ହାତୀର ଗଳିତ ଶବ ଉଦ୍ଧାର

ପର୍ଜଙ୍ଗ : ମହାବିରୋଡ଼ ରେଞ୍ଜ ତଥା ପର୍ଜଙ୍ଗ ବ୍ଲକ୍‌ ବସନ୍ତପଡ଼ା ଗାଁ ଡ୍ୟାମ୍‌ ନିକଟରେ ବନ ବିଭାଗ ଆଜି ଏକ ହାତୀର ଗଳିତ ଶବ ଉଦ୍ଧାର କରିଛି। ଏହାକୁ ମିଶାଇ ଗତ ୩ ବର୍ଷ ମଧ୍ୟରେ ବ୍ଲକ୍‌ରେ ୬ଟି ହାତୀ ମରିଥିବା ଜଣାପଡ଼ିଛି।

ବନ ବିଭାଗ ସୂତ୍ରରୁ ପ୍ରକାଶ, ବସନ୍ତପଡ଼ା ଗାଁଠାରୁ ଅଳ୍ପଦୂର ଏକ ଖାଲରେ ଗୋଟିଏ ହାତୀର ଶବ ପଡ଼ିଥିବା ଖବର ମିଳିବା ପରେ ବିଭାଗ ପକ୍ଷରୁ ପ୍ରାଣୀ ଚିକିତ୍ସକଙ୍କର ଏକ ଦଳ ସେଠ‌ାରେ ପହଞ୍ଚି ଶବ ବ୍ୟବଚ୍ଛେଦ କରିଥିଲେ। ପ୍ରାୟ ୮ ଦିନ ତଳେ ହାତୀର ମୃତ୍ୟୁ ଘଟିଥିବାବେଳେ ଶବ ପଚି ଯାଇଥିଲା। ହାତୀଟି ମାଈ କି ଅଣ୍ଡିରା ଜଣାପଡ଼ୁନାହିଁ। ଏହାର ମୃତ୍ୟୁର କାରଣ ମଧ୍ୟ ଜଣାପଡ଼ିନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ତାହା ଜଣାପଡ଼ିବ ବୋଲି ପ୍ରାଣୀ ଚିକିତ୍ସକ ଡା. ରଂଜିତ ସାହୁ, ଡା. ସରୋଜ ମହାନ୍ତି, ଡା. ଶୈଳେନ୍ଦ୍ରୀ ଗୁପ୍ତା କହିଛନ୍ତି। ଏ ସଂପର୍କରେ ରେଞ୍ଜର ହରମୋହନ ନାୟକ କହିଛନ୍ତି ‘ମୃତ ହାତୀଟି ଏକ ମାଈହାତୀ ଥିଲା। ଏହାର ବୟସ ପ୍ରାୟ ୧୦ ବର୍ଷ ହେବ। ପଲରେ ମାଡ଼ ଲାଗି ଏହାର ମୃତ୍ୟୁ ଘଟିଥାଇପାରେ।’

ସୂଚନା ଯୋଗ୍ୟ, ଗତ ମେ ମାସରେ ବାଇଗିଣିଆ ଗାଁ ନିକଟରେ ଏକ ମାଈହାତୀ ଅସୁସ୍ଥ ହୋଇ ମରିଯାଇଥିଲା। ସେହିପରି ଗତ ୩ ବର୍ଷ ମଧ୍ୟରେ ତୁଳସୀପଶି, ବସୋଇ, ପଥରଖମ୍ବ, କମର୍ଦ୍ଦାଠାରେ ଗୋଟିଏ ଲେଖାଏଁ ହାତୀର ଗଳିତ ଶବ ଉଦ୍ଧାର କରାଯାଇଥିଲା। ହାତୀ ମରିବାର ପ୍ରାୟ ୮ ଦିନ ପର୍ଯ୍ୟନ୍ତ ବନ ବିଭାଗ ଜାଣିନପାରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ହାତୀଙ୍କ ପାଇଁ ଜଙ୍ଗଲରେ ବହୁ ପରିମାଣ ପଣସ, ବାଉଁଶ, ବର, କଇଁଥ ପ୍ରଭୃତି ଗଛ ଲଗାଯିବା, ପୋଖରୀ ଖୋଳି ପାଣି ବ୍ୟବସ୍ଥା କରାଯିବାକୁ ବହୁ ଅର୍ଥ ବ୍ୟୟ କରାଯାଉଛି। କିନ୍ତୁ ଠିକ୍‌ ଭାବେ ଏହା କରାଯାଉନଥିବାରୁ ଖାଦ୍ୟ ଓ ପାଣି ଅଭାବରୁ ହାତୀ ଗାଁ ମୁହାଁ ହେଉଛନ୍ତି। ତେବେ ଜଙ୍ଗଲରେ ଅଳ୍ପକିଛି କଇଁଥ ଗଛ ଲଗାଯାଇଛି ବୋଲି ରେଞ୍ଜର ଶ୍ରୀ ନାୟକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର