ପରିତ୍ୟକ୍ତ କୂଅରୁ ହାତୀ ଛୁଆ ଉଦ୍ଧାର

ନିରାକାରପୁର : ନିରାକାରପୁର ପଞ୍ଚାୟତର ମଞ୍ଚାରିଆପାଟଣା ଗ୍ରାମର ପ୍ରଭା ବେହେରାଙ୍କ ବାରିପଟେ ଥିବା ଏକ ପରିତ୍ୟକ୍ତ କୂଅରୁ ଆଜି ଏକ ୫ ମାସର ହାତୀ ଶାବକକୁ ଉଦ୍ଧାର କରାଯାଇଛି। ଭୋର୍‌ ପ୍ରାୟ ସାଢ଼େ ୫ଟାରେ ଖୋର୍ଧା ବନ ବିଭାଗ, ଅଗ୍ନିଶମ ବିଭାଗ ଓ ସ୍ଥାନୀୟବାସୀଙ୍କ ମିଳିତ ଉଦ୍ୟମରେ ଏହି ହାତୀ ଛୁଆଟିକୁ ଉଦ୍ଧାର କରାଯାଇଥିଲା। ଖୋର୍ଧା ଓ ପରେ ଭୁବେନଶ୍ୱରସ୍ଥିତ ଓୟୁଏଟି ପ୍ରାଣୀ ଚିକିତ୍ସାଳୟରେ ତାକୁ ଚିକିତ୍ସା କରାଯିବା ପରେ ନନ୍ଦନକାନନ କର୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି। ସଂଧ୍ୟା ପ୍ରାୟ ସାଢ଼େ ୫ଟାରେ ହାତୀଛୁଆଟି ନନ୍ଦନକାନନରେ ପହଞ୍ଚିବା ପରେ ସେଠାରେ ତାକୁ ଏକ ସ୍ୱତନ୍ତ୍ର ସେଲ୍‌ରେ ରଖାଯାଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, କିଛି ଦିନ ହେବ ୨୫ରୁ ଊର୍ଧ୍ୱ ଏକ ହାତୀପଲ ଟାଙ୍ଗୀ ରେଞ୍ଜ ଅଧୀନ ରତାମାଟିର ଟୁବୁରି ପାହାଡ଼, ନିରାକାରପୁରର ଚିତ୍ରକୂଟ ପାହାଡ଼ ଓ ଖଜୁରିଆ ମୁଣ୍ଡିଆରେ ରହି ଆସୁଥିଲେ। ଏହି ହାତୀପଲ ଦିନ ବେଳେ ଏହି ମୁଣ୍ଡିଆଗୁଡ଼ିକରେ ଆତ୍ମଗୋପନ କରନ୍ତି। ସଂଧ୍ୟା ହେଲେ ଧାନ ଜମି ସମେତ ବିଭିନ୍ନ ବାଡ଼ି ବଗିଚାରେ ପଶି ଫସଲ ନଷ୍ଟ କରନ୍ତି। ଗତରାତିରେ ଏହି ହାତୀପଲ ୨ଭାଗ ହୋଇ ଯାଇଥିଲେ। ସେଥିରୁ ୮/୯ଟି ହାତୀ ଖଜୁରିଆ ମୁଣ୍ଡିଆରୁ ପଦ୍ମପୁର ସ୍କୁଲ ଡେଇଁ ନୂଆ ଜଗନ୍ନାଥ ସଡ଼କ ପାର୍‌ ହୋଇଥିଲେ। ସେଥିମଧ୍ୟରୁ ଏହି ମାଈ ହାତୀ ଶାବକଟି ଗୋଠଛଡ଼ା ହୋଇ ମଞ୍ଚାରିଆପାଟଣାସ୍ଥିତ ପ୍ରଭା ବେହେରାଙ୍କ ବାରି ପଛପଟେ ଥିବା କୂଅରେ ପଡ଼ି ଯାଇଥିଲା। ହାତୀପଲକୁ ପିଛା କରୁଥିବା ଫରେଷ୍ଟ ଷ୍ଟାଫ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ବହୁ ଚେଷ୍ଟା ସତ୍ତ୍ୱେ ହାତୀ ଛୁଆଟିକୁ କୂଅରୁ ବାହାର କରିନ ପାରିବାରୁ ଟାଙ୍ଗୀ ଅଗ୍ନିଶମ ବିଭାଗର ସହାୟତା ନିଆଯାଇଥିଲା। ଉଭୟ ବିଭାଗର ଉଦ୍ୟମ ଓ ସ୍ଥାନୀୟବାସୀଙ୍କ ସହଯୋଗରେ ଶେଷରେ ଛୁଆଟିକୁ ଉଦ୍ଧାର କରାଯାଇଥିଲା। ଖୋର୍ଧା ଓ ଭୁବନେଶ୍ୱରସ୍ଥିତ ଓୟୁଏଟି ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା କରାଯିବା ପରେ ଏହି ହାତୀ ଶାବକଟିକୁ ନନ୍ଦନକାନନ କର୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି। ନନ୍ଦନକାନନର ଏକ ସ୍ୱତନ୍ତ୍ର ସେଲ୍‌ରେ ଏହି ହାତୀ ଛୁଆଟିକୁ ରଖାଯାଇଥିବା ଫରେଷ୍ଟର୍‌ ପ୍ରଭାକର ଦଳେଇ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର