ପୁଣି ଏକ ଦନ୍ତା ମୃତ : ବ୍ୟବଚ୍ଛେଦ ପରେ ମୃତ୍ୟୁ କାରଣ ସ୍ପଷ୍ଟ ହେବ

ବୁଗୁଡା,: ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡର ବୁଗୁଡା ବନାଞ୍ଚଳରେ ଆଜି ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଛି। ସ୍ଥାନୀୟ ଗୌଡିଆବୋରଦା ଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଅବସ୍ଥିତ ମାଟିଆଗାଡିଆ ପାହାଡର ଅନ୍ଧାରୀ ଗ୍ରାମ ଜଙ୍ଗଲରେ ହାତୀଟିର ମୃତଦେହ ମିଳିଛି। ହାତୀର ବୟସ ଆନୁମାନିକ ୩୦ ବର୍ଷରୁ ଅଧିକ ହେବ। ବୟସାଧିକ ଓ ଅସୁସ୍ଥତା କାରଣରୁ ହାତୀର ମୃତ୍ୟୁ ହୋଇଥିବ‌ା ବନବିଭାଗ ସୂଚନା ଦେଇଛି।

ସୂଚନା ମୁତାବକ, ଅନ୍ଧାରୀ ଗ୍ରାମ୍ୟ ଜଙ୍ଗଲକୁ ଗ୍ରାମର କିଛି କିଛି ମହିଳା ଜାଳେଣି କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ହାତୀଟିର ମୃତଦେହ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ। ଖବର ପ୍ରଚାରିତ ହେବା ପରେ ଅପରାହ୍ନ ସା‌ଢେ ୪ଟାରେ ବନବିଭାଗ ଏନେଇ ଅବଗତ ହୋଇଥିଲା। ତୁରନ୍ତ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀମୃତ୍ୟୁ ନେଇ ପ୍ରାଥମିକ କାରଣ ଅନୁଧ୍ୟାନ କରିଥିଲେ। ତେବେ, ମୃତଦେହ ପଡିଥିବା ୨ କିଲୋମିଟର ପରିସର ମଧ୍ୟରେ ବିଦ୍ୟୁତ ତାର ନଥିବାରୁ ହାତୀର ମୃତ୍ୟୁ ସ୍ବାଭାବିକ ହୋଇଥିବା ଅନୁମାନ କରାଯାଉଛି।

ବ୍ୟବଚ୍ଛେଦ ରି‌ପୋର୍ଟ ମିଳିବା ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ବନବିଭାଗ କହିଛି।

ସମ୍ବନ୍ଧିତ ଖବର