ଚିକିତ୍ସାଧୀନ ମାଈ ହାତୀ ଆଖି ବୁଜିଲା, ମା’କୁ ଝୁରୁଛି ୫ ମାସର ଶାବକ

ଦେବଗଡ଼ : ହିରନ ଗ୍ରାମରେ ଦେଢ଼ ମାସରୁ ଅଧିକ ସମୟ ଧରି ଚିକିତ୍ସିତ ହେଉଥିବା ଅସୁସ୍ଥ ମାଈ ହାତୀଟିର ରବିବାର ସକାଳେ ମୃତ୍ୟୁ ହୋଇଛି। ତେବେ ମା’ର ମୃତ୍ୟୁ ପରେ ୫ ମାସର ହାତୀ ଶାବକ ଶବ ଚାରି ପଟେ ଘୂରି ବୁଲିବା ଓ ମା’କୁ ଉଠାଇବା ପ୍ରୟାସ କରି ଲୁହ ଝରାଇବା ଭଳି ଦୃଶ୍ୟ ସେଠାରେ ଉପସ୍ଥିତି ଗ୍ରାମବାସୀ ଓ ବନ କର୍ମଚାରୀଙ୍କୁ ବ୍ୟଥିତ କରିଛି।

ପ୍ରକାଶ ଥାଉ କି ଉକ୍ତ ଅସୁସ୍ଥ ମାଈ ହାତୀଟି ଏପ୍ରିଲ ମାସ ୬ ତାରିଖରେ ନିଜ ୩ ମାସର ଶାବକ ସହ ଖଳାଶୁଣି ସଂରକ୍ଷିତ ଜଙ୍ଗଲରୁ ଦେବଗଡ଼ ବନାଞ୍ଚଳ କଂସର ସେକ୍ସନ ଅନ୍ତର୍ଗତ ହିରନ ଗ୍ରାମକୁ ଚାଲି ଆସିଥିଲା। ଗ୍ରାମବାସୀ ବୟସ୍କ ମାଈହାତୀ ଅସୁସ୍ଥ ଥିବା ଓ ଭଲ ଭାବେ ଚାଲିପାରୁ ନଥିବା ଜାଣିବା ପରେ ବନ ବିଭାଗକୁ ସୂଚନା ଦେଇଥିଲେ। ବନ ବିଭାଗ କର୍ମଚାରୀମାନେ ପହଞ୍ଚି ହାତୀ ଓ ତା’ର ଶାବକୁ ଖାଇବାକୁ ଦେଇଥିଲେ। ତିଲେଇବଣୀ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡା. ସତ୍ୟବ୍ରତ ମିଶ୍ର ଓ ପରବର୍ତ୍ତୀ ସମୟରେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ କାର୍ଯ୍ୟରତ ବିଶେଷଜ୍ଞ ଡାକ୍ତର ହାତୀଟିର ଚିକିତ୍ସା କରୁଥିଲେ। ବନ ବିଭାଗ, ପ୍ରାଣୀ ଚିକିତ୍ସା ବିଭାଗ ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ହାତୀଟି ସାମାନ୍ୟ ସୁସ୍ଥ ହେବା ପରେ ଗତ ବୁଧବାର ରାତିରେ ଛୁଆ ସହ ନିଜ ବାସସ୍ଥାନ ଖଳାଶୁଣି ଜଙ୍ଗଲକୁ ଫେରିବାକୁ ଉଦ୍ୟମ କରିଥିଲା। ହିରନ ଗ୍ରାମଠାରୁ ମାତ୍ର ୩ ଶହ ମିଟର ଦୂର ଯିବା ପରେ ଖଳାଶୁଣି ଜଙ୍ଗଲ ଅନ୍ତର୍ଗତ ଏକ ଗାତରେ ପଡ଼ିଯାଇଥିଲା। ଖଳାଶୁଣି ଓ ଦେବଗଡ଼ ବନାଞ୍ଚଳ କର୍ମଚାରୀ, ପ୍ରାଣୀ ଚିକିତ୍ସକ ଓ ଗ୍ରାମବାସୀଙ୍କ ଆପ୍ରାଣ ଉଦ୍ୟମ ସତ୍ତ୍ବେ ସେ ଆଉ ଉଠିପାରି ନଥିଲା। ସେଠାରେ ହିଁ ତା’ର ଚିକିତ୍ସା କରାଯାଉଥିବା ବେଳେ ରବିବାର ସକାଳେ ହାତୀଟିର ମୃତ୍ୟୁ ହୋଇଯାଇଛି। ଖଳାଶୁଣି ବନାଞ୍ଚଳ କର୍ତ୍ତୃପକ୍ଷ ହାତୀଟିର ଶବକୁ ମାଟିରେ ‌ପୋତି ଦେଇଥିଲେ। ବର୍ତ୍ତମାନ ୫ ମାସର ହାତୀ ଶାବକଟିକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ଖଳାଶୁଣି କର୍ତ୍ତୃପକ୍ଷ ଉଦ୍ୟମ ଆରମ୍ଭ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର