ହାତୀ ପାଇଁ ୪ ଘଣ୍ଟା ରେଳ ଚଳାଚଳ ବନ୍ଦ

ଖାତରେ ପଡ଼ି ଛୁଆହାତୀ ମୃତ

ରାଉରକେଲା : ରାଉରକେଲା ନିକଟସ୍ଥ ବିଶ୍ରା ରେଞ୍ଜ ଅନ୍ତର୍ଗତ ମହିପାଣି ଲେଭଲ କ୍ରସିଂ ନିକଟସ୍ଥ ତୃତୀୟ ରେଳଲାଇନ ନିର୍ମାଣ ପାଇଁ ଖୋଳା ଯାଇଥିବା ଖାତରେ ପଡି ଏକ ତିନିମାସର ଛୁଆହାତୀ ମୃତ୍ୟୁବରଣ କରିଛି। ନିର୍ମାଣକାରୀ ଠିକା ସଂସ୍ଥାର ଖାମଖିଆଲି ମନୋଭାବ କାରଣରୁ ଏହି ଘଟଣା ଘଟିଥିବା କୁହାଯାଉଛି। ରେଳଲାଇନ୍‌ ନିକଟରେ ହାତୀପଲ ଉତ୍ପାତ କରିବାରୁ ସାଢ଼େ ୪ ଘଣ୍ଟା ଧରି ରେଳ ଚଳାଚଳ ବନ୍ଦ ରହିଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୨ଟାରେ ଦୁଇ ଛୁଆ ହାତୀ ସମେତ ୧୭ଟି ହାତୀଙ୍କର ଏକ ପଲ ମହିପାଣି ସଂରକ୍ଷିତ ଜଙ୍ଗଲରୁ ବାହାରି ମହିପାଣି ଗାଁ ଆଡ଼କୁ ଯାଉଥିଲେ। ଲେଭଲ କ୍ରସିଂ ନିକଟରୁ ପ୍ରାୟ ୩୦୦ ମିଟର ଦୂର ପାରି ହେଉଥିଲାବେଳେ ଅଣ୍ଡିରା ଛୁଆ ହାତୀଟିଏ ରେଳଲାଇନ ତିଆରି ପାଇଁ ଖୋଳା ହୋଇଥିବା ଏକ ଖାତରେ ପଡିଯାଇଥିଲା। ଛୁଆହାତୀକୁ ଉଦ୍ଧାର କରିବାକୁ ମା’ ସମେତ ଅନ୍ୟ ହାତୀମାନେ ଶୁଣ୍ଢରେ ମାଟି ଓ ପଥର ଖାତ ଭିତରେ ପକାଇଥିଲେ। ଖାତ ପୋତି ହୋଇଯିବାରୁ ଅଣନିଶ୍ବାସ ହୋଇ ଛୁଆ ହାତୀର ମୃତ୍ୟୁ ହୋଇଯାଇଥିଲା।

ତା’ପରେ ଦଳରେ ଥିବା ସବୁ ହାତୀ ରାତି ପ୍ରାୟ ୨ଟା ପର୍ଯ୍ୟନ୍ତ ଘଟଣାସ୍ଥଳରେ ଉତ୍ପାତ କରିଥିଲେ। ଖାତ ନିକଟରୁ ସେମାନେ ଯାଇ ନ ଥିଲେ କି ତା’ ପାଖକୁ କୌଣସି ଲୋକଙ୍କୁ ଛାଡି ନ ଥିଲେ।
ବନବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନିଆଁହୁଳା ଦେଖାଇଥିଲେ। ବାଣ ଫୁଟାଇ ହାତୀପଲକୁ ସେଠାରୁ ମହିପାଣି ସଂରକ୍ଷିତ ଜଙ୍ଗଲକୁ ‌ଘଉଡ଼ାଇ ଦେଇଥିଲେ। ହାତୀପଲ ଜଙ୍ଗଲକୁ ଚାଲିଯିବା ପରେ ରାତି ପ୍ରାୟ ୩ ଟାରେ ବନ ବିଭାଗ କର୍ମଚାରୀମାନେ ଖାତ ଭିତରୁ ହାତୀଛୁଆର ମୃତଦେହକୁ ଉଦ୍ଧାର କରିଥିଲେ।

ସେପଟେ ରେଳଲାଇନ ନିକଟରେ ହାତୀପଲଙ୍କ ଉତ୍ପାତ, ବନ ବିଭାଗର ଉଦ୍ଧାର କାର୍ଯ୍ୟ ପାଇଁ ବମ୍ବେ- ହାୱଡା ମୁଖ୍ୟ ଲାଇନରେ ରାତି ସାଢ଼େ ୧୨ଟାରୁ ସାଢ଼େ ୪ଟା, ଅର୍ଥାତ୍‌ ମୋଟ୍‌ ସାଢ଼େ ୪ ଘଣ୍ଟା ରେଳ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ରାଉରକେଲା ଦେଇ ଯାତାୟତ କରୁଥିବା ଦୂରନ୍ତ ଏକ୍ସପ୍ରେସ୍‌, ଜ୍ଞାନେଶ୍ବରୀ ଏକ୍ସପ୍ରେସ, ବମ୍ବେ- ହାୱଡା ମେଲ୍‌ ସମେତ ୧୨ରୁ ଅଧିକ ଏକ୍ସପ୍ରେସ୍‌ ସମେତ ୧୦ରୁ ଅଧିକ ମାଲବାହୀ ଟ୍ରେନର ଚଳାଚଳ ପ୍ରଭାବିତ ହୋଇଥିଲା। କେତେକ ରାସ୍ତାରେ ଅଟକି ରହିଥିବାବେଳେ କେତେକ‌ ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଥିଲା।

ଭୋର ସାଢ଼େ ୪ଟା ପରେ ଯାତାୟତ ସ୍ବାଭାବିକ ହୋଇଥିଲେ ହେଁ ଅନେକ ଏକ୍ସପ୍ରେସ, ସୁପରପାଷ୍ଟ ସମେତ ପାସେଞ୍ଜର ଟ୍ରେନ ସାଢ଼େ ୪ଘଣ୍ଟା ବିଳମ୍ବରେ ଚାଲିଥିବାରୁ ଯାତ୍ରୀମାନଙ୍କୁ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେବାକୁ ପଡିଥିଲା।

ସମ୍ବନ୍ଧିତ ଖବର