟୁଣୀ ରେଞ୍ଜ ସମେତ ବିଭିନ୍ନ ଅଂଚଳରେ ହାତୀ ପଲ ବ୍ୟାପକ ଫସଲ ନଷ୍ଟ କରୁଥିବା ଅଭିଯୋଗ ‌କରୁଛନ୍ତି ଚାଷୀ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ‌ ହେଲା ହାତୀପଲ ଯାଉଥିବାବେଳେ ସାଧାରଣ ଲୋକ ପହଞ୍ଚି ଏକପ୍ରକାର ପଥରୋଧ କରୁଥିବା ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ।

ସମ୍ବନ୍ଧିତ ଖବର