ଗୁଳିମାଡ଼ରେ ଦନ୍ତା ମଲା!

ମୁଣ୍ଡ, ବେକ ଓ ଗୋଡ଼ରେ ରହିଛି ଗଭୀର କ୍ଷତ, ମେଟାଲ ଡିଟେକ୍ଟରରେ ମୃତଦେହ ଯାଞ୍ଚ, ବନ ବିଭାଗର ଅସ୍ବୀକାର

ଦିଗପହଣ୍ଡି/ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ‌ବନାଞ୍ଚଳ ଅନ୍ତର୍ଗତ ନିମଖଣ୍ଡିପେଣ୍ଠ-ମେଘଝୁଳି ଗ୍ରାମର ଧାନବେଢା କେନାଲ ହିଡ଼ରେ ଉପରେ ଆଜି ସକାଳେ ଏକ ଦନ୍ତାହାତୀର ମୃତଦେହ ପଡିଥିବା ଦେଖିବାକୁ ମିଳିଛି। ମୃତ ହାତୀର ଶୁଣ୍ଢ, ବେକ, ମୁଣ୍ଡ, ପେଟ ଓ ଆଗ ଗୋଡ଼ରେ ଗଭୀର କ୍ଷତ ଲାଗିଛି। ପାରିପାର୍ଶ୍ବିକ ଅବସ୍ଥାରୁ ଦନ୍ତାକୁ ଗୁଳିକରି ହତ୍ୟା କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବନବିଭାଗ କହିଛି ଯେ ହାତୀ-ହାତୀ ସଂଘର୍ଷରୁ ହିଁ ଏହିଭଳି ଘଟଣା ଘଟିଛି। ତେବେ, ଏହାର ସତ୍ୟାସତ୍ୟରେ ପହଞ୍ଚିବା ପାଇଁ ମୃତ ହାତୀର ଶରୀରକୁ ମେଟାଲ ଡିଟେକ୍ଟରରେ ଯାଞ୍ଚ କରାଯାଇଛି।

ସୂଚନା ଅନୁଯାୟୀ, ଲଖାରୀ ଜଙ୍ଗଲରୁ ଏକ ହାତୀପଲ ଆସି ଦୀର୍ଘ ୨ ବର୍ଷ ହେଲା ଦିଗପହଣ୍ଡି ଅଞ୍ଚଳରେ ରହିଛନ୍ତି। ଗତ କିଛିଦିନ ହେଲା ଏକ ୬ ଟିକିଆ ହାତୀପଲ ଦିଗପହଣ୍ଡି ଠାରୁ ୫କିମି ଦୂର ଚାଙ୍ଗୁଡିଦେଇ ଜଙ୍ଗଲରେ ରହି ଆସୁଛନ୍ତି। ଉକ୍ତ ଦଳରେ କେବଳ ଏହି ଗୋଟିଏ ଦନ୍ତା(ମୃତ) ରହିଥିଲା। ଗତ ଦୁଇ ଦିନ ତଳେ ଉକ୍ତ ଦଳରେ ଏକ ମାଈ ହାତୀ ଏବଂ ଛୁଆ ଆସି ମିଶିଥିଲେ। ହାତୀ ସଂଖ୍ୟା ୮ରେ ପହଁଞ୍ଚିଥିଲା।

ରବିବାର ଭୋରରେ କେନାଲ ହିଡରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ଦନ୍ତାର ମୃତଦେହ ପଡିଥିବା ନିମଖଣ୍ଡିପେଣ୍ଠ ଗ୍ରାମବାସୀ ଦେଖିବାକୁ ପାଇ ବନବିଭାଗକୁ ଜଣାଇଥିଲେ। ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ହାତୀର ବେକରେ କଟା ହେବା ଭଳି ଏକ ବଡ଼ଧରଣର କ୍ଷତ ରହିଥିଲା। ଏହାସହିତ ମୁଣ୍ଡ, ‌ଶୁଣ୍ଢ, ତଳି ପେଟ, ଆଗ ଗୋଡ଼‌େର ଗଭୀର କ୍ଷତ ରହିଥିଲା। ମୃତହାତୀର ସ୍ଥିତିକୁ ‌ଦେଖି ବନ ବିଭାଗର ଅଧିକାରୀ ଏବଂ କର୍ମଚାରୀ ମଧ୍ୟ ସନ୍ଦେହରେ ପଡିଥିଲେ। ଗୁଳି କରି ସନ୍ଦେହ କରାଯାଇଥିବା କର୍ମଚାରୀମାନେ ପ୍ରାଥମିକ ପର୍ଯ୍ୟାୟରେ ସନ୍ଦେହ କରିଥିଲେ। ଏହାପରେ ଜଙ୍ଗଲ ବିଭାଗ ପକ୍ଷରୁ ହାତୀ ମୃତ୍ୟୁର ଖୋଳତାଡ କରାଯାଇଥିଲା। ଏପରି କି ମେଟାଲ ଡିଟେକ୍ଟର ସାହାଯ୍ୟରେ ହାତୀର କ୍ଷତ ସ୍ଥାନ ଗୁଡିକ ଯାଞ୍ଚ କରାଯାଇଥିଲା। ତେବେ, ଯାଞ୍ଚ ବେଳେ ଗୁଳି ନ ଥିବା ଜଣାପଡିଛି।

ସମ୍ବନ୍ଧିତ ଖବର