ଶିମିଳିପାଳରେ ଶାବକ ମୃତ : ଆନ୍ଥ୍ରାକ୍ସ ନା ଅନ୍ୟ କିଛି?

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ପୁଣି ଗୋଟିଏ ହାତୀ ଛୁଆର ମୃତ୍ୟୁ। ଏଥର ଶିମିଳିପାଳ କୋର୍ ଏରିଆରେ। ଗତ ମାସ ୩୦ରେ ଶିମିଳିପାଳ ଅଭୟାରଣ୍ୟ କୋର୍ ଏରିଆର ଗୁରୁଣ୍ଡିଆ ସେକ୍ସନ ଅନ୍ତର୍ଗତ ଜେନାବିଲ୍‌ରୁ ଏକ ୮ ବର୍ଷର ଅଣ୍ଡିରା ହାତୀ ଛୁଆର ମୃତଦେହ ଉଦ୍ଧାର କରାଯାଇଥିଲା। ହାତୀ ଛୁଆଟି ଆନ୍ଥ୍ରାକ୍ସ ରୋଗରେ ମୃତ୍ୟୁବରଣ କରିଥିବା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ(ଏସ୍‌ଟିଆର)ର ଉପନିର୍ଦ୍ଦେଶକ ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି। ଏନେଇ ପିସିସିଏଫ୍‌କୁ ରିପୋର୍ଟ ଦିଆଯାଇଛି। ଏହା ସହିତ ହାତୀ ଛୁଆକୁ ବ୍ୟବ‌ଚ୍ଛେଦ କରି ପୋଡ଼ି ଦିଆଯାଇଛି ଏବଂ ଆନ୍ଥ୍ରାକ୍ସ ମୃତ୍ୟୁ ନିଶ୍ଚିତ କରିବା ପାଇଁ ନମୁନା କଟକ ଫୁଲନଖରାସ୍ଥିତ ପଶୁ ରୋଗ ଏବଂ ଗବେଷଣା ସଂସ୍ଥା (ଏଡିଆର୍ଆଇ)କୁ ପଠାଯାଇଥିବା ଶ୍ରୀ ପତି ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ, ୩୦ ତାରିଖରୁ ମୃତଦେହ ମିଳିଥିଲେ ମଧ୍ୟ କାହାକୁ କିଛି ନଜଣେଇ ଏମିତି ଲୁଚା ଛପାରେ ହାତୀ ମୃତଦେହକୁ ପୋଡ଼ିଦେବା ଘଟଣା ବିଭାଗର କାର୍ଯ୍ୟଧାରା ଉପରେ ସନ୍ଦେହ ସୃଷ୍ଟି କରିଛି। ୨୦୧୭ରେ ସୂଚନା ଅଧିକାର ଆଇନ ବଳରେ ଶିମିଳିପାଳରେ ୨୦୧୬ ଏବଂ ୨୦୧୭ରେ ଆନ୍ଥ୍ରାକ୍ସରୁ ମରିଥିବା ହାତୀଙ୍କ ସଂପର୍କରେ ଏଡିଆର୍ଆଇ ନିକଟରୁ ତଥ୍ୟ ମଗାଯାଇଥିଲା। ଉକ୍ତ ତଥ୍ୟ ଅନୁସାରେ ‌ଏସ୍‌ଟିଆର ୧୬ଟି ମୃତ ହାତୀଙ୍କ ନମୁନା ନଖରାସ୍ଥିତ ପରୀକ୍ଷାଗାରାକୁ ପଠାଇଥିଲା। ସେଗୁଡ଼ିକ ମଧ୍ୟରୁ ମାତ୍ର ୫ଟିରେ ଆନ୍ଥ୍ରାକ୍ସ ବାହାରିଥିଲା‌ ବେଳେ ବାକି ୧୧ଟି ଅନ୍ୟ କାରଣ ଜନିତ ମୃତ୍ୟୁବୋଲି ସୂଚନା ପ୍ରଦାନ କରାଯାଇଥିଲା। ତେଣୁ ଏଠାରେ ମଧ୍ୟ ଏସ୍‌ଟିଆରର ତଥ୍ୟକୁ ନେଇ ପ୍ରଶ୍ନ ଉଠୁଛି ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର